October 26, 2026

ପୁରୀ ସ୍ୱାମୀନାରାୟଣ ମନ୍ଦିରରେ ରକ୍ତଦାନ ଶିବିର: ୬୨ ୟୁନିଟ୍ ରକ୍ତ ସଂଗ୍ରହ, ୧୨ ଜଣ ସାଧୁଙ୍କ ରକ୍ତଦାନ

IMG-20261026-WA0030
Share

 ପବିତ୍ର ଜଗନ୍ନାଥ ଧାମ ପୁରୀର ସ୍ୱାମୀନାରାୟଣ ମନ୍ଦିର ପରିସରରେ ୭ ସ୍ପୋକ୍ସ ଭର୍ଡୁର ଫାଉଣ୍ଡେସନ୍ (7SVF), ଓଡ଼ିଶା ପକ୍ଷରୁ କଟକସ୍ଥିତ ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ର ରକ୍ତଭଣ୍ଡାର ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ଗୁଜରାଟରୁ ଜଗନ୍ନାଥ ଧାମ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ରକ୍ତଦାନ କରିଥିଲେ। ଏଥିରେ ୧୨ ଜଣ ସାଧୁ ରକ୍ତଦାନ କରିଥିବାବେଳେ ମୋଟ ୬୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

ଏହି ଅବସରରେ 7SVFର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଡା. ସିଦ୍ଧାର୍ଥ ଶେଖର ପାତ୍ର (PT) ରକ୍ତଦାନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ସ୍ୱେଚ୍ଛାକୃତ ରକ୍ତଦାନ ଅନେକ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଥାଏ। ତେଣୁ ସମସ୍ତେ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ 7SVFର ନିର୍ଦ୍ଦେଶିକା ଶ୍ରୀମତୀ ଅପର୍ଣ୍ଣା ମହାନ୍ତି ରକ୍ତଦାତାମାନଙ୍କୁ ଟି-ସାର୍ଟ ଓ ପ୍ରଶଂସାପତ୍ର ପ୍ରଦାନ କରି ସେମାନଙ୍କର ମାନବସେବାମୂଳକ ଅବଦାନକୁ ସମ୍ମାନିତ କରିଥିଲେ।

ଏହି ଅବସରରେ ଫାଉଣ୍ଡେସନ୍ ପକ୍ଷରୁ ଆସନ୍ତା ଦୁଇଦିନ ମଧ୍ୟ ସେହି ସ୍ୱାମୀନାରାୟଣ ମନ୍ଦିର ପରିସରରେ ଦୁଇଦିନିଆ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହି ଶିବିର ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ।

 ରକ୍ତଚାପ (BP), ରକ୍ତରେ ଶର୍କରା (RBS), ଅସ୍ଥି ଖଣିଜ ଘନତ୍ୱ (BMD) ପରୀକ୍ଷା ସହ ଫିଜିଓଥେରାପି ପରାମର୍ଶ ପ୍ରଦାନ କରାଯିବ। ସେହିପରି ଏହି ସମସ୍ତ ସ୍ୱାସ୍ଥ୍ୟ ପରୀକ୍ଷା ସହ ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ, ଉପଯୁକ୍ତ ଚିକିତ୍ସା ପରାମର୍ଶ ଅନୁଯାୟୀ ଔଷଧ ବଣ୍ଟନ ଏବଂ ଫିଜିଓଥେରାପି ପରାମର୍ଶ ଦିଆଯିବ। ଏହି ପଦକ୍ଷେପ ମାଧ୍ୟମରେ ୭ ସ୍ପୋକ୍ସ ଭର୍ଡୁର ଫାଉଣ୍ଡେସନ୍ ସ୍ୱେଚ୍ଛାକୃତ ରକ୍ତଦାନ, ରୋଗ ନିରାକରଣମୂଳକ ସ୍ୱାସ୍ଥ୍ୟସେବା ଏବଂ ସାଧାରଣ ଲୋକଙ୍କ ପାଇଁ ସହଜଲଭ୍ୟ ଚିକିତ୍ସା ସେବାକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖିଛି।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed