ଉମରକୋଟ ଜନ୍ମଦିନରେ ନିଆରା ଉଦାହରଣ ସୃଷ୍ଟି କଲେ କୁନି ଛାତ୍ରୀ ସୃତିଜା ସୁବୁଦ୍ଧି; ବିଦ୍ୟାଳୟକୁ ଉପହାର ଦେଲେ ପୁସ୍ତକାଳୟ………..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଆଜିକାଲି ଜନ୍ମଦିନ ପାଳନ ମାନେ କେକ୍ କାଟିବା, ପାର୍ଟି କରିବା ଓ ଆଡ଼ମ୍ବରପୂର୍ଣ୍ଣ ଉତ୍ସବ। କିନ୍ତୁ ଏହି ପ୍ରଚଳିତ ଧାରାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ସନ୍ଦେଶ ଦେଇଛନ୍ତି ଉମରକୋଟ ସରସ୍ୱତୀ ଶିଶୁ ମନ୍ଦିରର ଚତୁର୍ଥ ଶ୍ରେଣୀର ଛାତ୍ରୀ ସୃତିଜା ସୁବୁଦ୍ଧି। ନିଜ ଜନ୍ମଦିନ ଅବସରରେ ସେ ଦୀର୍ଘଦିନ ଧରି ସଞ୍ଚୟ କରିଥିବା ଅର୍ଥରେ ବିଦ୍ୟାଳୟ ପାଇଁ ଏକ ସୁସଜ୍ଜିତ ପୁସ୍ତକାଳୟ ସ୍ଥାପନ କରିବା ସହ ଅନେକ ମୂଲ୍ୟବାନ ପୁସ୍ତକ ଓ ପୁସ୍ତକ ରଖିବା ପାଇଁ ର୍ୟାକ୍ ପ୍ରଦାନ କରିଥିଲେ। ତାଙ୍କ ଏହି ମହତ୍ ପଦକ୍ଷେପ ବିଦ୍ୟାଳୟରେ ପାଠପଢ଼ା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଆହୁରି ବୃଦ୍ଧି କରିବ ବୋଲି ଶିକ୍ଷକମାନେ ମତ ପ୍ରକାଶ କରିଥିଲେ। ଏହା ସହ ସୃତିଜା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ସହ ପ୍ରାୟ ୭୦୦ ଜଣ ଛାତ୍ରଛାତ୍ରୀଙ୍କୁ ଫଳ ବଣ୍ଟନ କରି ନିଜ ଜନ୍ମଦିନକୁ ସେବା ଓ ସମାଜ ପ୍ରତି ଦାୟିତ୍ୱବୋଧର ଏକ ସୁନ୍ଦର ଉଦାହରଣରେ ପରିଣତ କରିଥିଲେ।
ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଭାସ୍କର ମହାପାତ୍ର, ବାବୁଲି ସାର, ଶରତ ଗୁରୁଜୀଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ସୃତିଜାଙ୍କ ଜେଜେବାପା ପରମେଶ୍ୱର ସୁବୁଦ୍ଧି, ଜେଜେମା ଉମାଦେବୀ ସୁବୁଦ୍ଧି, ଓଝା ପ୍ରଫୁଲ୍ଲ ପାତ୍ର ଏବଂ ତାଙ୍କ ବାପା-ମା’ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ କୁନି ଝିଅର ଏହି ମହାନ ପଦକ୍ଷେପକୁ ଉତ୍ସାହିତ କରିଥିଲେ। ସୃତିଜାଙ୍କ ଏହି ଅଭିନବ ପ୍ରୟାସ କେବଳ ଏକ ଜନ୍ମଦିନ ପାଳନ ନୁହେଁ, ବରଂ ସମାଜ ପାଇଁ ଏକ ପ୍ରେରଣାଦାୟକ ବାର୍ତ୍ତା। ତାଙ୍କ ଏହି କାର୍ଯ୍ୟକୁ ଉମରକୋଟ ସହରବାସୀ, ବୁଦ୍ଧିଜୀବୀ ମହଳ ଏବଂ ଅଭିଭାବକମାନେ ଭୂୟସୀ ପ୍ରଶଂସା କରିଥିବା ବେଳେ, ଅନ୍ୟ ଶିଶୁମାନଙ୍କ ପାଇଁ ମଧ୍ୟ ଏହା ଏକ ଅନୁକରଣୀୟ ଦୃଷ୍ଟାନ୍ତ ବୋଲି ମତ ପ୍ରକାଶ ପାଇଛି।
