ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନ

ବୁଗୁଡ଼ା : ତା ୨୬/୧୦/୨୫ : ସମ୍ପ୍ରତି ସମାଜରେ ବଢିଚାଲିଥିବା ସାଇବର କ୍ରାଇମକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲା ପୋଲିସର ସାଇବର ସେଲ ପକ୍ଷରୁ ରବିବାର ଦିନ ସ୍ଥାନୀୟ ପିପୁଲ୍ସ କଲେଜରେ ଏକ ସାଇବର ସୁରକ୍ଷା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ “ସଚେତନତା ହିଁ ସୁରକ୍ଷା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏସଡିପିଓ ଦିପକ କୁମାର ମିଶ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ପିପୁଲ୍ସ କଲେଜ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ,ଅଧ୍ୟାପକ ଡ.ପ୍ରଦୀପ କୁମାର ଦାଶ ଓ ଆତ୍ମ ପ୍ରକାଶ ନାୟକ ପ୍ରମୁଖ ଯୋଗଦେଇ ସାଇବର ସେଲ୍ ସମ୍ପର୍କରେ କଲେଜ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ । ଅଜଣା କଲ୍କୁ ଗ୍ରହଣ ନକରିବା , ଲିଙ୍କ୍ ନଖୋଲିବା ଏବଂ ନିଜ ଏଟିଏମ୍ କାର୍ଡର ନମ୍ବର ପିନ୍ ଓ ସିଭିଲ୍ ନମ୍ବର ପ୍ରଭୃତି ଅଜଣା ବ୍ୟକ୍ତିଙ୍କୁ ନଦେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଏ ଅବସରରେ ସଚେତନତା ହିଁ ସାଇବର ଅପରାଧକୁ ସୁରକ୍ଷା ଦେଇପାରିବ ବୋଲି ଅତିଥିଗଣ ମତ ପ୍ରକାଶ କରିବା ସହ ମୁଖ୍ୟତଃ ଅଧିକ ଆୟ କରୁଥିବା ଏବଂ ବ୍ୟାଙ୍କରେ ଟଙ୍କା ଜମା ରଖୁଥିବା ଗ୍ରୁପ ଓ ଲୋକଙ୍କୁ କିଭଳି ଭାବେ ସାଇବେର ଠକମାନେ ନିଶାଣ କରିଥାନ୍ତି ତାହା ବୁଝାଇଥିଲେ । ଏଥି ସହ ପୂର୍ବରୁ ଆୟୋଜିତ ସାଇବର ସୁରକ୍ଷା ସମ୍ପର୍କିତ ବକ୍ତୃତା ଓ କୁକିଜ୍ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଅନରୂପ ଭାବେ ସ୍ଥାନୀୟ ବଳଦେବସ୍ବାମୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ଯ ସାଇବର ସୁରକ୍ଷା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା ବେଳେ ସେଥିରେ ଏସଡିପିଓ ଏବଂ ଆଇଆଇସିଙ୍କ ସମେତ କଲେଜ ଅଧ୍ୟକ୍ଷ ମନୋଜ କୁମାର ସ୍ବାଇଁ, ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର , କ୍ରୀଡା ଶିକ୍ଷକ ସତ୍ଯଶ୍ରୀ କୁମାର ଜେନା ପ୍ରମୁଖ ଯୋଗ ଦେଇ ଛାତ୍ରୀଙ୍କୁ ସାଇବର ସୁରକ୍ଷା ଦିଗରେ ସଚେତନ କରିଥିଲେ । ଅନ୍ଯପକ୍ଷରେ ବୁଗୁଡ଼ା ସହରରେ ସାଇବର ସୁରକ୍ଷା ସଚେତନତା ରଥ ପରିକ୍ରମା ସାଙ୍ଗକୁ ଦାସକାଠିଆ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ସାଇବର ସୁରକ୍ଷା ଦିଗରେ ଜନସଚେତନତା ସୃଷ୍ଟି କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ପୋଲିସ ଥାନାର ଅନ୍ୟ ଅଧିକାରୀ ଏବଂ କର୍ମଚାରୀଗଣ ସକ୍ରିୟ ସହଯୋଗ କରିଥିଲେ।
