October 24, 2026

ଗଜପତି:- କିଟୁମ୍ବା ଗ୍ରାମରେ ନାଲ୍‌ସା ଯୋଜନାର ଦୁଇମାସିଆ ମେଗା ଡ୍ରାଇଭ୍ ଉଦ୍‌ଯାପିତ ଆଇନ ସଚେତନତା ସହ ଶ୍ରମିକ କାର୍ଡ ଓ କମ୍ବଳ ବଣ୍ଟନ

IMG-20261024-WA0059
Share

 

ଜାତୀୟ ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ମାର୍ଗଦର୍ଶନରେ ତଥା ଗଜପତି ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ମହାନ୍ତି’ଙ୍କ ପୃଷ୍ଠପୋଷକତାରେ ଏବଂ ସଚିବ ବିମଳ ରାଉଳ’ଙ୍କ ସକ୍ରିୟ ତତ୍ତ୍ୱାବଧାନରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍‌ ଅନ୍ତର୍ଗତ କିଟୁମ୍ବା ଗ୍ରାମରେ ଗତ ଦୁଇମାସ ଧରି ଚାଲିଥିବା ଆଇନ ସେବା ମେଗା ଡ୍ରାଇଭ୍‌ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭ର ଧାରା ୧୨ ଅନୁଯାୟୀ ଯୋଗ୍ୟ ହିତାଧିକାରୀ ମାନଙ୍କୁ ନିଃଶୁଳ୍କ ଆଇନ ସହାୟତା ଓ ବିଭିନ୍ନ ସରକାରୀ ଯୋଜନା’ର ସୁଫଳ ପ୍ରଦାନ କରିବା ଏହି ମେଗା ଡ୍ରାଇଭ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଅଭିଯାନ ଅବଧିରେ ଘରକୁ ଘର ବୁଲି ଜନସମ୍ପର୍କ ଅଭିଯାନ କରାଯିବା ସହ ଗ୍ରାମବାସୀ’ଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ସଂଗ୍ରହ କରାଯାଇଥିଲା ଏବଂ ଏଥିସହ ତ୍ୱରିତ ସମାଧାନ ନିମନ୍ତେ ବ୍ଲକ୍‌ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଇଥିଲା। ଅନ୍ୟପକ୍ଷରେ ଏଥି ସମେତ ଗ୍ରାମବାସୀ ମାନଙ୍କୁ ସେମାନଙ୍କ ଆଇନଗତ ଅଧିକାର, ନିଃଶୁଳ୍କ ଆଇନ ସହାୟତା ପାଇବାର ବ୍ୟବସ୍ଥା, ବିଭିନ୍ନ ନାଲ୍‌ସା ଯୋଜନା ଓ ସରକାରୀ କଲ୍ୟାଣ-ମୂଳକ ଯୋଜନା ସମ୍ପର୍କରେ ସଚେତନ କରା ଯାଇଥିଲା। ଏହା ସହ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପକ୍ଷରୁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଶ୍ରମିକ କାର୍ଡ ପ୍ରଦାନ କରା ଯାଇଥିଲା।

ସେହିପରି ଆଗାମୀ ଶୀତ ଋତୁକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ଖଣି ବିଭାଗ ପକ୍ଷରୁ ଆଜିର ଉଦଯାପନି ସଭାରେ ଗ୍ରାମବାସୀଙ୍କୁ କମ୍ବଳ ବଣ୍ଟନ କରା ଯାଇଥିଲା। ଏହି ମାନବିକତାମୂଳକ ପଦକ୍ଷେପ ଶୀତ ଦିନରେ ଗ୍ରାମବାସୀ ମାନଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିବା ସହ କାର୍ଯ୍ୟକ୍ରମ’କୁ ଅଧିକ ଅର୍ଥପୂର୍ଣ୍ଣ କରିଥିଲା।

ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ବିମଳ ରାଉଳ, ଗଜପତି ଜିଲ୍ଲା ଅଦାଲତର ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ପାରଳାଖେମୁଣ୍ଡିର ଖଣି ଅଧିକାରୀ ଦୀପେନ ପରିଡ଼ା, ଖଣି ଅଧିକାରୀ ମଳୟ କୁମାର ସେଠୀ ଏବଂ ପାରାଲିଗାଲ୍ ସ୍ବେଚ୍ଛାସେବୀ ଶଶିରେଖା ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀ ମାନଙ୍କୁ ବିଭିନ୍ନ ଆଇନ ବିଷୟରେ ସଚେତନ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିବ ପ୍ରସାଦ ସେନାପତି, ରାୟ ଗୋବିନ୍ଦ ରାଜୁ, ଚନ୍ଦ୍ରଶେଖର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଯଥାର୍ଥ ସାହାଯ୍ୟ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ପ୍ରାଧିକରଣ ପକ୍ଷରୁ କରାଯାଇଥିବା ଏହି ପ୍ରୟାସ ଉଲ୍ଲେଖନୀୟ ପଦକ୍ଷେପ ହିସାବରେ ସ୍ଥାନୀୟ ଜନସାଧାରଣଙ୍କ ଦ୍ଵାରା ବେଶ ପ୍ରଶଂସିତ ହୋଇଥିଲା।

—————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

—————————————–