August 26, 2026

ଦେବଝରଣରେ ପର୍ଯ୍ୟଟକ ସୁରକ୍ଷା ଦାବି ୧୦ ଦିନର ମହଲତ, ନହେଲେ ଆନ୍ଦୋଳନ ଓ ଅନଶନ

IMG-20260826-WA0020
Share

 

ସମ୍ବଲପୁର, ୨୬/୮: ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଆକର୍ଷଣରେ ପ୍ରତିଦିନ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ସମ୍ବଲପୁର ଜିଲ୍ଲାର ପ୍ରସିଦ୍ଧ ଦେବଝରଣ ଜଳପ୍ରପାତ ଏବେ ପର୍ଯ୍ୟଟକ ସୁରକ୍ଷା ନେଇ ଚିନ୍ତାର କାରଣ ପାଲଟିଛି। ବାରମ୍ବାର ଅଘଟଣ ଓ ଜୀବନହାନି ସତ୍ତ୍ୱେ ଏଠାରେ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ହୋଇନଥିବା ଅଭିଯୋଗ କରିଛି ଦେବଝରଣ ବିକାଶ ମଞ୍ଚ।

 

ପର୍ଯ୍ୟଟକଙ୍କ ଜୀବନ ସୁରକ୍ଷା ପାଇଁ ତୁରନ୍ତ ସ୍ଥାୟୀ ପଦକ୍ଷେପ ଦାବି କରି ମଞ୍ଚ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ସାକ୍ଷାତ କରାଯାଇ ଏକ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଛି।

ମଞ୍ଚର ସଦସ୍ୟମାନଙ୍କ କହିବାନୁସାରେ, ଦେବଝରଣକୁ ପ୍ରତିଦିନ ପ୍ରାୟ ୭୦୦ରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି। ହେଲେ ଜଳପ୍ରପାତର ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା, ଲାଇଫ୍‌ଗାର୍ଡ ଓ ଉଦ୍ଧାର ବ୍ୟବସ୍ଥାର ଅଭାବ ରହିଛି। ଫଳରେ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହୁଛି। ଦୁର୍ଘଟଣା ଘଟିଲେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି।ମଞ୍ଚ ପକ୍ଷରୁ ଦାବି କରାଯାଇଛି ଯେ, ଦେବଝରଣରେ ଏପର୍ଯ୍ୟନ୍ତ ୨୦ରୁ ଅଧିକ ମୂଲ୍ୟବାନ ଜୀବନ ହାନି ଘଟିଥିବା ବେଳେ ଗତ ରବିବାର ମଧ୍ୟ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏପରି ପରିସ୍ଥିତିରେ କେବଳ ଅସ୍ଥାୟୀ ବ୍ୟବସ୍ଥା ନୁହେଁ, ଏକ ଦୀର୍ଘମିଆଦୀ ଓ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ଜରୁରୀ ବୋଲି ମଞ୍ଚ ଦର୍ଶାଇଛି।

 

ମଞ୍ଚର ୪ ଦଫା ଦାବି ମଧ୍ୟରେ

ଆବଶ୍ୟକ ସ୍ଥାନରେ ଲାଇଫ୍‌ଗାର୍ଡ ମୁତୟନ ସହ ତୁରନ୍ତ ଉଦ୍ଧାର ବ୍ୟବସ୍ଥା,

ଜଳପ୍ରପାତ ଅଞ୍ଚଳର ବିପଦପୂର୍ଣ୍ଣ ସ୍ଥାନ ଚିହ୍ନଟ କରି ସୁରକ୍ଷା ବାଡ଼ ନିର୍ମାଣ,

ଆବଶ୍ୟକ ସ୍ଥାନରେ ତାରଜାଲି ଓ ବ୍ୟାରିକେଡ୍‌ ବ୍ୟବସ୍ଥା ଓ ପର୍ଯ୍ୟଟକଙ୍କ ସଚେତନତା ପାଇଁ ବିପଦପୂର୍ଣ୍ଣ ସ୍ଥାନରେ ସ୍ପଷ୍ଟ ସତର୍କତାମୂଳକ ସୂଚନା ଫଳକ ସ୍ଥାପନ କରାଯିବାକୁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

 

ଦାବିପତ୍ର ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୧୦ ଦିନର ସମୟସୀମା ଦିଆଯାଇଛି। ଏହି ସମୟ ମଧ୍ୟରେ ଦେବଝରଣରେ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ନକରାଗଲେ ଜିଲ୍ଲା ପ୍ରଶାସନ ସମ୍ମୁଖରେ ଆନ୍ଦୋଳନ କରିବା ସହ ଅନଶନ କରିବାକୁ ମଞ୍ଚ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି।ଏହି ଅବସରରେ ଦେବଝରଣ ବିକାଶ ମଞ୍ଚର ବୀରେନ୍ଦ୍ର ଭୋଇ, ଦୀପକ ପ୍ରଧାନ, ଅରୁଣ କୁମାର ଦେହୁରୀ, ଗୌତମ ପ୍ରଧାନ, ରବୀନ୍ଦ୍ର କୁମାର ବିଶ୍ୱାଳ ଓ ରମଣୀ ଭୋଇ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ବୋନ୍ଦରଙ୍କ ସହ ଆଲୋଚନା କରିଥିଲେ।ପର୍ଯ୍ୟଟନର ବିକାଶ ସହ ପର୍ଯ୍ୟଟକଙ୍କ ଜୀବନ ସୁରକ୍ଷାକୁ ସମାନ ଗୁରୁତ୍ୱ ଦିଆଯିବା ଦରକାର। ଦେବଝରଣରେ ପରବର୍ତ୍ତୀ ଅଘଟଣକୁ ଅପେକ୍ଷା ନକରି ପ୍ରଶାସନ ତୁରନ୍ତ ସ୍ଥାୟୀ ପଦକ୍ଷେପ ନେବା ଦାବି ଏବେ ଜୋର ଧରିଛି।

You may have missed