ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଶିବିର – ୨୪ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ମାନସିକ ରୋଗ ନୁହେଁ ଲଜ୍ଜା, ଚିକିତ୍ସା ହିଁ ସମାଧାନ ବୋଲି ବାର୍ତ୍ତା
* *ଅତାବିରା, ୨୬.୧୧- ସୁରେନ୍ଦ୍ର କଠାର):* ଆଜି ନଭେମ୍ବର ୨୬ ତାରିଖ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମେଡିକାଲ ଅଫିସର ଡାକ୍ତର ଚିତ୍ତରଞ୍ଜନ ଜେନାଙ୍କ ନେତୃତ୍ୱରେ ଏହି ଶିବିରରେ ସର୍ବମୋଟ ୨୪ ଜଣ ମାନସିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ଶିବିରରେ ରୋଗୀମାନଙ୍କର ମାନସିକ ସ୍ଥିତି ପରୀକ୍ଷା କରାଯାଇ ଆବଶ୍ୟକ ପରାମର୍ଶ ଓ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ମାନସିକ ଚାପ, ଅନିଦ୍ରା, ଭୟ, ଚିନ୍ତା, ଡିପ୍ରେସନ୍ ଭଳି ସମସ୍ୟାକୁ ଲୁଚାଇ ନ ରଖି ସମୟ ଥାଉ ଥାଉ ଡାକ୍ତରଙ୍କୁ ଦେଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ।ଡାକ୍ତର ଚିତ୍ତରଞ୍ଜନ ଜେନା କହିଲେ, ମାନସିକ ରୋଗ ମଧ୍ୟ ଜ୍ୱର, କାଶ ଭଳି ଏକ ରୋଗ। ଏଥିରେ ଲଜ୍ଜା କରିବାର କିଛି ନାହିଁ। ସମୟରେ ଚିକିତ୍ସା କଲେ ରୋଗୀ ସମ୍ପୂର୍ଣ୍ଣ ଭଲ ହୋଇ ସ୍ୱାଭାବିକ ଜୀବନ ବିତାଇ ପାରିବ। ପରିବାର ଲୋକେ ରୋଗୀଙ୍କୁ ଘୃଣା ନ କରି ସ୍ନେହ, ସମର୍ଥନ ଓ ସାହସ ଦେବା ଦରକାର। ମାନସିକ ରୋଗୀଙ୍କୁ ଏକା ଛାଡ଼ିବା ନୁହେଁ, ତାଙ୍କ ସହ କଥା ହେବା, ତାଙ୍କ ମନ ବୁଝିବା ହିଁ ବଡ଼ ଔଷଧ।ଏହି କାର୍ଯ୍ୟକ୍ରମରେ ଯଶୋବନ୍ତ ରଣବୀର, ଫକୀରମୋହନ ବାଗ, ରବିନ୍ଦ୍ର ମେହେର, ଡାକ୍ତର ସମିର ଭୋଇ, ଆଶୁତୋଷ ହୋତା, ଦିବ୍ୟ ମେହେର, ହୀରାଲାଲ ମେହେର ପ୍ରମୁଖ ଯୋଗଦେଇଥିଲେ।ଶିବିରକୁ ଆସିଥିବା ରୋଗୀ ଓ ତାଙ୍କ ପରିବାର ଲୋକେ ଏଭଳି ଶିବିର ବାରମ୍ବାର ହେବା ଦରକାର ବୋଲି କହିଥିଲେ। କାରଣ ଗ୍ରାମାଞ୍ଚଳରେ ଏବେ ବି ଅନେକ ଲୋକ ମାନସିକ ରୋଗକୁ ଭୂତ, ପ୍ରେତ କିମ୍ବା କଳାଯାଦୁ ବୋଲି ଭାବି ଝାଡ଼ଫୁଙ୍କ ପଛରେ ଟଙ୍କା ନଷ୍ଟ କରୁଛନ୍ତି। ଏହା ବଦଳରେ ଡାକ୍ତରୀ ଚିକିତ୍ସା ହିଁ ସଠିକ୍ ବାଟ ବୋଲି ସଚେତନ କରାଯାଇଥିଲା।ସ୍ୱାସ୍ଥ୍ୟକର୍ମୀମାନେ କହିଲେ, ମାନସିକ ସ୍ୱାସ୍ଥ୍ୟ ଭଲ ଥିଲେ ହିଁ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ। ମୋବାଇଲ୍ ନିଶା, ନିଶା ଦ୍ରବ୍ୟ ସେବନ, ପରୀକ୍ଷା ଚାପ, ପାରିବାରିକ କଳହ – ଏସବୁ ମଧ୍ୟ ମାନସିକ ରୋଗର କାରଣ ହୋଇପାରେ। ତେଣୁ ଯୁବକମାନେ ନିଶା ଠାରୁ ଦୂରେଇ ରହିବା, ପରିବାର ସହ ଖୋଲାଖୋଲି କଥା ହେବା ଦରକାର।ଶେଷରେ ସମସ୍ତେ ସଙ୍କଳ୍ପ ନେଲେ – ମାନସିକ ରୋଗୀଙ୍କୁ ଅଣଦେଖା କରିବା ନାହିଁ, ବରଂ ତାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା।
