ନିଶାମୁକ୍ତ ଯୁବ ସମାଜ ଗଠନ ଦ୍ୱାରା ବିକଶିତ ଭାରତ ନିର୍ମାଣର ଆହ୍ୱାନ ..
ଗଜପତି:- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ରାୟଗଡ ସ୍ଥିତ ଏସ୍.ଏସ୍.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ “ମେରା ଯୁବା ଭାରତ” (ମାଏ ଭାରତ), ଗଜପତି ପକ୍ଷରୁ ବ୍ଲକସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। “ବିକଶିତ ଭାରତ ଗଠନରେ ନିଶାମୁକ୍ତ ଯୁବ ସମାଜର ଭୂମିକା” ଶୀର୍ଷକ ବିଷୟ-ବସ୍ତୁକୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରାଜେଶ୍ୱରୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପଦାର୍ଥ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ଲିପିନୀ ଦେବୀ, କଳା ବିଭାଗର ଅଧ୍ୟାପକ ଶ୍ରୀ ଏମ୍.ଭି. ଆପନ୍ନା, ଶାରୀରିକ ଶିକ୍ଷା ପ୍ରଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପଣ୍ଡା’ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତି ନିଜ ଅଭିଭାଷଣରେ ଯୁବପିଢ଼ି’ଙ୍କୁ ନିଶା ସେବନ ଠାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରହିବା ସହ ସମାଜ ଓ ଦେଶର ବିକାଶରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟ ଅତିଥି ମାନେ ମଧ୍ୟ ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ି’ଙ୍କ ଦାୟିତ୍ୱ ଓ ସଚେତନତାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ “ନିଶାମୁକ୍ତ ଯୁବା – ବିକଶିତ ଭାରତ” ବିଷୟକୁ ନେଇ ଏକ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ ମାନେ ଉତ୍ସାହର ସହ ଅଂଶଗ୍ରହଣ କରି ନିଜ ନିଜର ମତାମତ ଓ ଯୁକ୍ତି ଉପସ୍ଥାପନ କରିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା। ଏଥିସହ ନିଶା ସେବନ’ର କୁପରିଣାମ, ନିଶାମୁକ୍ତ ଜୀବନ’କୁ ଫେରିଥିବା ବ୍ୟକ୍ତିଙ୍କ ସଂଘର୍ଷ ଓ ସଫଳତାର କାହାଣୀ, ଯୁବପିଢ଼ି’ଙ୍କ ଭୂମିକା ଏବଂ ସମୁଦାୟ ସ୍ତରରେ ସଚେତନତା ସୃଷ୍ଟି ସମ୍ପର୍କିତ ଏକ ଭିଡିଓ ପ୍ରଦର୍ଶନ କରା ଯାଇଥିଲା। ପରେ ଏହି ବିଷୟକୁ ନେଇ ଏକ ଆଲୋଚନାଚକ୍ର କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ ମାନେ ନିଜ ନିଜର ମତାମତ ରଖିବା ସହ ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ି’ଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ଉପସ୍ଥିତ ସମସ୍ତ ଅତିଥି ଓ ଛାତ୍ରଛାତ୍ରୀ ମାନେ ନିଶାମୁକ୍ତ ଭାରତ ଗଠନ ପାଇଁ ସଚେତନ ଓ ପ୍ରତିବଦ୍ଧ ରହିବା ନିମନ୍ତେ ଶପଥ ଗ୍ରହଣ କରିଥିଲେ। ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କିଶୋର ଭେମୁଲାୱାଡା’ଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମାଇ ଭାରତ ଗଜପତି’ର କର୍ମଚାରୀ ଶ୍ରୀ ଏ. ମହେଶ୍ୱର ରାଓ ଓ ଶ୍ରୀ ଭି. ଭବାନୀ ପ୍ରସାଦ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ।—————————————— ଗଣେଶ କୁମାର ରାଜୁପାରଳାଖେମୁଣ୍ଡି(ଗଜପତି)—————————————–
