May 19, 2024

 ନେଟଙ୍ଗା ଗ୍ରାମରେ ଶ୍ରୀ ରାମ ଲାଲାଙ୍କ ପବିତ୍ର ବିବାହ ଉତ୍ସବ ଅନୁଷ୍ଠିତ….

Share

ଭଂଜନଗର/ ବେଲଗୁଣ୍ଠା: ନାରୀ ଓ ପୁରୁଷ ପ୍ରକୃତି ର ଏକ ସର୍ବୋତ୍ତମ ସୃଷ୍ଟି। ଜଣେ ଅନ୍ୟ ଜଣଙ୍କ ପାଇଁ ଧରା ପୃଷ୍ଠରେ ଅବତ୍ତିର୍ନ। କଥାରେ ଅଛି ବିବାହ ବିନା ନାରୀ ପୁରୁଷଙ୍କ ପରିପୂର୍ଣ୍ଣତା ହୋଇନଥାଏ। କେଉଁ ଆବହମାନ କାଳରୁ ଏହି ପରମ୍ପରା ପ୍ରଚଳିତ ହୋଇଆସୁଛି। ଆମର ପୂର୍ବପୁରୁଷ ମାନଙ୍କ ଦ୍ବାରା ପ୍ରଚଳିତ ଏ ପରମ୍ପରା ଆଜି ମଧ୍ୟ ସମାଜରେ ଅନୁକରଣୀୟ ହୋଇରହିଛି। ବିବାହ ଭଳି ଏକ ପବିତ୍ର ବନ୍ଧନ ରେ ଛନ୍ଦି ହୋଇ ନାରୀ ପୁରୁଷ ଉଭୟେ ଉଭୟ ଙ୍କ ପାଇଁ ସମର୍ପିତ ହୋଇ ଜୀବନଯାପନ କରନ୍ତି।

ସେହି ପରି
ଆଜି ପ୍ରଭୂ ଶ୍ରୀ ରାମ ଲାଲା ଓ ମାତା ସୀତା ଠାକୁରାଣୀ ଙ୍କ ପବିତ୍ର ବିବାହ ଉତ୍ସବ। ସାରା ବିଶ୍ବରେ ଥିବା ସମସ୍ତ ରାମ ମନ୍ଦିର ଗୁଡିକ ରେ ପାଳିତ ହେଉଅଛି ଏହି ଭବ୍ୟ ଉତ୍ସବ। ଏଥି ପାଇଁ ଚଳଚଞ୍ଚଳ ହୋଇଉଠିଛି ଭାରତର ପ୍ରତି କୋଣ ଅନୁକୋଣରେ ଥିବା ସମସ୍ତ ରାମ ମନ୍ଦିର। ଅପୂର୍ବ ଶବ୍ଦ ଓ ଆଲୋକ ସଜ୍ଜା ରେ ମନ୍ଦିର ଗୁଡିକ ଶୋଭା ଅତି ଆକର୍ଷଣୀୟ ଦେଖାଯାଉଛି।ରାମ ପ୍ରେମୀ ଙ୍କ ମଧ୍ୟରେ ଦେଖାଦେଇଛି ଅପୂର୍ବ ଆନଂଦ ଉଲ୍ଲାସ। ଚାରି ଆଡେ଼ ଦେଖିବାକୁ ମିଳୁଛି ଖୁସି ର ଲହରୀ। ନିଜର ଅତି ପ୍ରିୟ ଠାକୁରଙ୍କ ବିବାହ ଉତ୍ସବ ପାଳନ ପାଇଁ ବ୍ୟାକୁଳତା ଓ ବ୍ୟଗ୍ରତା ର ସହ ଆତ୍ମବିଭୋର ହୋଇପଡିଛନ୍ତି ରାମ ପ୍ରେମୀ , ଭକ୍ତ ବୃନ୍ଦ, ଶ୍ରଦ୍ଧାଳୁ ଓ ସାଧାରଣ ଜନତା।

ଏହି ଅବସରରେ ଭଂଜନଗର ସବଡିଭିଜନ ତଥା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ନେଟଙ୍ଗା ଗ୍ରାମରେ ଭଞ୍ଜ ବଂଶୀୟ ପ୍ରତିଷ୍ଠିତ ପ୍ରାୟ ୪୦୦ ଶହ ବର୍ଷ ତଳର ବହୁ ପୁରାତନ ଶ୍ରୀ ରଘୁନାଥ ସ୍ଵାମୀ ମନ୍ଦିର ରେ ଶ୍ରୀ ରାମ ଲାଲାଙ୍କ ପବିତ୍ର ବିବାହ ଉତ୍ସବ ପାଳନ ପାଇଁ ସବୁ ପ୍ରକାରର ପ୍ରସ୍ତୁତି କରାଯାଇଥିଲା। ରାମ ଲାଲା ଙ୍କ ଏହି ପବିତ୍ର ବିବାହ ଉତ୍ସବ ପାଇଁ ସମସ୍ତ ସେବାୟତ, ଚଷା, ଦିହୁଡିଆ ଓ ପୂଜକ ମାନଙ୍କ ପାଇଁ ଭୋଜି ର ଆୟୋଜନ କରାଯାଇଥିଲା। ରାତ୍ରରେ ମନ୍ଦିର ର ଯଥା ପୂର୍ବ ରୀତିନୀତି ପାଳନ ପରେ ପ୍ରଭୂ ଶ୍ରୀ ରାମ ଚନ୍ଦ୍ର ଓ ଲକ୍ଷ୍ମଣ ଠାକୁର ଙ୍କୁ ବର ବେଶରେ ସଜାଇ ଦାଣ୍ଡ ବୁଲିବା ପାଇଁ ନିଆଯାଇଥିଲା। ପ୍ରଭୁଙ୍କ ଏହି ଦାଣ୍ଡ ବୁଲା ବା ନଗର ଭ୍ରମଣ ଶୋଭା ଯାତ୍ରା ସମୟ ରେ ବିଭିନ୍ନ ପ୍ରକାରର ପଟୁଆର ଆୟୋଜନ କରାଯାଇଥିଲା। ଏହି ଶୋଭା ଯାତ୍ରା ସମୟ ରେ ନେଟଙ୍ଗା ଗ୍ରାମର ପୁରାତନ ସଂସ୍କୃତି ତଥା ଲୋକକଳା ର ପରିଚାୟକ ଗାଁ ଆଖଡ଼ା ଖେଳ ରେ ଗ୍ରାମ ବାସୀ ନିଜ ନିଜର କଳା କୋଶଳ ପ୍ରଦର୍ଶନ କରିଥିଲେ। ଏଥି ସହିତ ବାଘ ବୃଷଭ ଲୋକନୃତ୍ୟ, ବିରାଟ ବାଣ ପଟୁଆର ର ଆୟୋଜନ ମଧ୍ୟ କରାଯାଇଥିଲା। ତାଳ, କିର୍ତ୍ତନ୍ୟ, ଘଣ୍ଟ, କାହାଳୀ, ଶଙ୍ଖନାଦ, ଦକ୍ଷିଣି ବାଦ୍ୟ, ହରିବୋଲ ଓ ହୁଳହୁଳି ଧ୍ବନିରେ ଗାଁ ଦାଣ୍ଡ ଉଛୁଳି ପଡୁଥିଲା,
ପ୍ରକମ୍ପିତ ହେଉଥିଲା ସାରା ପରିବେଶ।ନେଟଙ୍ଗା ଗ୍ରାମ ର ସମସ୍ତ ଜନସାଧାରଣ ତଥା ଆଖପାଖ ସମସ୍ତ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ମାନେ ଏହି ଭବ୍ୟ ଉତ୍ସବ ରେ ଉପସ୍ଥିତ ରହି ଭରପୁର ଆନନ୍ଦ ଉଠାଇଥିଲେ। ଶ୍ରୀ ରଘୁନାଥ ସ୍ଵାମୀ ମନ୍ଦିର ଓ
ଗାଁ ଦାଣ୍ଡର ସୁସଜ୍ଜିତ ଆଲୋକସଜ୍ଜା , ବାନା ପତାକା ମାଳ ଓ ବିଭିନ୍ନ ପ୍ରକାରର ସାଜସଜ୍ଜା ଏହି କାର୍ଯ୍ୟକ୍ରମ ର ଶୋଭା କୁ ଦ୍ଵିଗୁଣିତ କରୁଥିଲା।

ଶ୍ରୀ ରାମ ଲାଲାଙ୍କ ଦାଣ୍ଡ ବୁଲା କାର୍ଯ୍ୟକ୍ରମ ସରିବା ପରେ ଅନୁଜ ଲକ୍ଷ୍ମଣଙ୍କୁ ସାଙ୍ଗରେ ନେଇ ବାଟ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥି ପାଇଁ ମାତା ସୀତାଙ୍କ ପିତା ରାଜର୍ଷି ଜନଜ ଙ୍କ ତରଫରୁ ବାଟ ବରଣ ର ଆୟୋଜନ କରାଯାଇଥିଲା। ପରେ ଦୁଇ ଠାକୁର ଙ୍କୁ ବିବାହ ମଣ୍ଡପ କୁ ପାଛୋଟି ନିଆଯାଇଥିଲା। ବ୍ରାହ୍ମଣ, ପୁରୋହିତ, ଭକ୍ତ, ଶ୍ରଦ୍ଧାଳୁ, ପଣ୍ଡିତ ଓ ଦର୍ଶକ ମାନଙ୍କ ଉପସ୍ଥିତି ରେ ମନ୍ତ୍ର, ହୁମ ସହ ଯଥା ପୂର୍ବ ରୀତିନୀତି ଅନୁସାରେ ବର ଓ କନ୍ୟା ପକ୍ଷରୁ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହ ଉତ୍ସବ ପାଳନ ସମୟରେ ବିବାହ ମଣ୍ଡପ ସମ୍ମୁଖରେ ବିଭିନ୍ନ ପ୍ରକାରର ନାଚଗୀତର ଆୟୋଜନ କରାଯାଇଥିଲା। ନିଶାର୍ଦ୍ଧ ରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବା ପରେ ମନ୍ଦିର ପୂଜକ ଓ ସେବକ ମାନେ ଶ୍ରୀ ରାମ ଲାଲା ଏବଂ ମାତା ସୀତା ଠାକୁରାଣୀ ଙ୍କୁ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ। ଏହି ଭବ୍ୟ ଉତ୍ସବ ରେ ନେଟଙ୍ଗା ଗ୍ରାମରେ ବିଜେ ଶ୍ରୀ ଶ୍ରୀ ରଘୁନାଥ ସ୍ଵାମୀ ପରିଚାଳନା କମିଟି ସଭ୍ୟବୃନ୍ଦ, ଗ୍ରାମବାସୀ, ଉତ୍ସାହୀ ଓ ଆଗ୍ରହୀ ବ୍ୟକ୍ତି ବିଶେଷ ଓ ଯୁବକ ସଂଘ ର ସମସ୍ତ ସ୍ଵେଚ୍ଛାସେବୀ ଉପସ୍ଥିତ ରହି ସମସ୍ତ ପ୍ରକାରର ସହଯୋଗ ଓ ପରିଚାଳନା କରିଥିଲେ।
( ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)