ନେଟଙ୍ଗା ସବୁଜ ବାହୀନି ପକ୍ଷରୁ “ପୁନଶ୍ଚ ପୃଥିବୀ -୨୦୨୬” ଆୟୋଜିତ .. “
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବଡିଭିଜନ୍ ର ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନେଟଙ୍ଗା ଗ୍ରାମରେ ଗଢ଼ି ଉଠିଥିବା ନେଟଙ୍ଗା ସବୁଜ ବାହୀନି ପକ୍ଷରୁ ଆଜି ନେଟଙ୍ଗା ବଡ଼ଦାଣ୍ଡ ଠାରେ ପୁନଶ୍ଚ ପୃଥିବୀ -୨୦୨୬ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏକ୍ ପେଡ୍ ମା କେ ନାମ୍ ର ତୃତୀୟ ସଂସ୍କରଣ ଆଧାରରେ ଏକ ସ୍ଵଛ ସବୁଜ ଓ ସୁନ୍ଦର ପୃଥିବୀ ଅଭିମୁଖେ ଯାତ୍ରା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନେଟଙ୍ଗା ସବୁଜ ବାହୀନି ର ଉଦ୍ୟୋକ୍ତା ତଥା ପ୍ରକୃତି ବନ୍ଧୁ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ନେଟଙ୍ଗା ସବୁଜ ବାହୀନି ତରଫରୁ ଓ ନେଟଙ୍ଗା ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜନସାଧାରଣଙ୍କ ମଧ୍ୟରେ ସବୁଜିମା ପ୍ରତି ଆଗ୍ରହ, ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ଚାରା ରୋପଣ ନିମନ୍ତେ ସଚେତନତା ଉଦ୍ଦେଶ୍ୟରେ ଏକ ଜନ ଆନ୍ଦୋଳନ ସୃଷ୍ଟି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ନେଟଙ୍ଗା ସବୁଜ ବାହୀନି ର ସମସ୍ତ ସଦସ୍ୟ, ନେଟଙ୍ଗା ଉଚ୍ଚ ବିଦ୍ୟାଳୟ ଓ ନେଟଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ ବନ୍ଧୁ, ଜଙ୍ଗଲ ବିଭାଗ କର୍ମଚାରୀ, ଭଜଗୋବିନ୍ଦ ନାମ ସଂକୀର୍ତ୍ତନ ଦଳ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସିଆରପି କର୍ମୀ, ସ୍ଵୟଂ ସହାୟିକା ଦଳ, ପ୍ରକୃତି ପ୍ରେମୀ ଶୁଳପାଣୀ ଶତପଥୀ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଂରକ୍ଷଣ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଅବସରରେ ଭଞ୍ଜନଗର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ଘରକୁ ଘର ବୁଲି ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା। ତାପରେ ନେଟଙ୍ଗା ବଡ଼ଦାଣ୍ଡ ଠାରେ ଗୋବରା ଓମ୍ ଶାନ୍ତି ଅନୁଷ୍ଠାନ ର ଭଉଣୀ ମାନେ ନିଶା ନିବାରଣ ଉପରେ ସଚେତନତା କରିବା ସହ ଶପଥ ପାଠ କରାଇଥିଲେ।
କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ନେଟଙ୍ଗା ଗ୍ରାମ ସଭାପତି ଶ୍ରୀ ଭାସ୍କର ଲେଙ୍କାଙ୍କ ସଭାପତିତ୍ବରେ “ପୁନଶ୍ଚ ପୃଥିବୀ -୨୦୨୬” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୂଖ୍ୟ ଅତିଥି ରୂପେ ଭଞ୍ଜନଗର ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି ଯୋଗଦେଇଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବେ ଭଞ୍ଜନଗର ଉପଖଣ୍ଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ରଞ୍ଜନ କୁମାର ଦେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହିଥିଲେ ବୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୁତୀ କୃଷ୍ଣ ପାତ୍ର, ଗଞ୍ଜାମ ଜିଲ୍ଲା ଇକୋ କ୍ଳବ୍ ସଂଯୋଜକ ଶ୍ରୀ ଶଙ୍କର ନାରାୟଣ ବେଜ୍, ସୋରଡ଼ା ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଦିଲ୍ଲୀପ କୁମାର ସ୍ଵାଇଁ, ଅବସର ପ୍ରାପ୍ତ ରେଞ୍ଜ ଅଫିସର ଶ୍ରୀ ଅନୁପମ ବାନାର୍ଜୀ, ପ୍ରକୃତି ପ୍ରେମୀ ଶ୍ରୀ ଶୁଳପାଣୀ ଶତପଥୀ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଅଭିମନ୍ୟୁ ପଣ୍ଡା ଏବଂ ପୁର୍ବତନ ସରପଞ୍ଚ ଶ୍ରୀ ପ୍ରହଲ୍ଲାଦ ଲେଙ୍କା। ସମସ୍ତ ଅତିଥି ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ସ୍ଵଚ୍ଛତା କାର୍ଯ୍ୟକ୍ରମ ଓ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ କରିବା ପାଇଁ ଅନୁରୋଧ କରିଥିଲେ। ଏହି ପରିପ୍ରେକ୍ଷୀରେ ନେଟଙ୍ଗା ଗ୍ରାମର ଅଧିବାସୀ ତଥା ବୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୁତୀ କୃଷ୍ଣ ପାତ୍ର, ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ ର ପ୍ରକୃତି ବନ୍ଧୁ ସମ୍ମାନିତ ହିନ୍ଦୀ ଶିକ୍ଷକ ଶ୍ରୀ ପ୍ରଭାତ କୁମାର ଗୌଡ଼ ଓ ଭଞ୍ଜନଗର ର ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନ ର ସଦସ୍ୟ ମାନଙ୍କୁ ମାନପତ୍ର, ଉପଢ଼ୌକନ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଂରକ୍ଷଣ ଉପରେ ବିଭିନ୍ନ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ବକୃତା, ପ୍ରବନ୍ଧ, ଚିତ୍ରାଙ୍କନ ଓ ସଂଗୀତ ପ୍ରତିଯୋଗୀତାର ପ୍ରାୟ ୩୦ ଜଣ କୃତି ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର, ଟ୍ରଫି ଓ ଫୁଲତୋଡ଼ା ଦେଇ ସମ୍ମାନୀତ କରାଯାଇଥିଲା। ନେଟଙ୍ଗା ସବୁଜ ବାହୀନି ପକ୍ଷରୁ ପ୍ରକୃତି ବନ୍ଧୁ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା କାର୍ଯ୍ୟକ୍ରମର ଉପସ୍ଥାପନା କରିବା ସହିତ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ଵନ୍ଧରେ କହିଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମ କୁ ଭଞ୍ଜନଗର ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନ ର ଉଦ୍ୟୋକ୍ତା ତଥା ସାମାଜିକ କର୍ମୀ ଶ୍ରୀ ଅରକ୍ଷିତ ପରିଛା ସଂଯୋଜନା ତଥା ପରିଚାଳନା କରିଥିଲେ। ରୋହିତ କୁମାର ନାୟକ ଓ ସାଥୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ପୂର୍ବତନ ସିଆରସିସି ଶ୍ରୀ ମୋହନ ସାହୁ ବୃକ୍ଷ ଆଧାରିତ ସଂଗୀତ ଗାନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କ ଉପସ୍ଥିତି ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ପରବର୍ତ୍ତୀ ସମୟରେ ସ୍ଵଚ୍ଛତା ଅଭିଯାନ ଓ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ସଂପାଦନ କରାଯାଇଥିଲା।ନେଟଙ୍ଗା ସବୁଜ ବାହୀନି ଏବଂ ନେଟଙ୍ଗା ଗ୍ରାମବାସୀ ଙ୍କ ତରଫରୁ ଆୟୋଜିତ ଏହି ପରି ଅନନ୍ୟ କାର୍ଯ୍ୟକ୍ରମ ତଥା ନିଆରା ପଦକ୍ଷେପ କୁ ସମସ୍ତ ଅତିଥି ଖୁସି ବ୍ୟକ୍ତ କରିବା ସହିତ ପ୍ରଶଂସା କରିଥିଲେ। ପ୍ରକାଶ ଥାଉକି, ଚଳିତ ବର୍ଷ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ସ୍ଵଚ୍ଛତା ଅଭିଯାନ ଓ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ପାଇଁ ନେଟଙ୍ଗା ସବୁଜ ବାହୀନି କୁ ଓ୍ଵାରଲ୍ଡ୍ ଚାରିଟି ଓ୍ଵେଲଫେର୍ ଫାଉଣ୍ଡେସନ ତରଫରୁ ନେସନାଲ ବେଷ୍ଟ୍ ସୋସିଆଲ ଓ୍ଵାରକର୍ ଆଓ୍ଵାର୍ଡ ଓ ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ମିତ୍ର ପୁରସ୍କାର ସହ ୨୦ ହଜାର ଅର୍ଥରାଶି ପ୍ରଦାନ କରାଯାଇଛି।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
