September 25, 2026

ରକ୍ସା ନୂଆବନ୍ଧ ନିକଟରେ କଲଭର୍ଟ ଧସି ଟ୍ରକ ଫସିବା ଜନ ଅସନ୍ତୋଷ, ତଦନ୍ତ ଦାବି

IMG-20260925-WA0097
Share

 

ବରପାଲି : ୨୫/୯(ସୁଦାମ ଦୀପ) ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ରକ୍ସା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗତ ସେପ୍ଟେମ୍ବର ୨୩ ତାରିଖରେ ରକ୍ସା ନୂଆବନ୍ଧ ନିକଟରେ ଥିବା ଏକ କଲଭର୍ଟ ହଠାତ୍ ଧସିଯିବାରୁ ଏକ ଭାରୀଯାନ ଟ୍ରକ ରାସ୍ତା ମଝିରେ ମାଟି ଭିତରକୁ ପଶିଯାଇଥିଲା। ତେବେ ସୌଭାଗ୍ୟବଶତଃ ଟ୍ରକ ଚାଳକ ଅଳ୍ପକେ ବର୍ତ୍ତିଯାଇଥିବାରୁ ବଡ଼ଧରଣର ଅଘଟଣ ଟଳିଯାଇଛି।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ରକ୍ସା ନୂଆବନ୍ଧ ନିକଟର ଏହି ରାସ୍ତା ତେଜଙ୍ଗ, ଅମ୍ବାମୁଣ୍ଡା, ଦଳପତପାଳି ଓ ବାନ୍ଦୁମୁଣ୍ଡା ସମେତ ଏକାଧିକ ଗ୍ରାମକୁ ସଂଯୋଗ କରୁଥିବା ପ୍ରମୁଖ ଯାତାୟାତ ପଥ। ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଗାଡ଼ି ଓ ସାଧାରଣ ଲୋକ ଯାତାୟାତ କରୁଥିବାରୁ କଲଭର୍ଟ ଧସିଯିବା ଘଟଣା ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା ଓ କଲଭର୍ଟ ନିର୍ମାଣ ସମୟରେ ନିମ୍ନମାନର କାମ ହୋଇଥିବାର ଏଭଳି ଅବସ୍ଥା ହୋଇଛି। ତେବେ ଏହି ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି କଲଭର୍ଟ ନିର୍ମାଣ କାମର ମାନ ଯାଞ୍ଚ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।ଯଦି ତଦନ୍ତରେ କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ଦାୟୀ ଠିକାଦାର ଓ ସମ୍ପୃକ୍ତ ଅଧିକାରୀଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କଲଭର୍ଟର ତୁରନ୍ତ ମରାମତି କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏଥିସହ ଏହି ରାସ୍ତାରେ ଆଗକୁ ଯେପରି କୌଣସି ବଡ଼ ଅଘଟଣ ନଘଟେ, ସେଥିପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।ପ୍ରଶାସନ ଘଟଣାକୁ ଗୁରୁତ୍ୱ ନଦେଇ ନିରବ ରହିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

You may have missed