ଜାତୀୟ କରାଟେ ପ୍ରତିଯୋଗିତାରେ ସମ୍ବଲପୁର ପିଲାଙ୍କ କମାଲ୩ ସ୍ୱର୍ଣ୍ଣ ସହ ୧୦ ପଦକ ହାସଲ, ଏସଜିଏଫଆଇ ପାଇଁ ମନୋନୀତ ହୋଇ ଗୌରବ ଆଣିଲେ ଖେଳାଳି….
ସମ୍ବଲପୁର, ୨୬/୧୧: ଦୃଢ଼ ମନୋବଳ, କଠିନ ପରିଶ୍ରମ ଓ ଅଦମ୍ୟ ଆତ୍ମବିଶ୍ୱାସ ଆଗରେ ସଫଳତା ଯେ ମୁଣ୍ଡ ନୁଆଏ, ତାହା ପୁଣିଥରେ ପ୍ରମାଣିତ କରିଛନ୍ତି ସମ୍ବଲପୁରର କୁନି କରାଟେ ଖେଳାଳିମାନେ। ମଧ୍ୟପ୍ରଦେଶର ଦେୱାସଠାରେ ନଭେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଅଖିଳ ଭାରତୀୟ କରାଟେ ପ୍ରତିଯୋଗିତାରେ ପୂର୍ବକ୍ଷେତ୍ରର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ମୋଟ ୪ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ହାସଲ କରିଛନ୍ତି। ସ୍ୱର୍ଣ୍ଣ ପଦକ ବିଜେତାମାନେ ସ୍କୁଲ ଗେମ୍ସ ଫେଡେରେସନ ଅଫ୍ ଇଣ୍ଡିଆ (ଏସଜିଏଫଆଇ) ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।ଏହି ସଫଳତାରେ ସମ୍ବଲପୁର ଧନୁପାଲିସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିରର ଖେଳାଳିମାନେ ବିଶେଷ ଗୌରବ ଆଣିଛନ୍ତି। ବିଦ୍ୟାଳୟର ସ୍ୱସ୍ତିକ ପଣ୍ଡା, ଖୁସି ନାଗ ଓ କେ. ଆନିଷ୍କା ପାତ୍ର ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ସ୍ୱାତୀ ଅନନ୍ୟା ପଣ୍ଡା ଓ ଓମ୍ ପଟ୍ଟନାୟକ ରୌପ୍ୟ ପଦକ ହାସଲ କରିଛନ୍ତି।ସେହିପରି ଦକ୍ଷିତ ମହନ୍ତ, ସୁଭଶ୍ରୀ ପ୍ରଧାନ, ସାଇସ୍ମିତା ସାହୁ, ଦୀପଜ୍ୟୋତି ମିଶ୍ର ଓ ଅନ୍ୱେଷା ପୁରୋହିତ କାଂସ୍ୟ ପଦକ ଜିତି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି।କରାଟେ ପ୍ରଶିକ୍ଷକ ଭବାନୀ ଶଙ୍କର ପଣ୍ଡାଙ୍କ ମାର୍ଗଦର୍ଶନ ଓ ବିଦ୍ୟାଳୟର ଶିକ୍ଷକ ମନୋଜ ନାଥ, ଶିକ୍ଷୟିତ୍ରୀ ସିଦ୍ଧେଶ୍ୱରୀ ପଣ୍ଡାଙ୍କ ସହଯୋଗ ଏହି ସଫଳତାରେ ବିଶେଷ ଭୂମିକା ନିଭାଇଛି। ଅନ୍ୟ ଖେଳାଳି ଶାଶ୍ୱତ ପଟ୍ଟନାୟକ, ପ୍ରତୀକ ମେଣ୍ଡୁଲି ଓ ସିନ୍ଧୁଜା ପଣ୍ଡା ମଧ୍ୟ ଦଳ ସହିତ ଫେରିଛନ୍ତି।ପ୍ରତିଯୋଗିତାରେ ସଫଳତା ହାସଲ କରି ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ଶିକ୍ଷକମାନେ ନଭେମ୍ବର ୨୫ ତାରିଖରେ ସୁରକ୍ଷିତ ଭାବେ ସମ୍ବଲପୁର ପହଞ୍ଚିଛନ୍ତି। ସେମାନଙ୍କ ଏହି ସଫଳତାରେ ବିଦ୍ୟାଳୟ, ଅଭିଭାବକ ଓ କ୍ରୀଡ଼ାପ୍ରେମୀ ମହଲରେ ଆନନ୍ଦ ପ୍ରକାଶ ପାଇଛି।ପଦକ କେବଳ ବିଜୟର ପ୍ରତୀକ ନୁହେଁ, ଏହା ନିଷ୍ଠା, ଶୃଙ୍ଖଳା ଓ ନିରନ୍ତର ସାଧନାର ପରିଚୟ। ଏହି କୁନି ପ୍ରତିଭାମାନଙ୍କ ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବ। ଆଗାମୀ ଏସଜିଏଫଆଇ ପ୍ରତିଯୋଗିତାରେ ମଧ୍ୟ ଏହି ଖେଳାଳିମାନେ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣନ୍ତୁ, ଏହା ସମସ୍ତଙ୍କ ଆଶା।
