April 27, 2026

ଲାଞ୍ଜିଗଡ଼ରେ ପୁଣି ହାତୀଙ୍କ ଉପଦ୍ରଵ 

IMG-20260125-WA0084
Share

 

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ହାତୀଙ୍କ ଉପଦ୍ରଵ କମିବାର ନାମ ନେଉନି l କେତେବେଳେ କେଉଁ ସ୍ଥାନକୁ ହାତୀମାନେ ହଠାତ ଚାଲିଆସୁଛନ୍ତି ଜାଣିବା କଷ୍ଟକର ବ୍ୟାପାର l ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ହାତୀଙ୍କ ଉପଦ୍ରଵ ଲାଗି ରହିଛି l ଆଉ ଏ କଥା ବି ସତ ଯେ ଏଥିପାଇଁ ମଣିଷ ହିଁ ଦାୟୀ l

ହାତୀମାନେ ସାଧାରଣତଃ ଘଞ୍ଚ ଜଙ୍ଗଲରେ ବାସ କରନ୍ତି l କାରଣ ସେଠାରେ ସେମାନଙ୍କର ଖାଦ୍ୟ ପାନୀୟର ଅଭାବ ନ ଥାଏ l ତେଣୁ ସେମାନେ ସ୍ୱଚ୍ଛନ୍ଦରେ ଜଙ୍ଗଲରେ ବିଚରଣ କରିଥାନ୍ତି l ଜନବସତି ଆଡ଼କୁ ମୁହାଁଇବାକୁ ସେମାନଙ୍କର ଆଗ୍ରହ ନ ଥାଏ l କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି l ପୂର୍ବଭଳି ଆଉ ଘଞ୍ଚ ଜଙ୍ଗଲ ନାହିଁ l ବିଶେଷତଃ ଓଡିଶାରେ ଜଙ୍ଗଲ ବିଭିନ୍ନ କାରଣରୁ ଧ୍ବଂସ ହେବାରେ ଲାଗିଛି l ଜଙ୍ଗଲ ଜମି ଅଧିକାର କଥା ସରକାର ଘୋଷଣା କରିବା ପରଠାରୁ ପ୍ରବଳ ଭାବେ ଜଙ୍ଗଲ ଧ୍ବଂସ ହୋଇ ଚାଲିଛି l ଆବଶ୍ୟକ ନ ଥାଇ ମଧ୍ୟ ଲୋକେ ଜଙ୍ଗଲଜୁ ନଷ୍ଟ କରି ସେ ସ୍ଥାନରେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରୁଛନ୍ତି l ପ୍ରକୃତ ଉଦ୍ଦେଶ୍ୟ ସେମାନେ ବୁଝିପାରୁନାହାନ୍ତି l

ପୋଡୁଚାଷ ମଧ୍ୟ ଅନ୍ୟ ଏକ କାରଣ l ଆଦିବାସୀ ଅଞ୍ଚଳରେ ପୋଡୁ ଚାଷ ପାଇଁ ଶହ ଶହ ଏକର ଘଞ୍ଚ ଜଙ୍ଗଲକୁ ଆଦିବାସୀ ମାନେ ପୋଡ଼ି ନଷ୍ଟ କରିଥାନ୍ତି l ତା ‘ ଛଡ଼ା ଜଙ୍ଗଲ ମାଫିଆମାନଙ୍କ ଦ୍ୱାରା ଅସଂଖ୍ୟ ମୂଲ୍ୟବାନ ବୃକ୍ଷ ସବୁ କଟାଯାଇ ଚୋରା ଚାଲାଣ ହେବା ଜଙ୍ଗଲ ଧ୍ବଂସର ଅନ୍ୟ ଏକ କାରଣ l ଆହୁରି ମଧ୍ୟ ବିଭିନ୍ନ କଲକାରଖାନା ସ୍ଥାପନ ପାଇଁ ହଜାର ହଜାର ଏକର ଜଙ୍ଗଲକୁ କାଟି ଦିଆଯାଉଛି l କଳାହାଣ୍ଡିର ଲାଞ୍ଜିଗଡ଼ ଅଞ୍ଚଳ ମଧ୍ୟ ସେଥିରୁ ବାଦ ପଡ଼ିନାହିଁ l ପୂର୍ବରୁ ଘଞ୍ଚ ଜଙ୍ଗଲ ଆଉ ଦୃଷ୍ଟିଗୋଚର ହେଉନାହିଁ l ଏଭଳି ଭାବେ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଜଙ୍ଗଲରେ ବାସ କରୁଥିବା ଜୀବଜନ୍ତୁ ପ୍ରଭାବିତ ହେଉଛନ୍ତି l ସେମାନେ ରହୁଥିବା ସ୍ଥାନ ଆଉ ବାସୋପଯୋଗୀ ହୋଇପାରୁନାହିଁ l

ତଦନୁଯାୟୀ ହାତୀମାନେ ମଧ୍ୟ ଖାଦ୍ୟ ପାନୀୟ ଅଭାବରୁ ଜନବସତି ଆଡ଼କୁ ମୁହାଁଉଛନ୍ତି l ଲାଞ୍ଜିଗଡ଼ ଅଞ୍ଚଳରେ ବାରମ୍ବାର ବିଭିନ୍ନ ଗ୍ରାମକୁ ଆସି ସେମାନଙ୍କର କ୍ଷେତରେ ଥିବା ଫସଲ ସବୁ ଖାଇ ନଷ୍ଟ କରିବା ସହିତ ଲୋକଙ୍କ ଘରେ ସଞ୍ଚିତ ଥିବା ଖାଦ୍ୟ ଶସ୍ୟ ଖାଇବା ସହିତ ସେମାନଙ୍କ ଘରଦ୍ୱାର ଭାଙ୍ଗି ଲୋକଙ୍କ ଜୀବନ ମଧ୍ୟ ନଷ୍ଟ କରିଥାନ୍ତି l

ଗତକାଲି ଲାଞ୍ଜିଗଡ଼ ଗ୍ରାମ ପ୍ରାନ୍ତରେ ଥିବା ଭୈରବ ମନ୍ଦିର ନିକଟକୁ ଏକ ଚାଲିଶ ଟିକିଆ ହାତୀପଲ ଆସିଥିଲେ l ଭୈରବ ମନ୍ଦିର ନିକଟରେ ଥିବା ଏକ ଆସ୍ଥାନରେ ତାଙ୍କର ଷୋଳ ଭଉଣୀ ଓ ବାର ଭାଇଙ୍କୁ ସ୍ଥାପନ କରାଯାଇଛି l ହାତୀପଲ ଆସି ସେ ଆସ୍ଥାନକୁ ଭାଙ୍ଗି ଦେଇଥିଲେ l ନିକଟରେ ଥିବା ଜଣେ ବ୍ୟକ୍ତିଙ୍କର ବଗିଚାରେ ପଶି ଆମ୍ବ, ପଣସ ଗଛ ସହିତ ଶତାଧିକ ଛୋଟ ଛୋଟ ନଡ଼ିଆ ଗଛ ସବୁ ଉପାଡ଼ି ନଷ୍ଟ କରି ଦେଇଛନ୍ତି l ଅନ୍ୟାନ୍ୟ ଫସଲ ମଧ୍ୟ କ୍ଷତି କରିଛନ୍ତି l ଏଥିପାଇଁ ଏ ଅଞ୍ଚଳର ଲୋକେ ପ୍ରାୟତଃ ଆତଙ୍କିତ ଅବସ୍ଥାରେ ରହୁଛନ୍ତି l ବନ ବିଭାଗ କର୍ମଚାରୀ ଏଥିପାଇଁ କିଛି ପଦକ୍ଷେପ ଗ୍ରହଣ କରିବା ପାଇଁ ଲୋକେ ଦାବୀ କରୁଛନ୍ତି l

 

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର