October 24, 2026

ବିଶିଷ୍ଟ ଶିକ୍ଷାବିତ ତଥା ସାହିତ୍ୟିକ ଜୟ ନାରାୟଣ ଜଗଦେବ ମହାପାତ୍ରଙ୍କ ପରଲୋକ..

IMG-20261024-WA0062
Share

 

ହାଟଡିହି ତା ୨୪/୧୦(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଆମ୍ବୋ ଗ୍ରାମର ବିଶିଷ୍ଟ ଶିକ୍ଷାବିତ ତଥା ସାହିତ୍ୟିକ ଜୟ ନାରାୟଣ ଜଗଦେବ ମହାପାତ୍ରଙ୍କର ୯୦ ବର୍ଷ ବୟସରେ ପରଲୋକ ଘଟିଛି। ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ବିୟୋଗରେ ସମଗ୍ର ହାଟଡିହି ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ମହାପାତ୍ର ମୁଗୁପୁର ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ଶିକ୍ଷାଦାନ ସହିତ ସାମାଜିକ ଓ ସାହିତ୍ୟିକ କ୍ଷେତ୍ରରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା। ସେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଏବଂ ହାଟଡିହି ସାହିତ୍ୟ ଘରର ବରିଷ୍ଠ ଉପଦେଷ୍ଟା ଭାବେ ଦାୟିତ୍ୱ ତୁଲାଉଥିଲେ। ଜଣେ ନିଷ୍ଠାପର, ସ୍ପଷ୍ଟବାଦୀ, ମେଳାପୀ, ଛାତ୍ରବତ୍ସଳ ଓ ସମୟାନୁବର୍ତ୍ତୀ ଶିକ୍ଷାବିତ ଭାବେ ସେ ସମସ୍ତଙ୍କ ନିକଟରେ ଆଦରଣୀୟ ଥିଲେ। ସାହିତ୍ୟ ପ୍ରତି ତାଙ୍କର ଗଭୀର ଅନୁରାଗ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ନିଷ୍ଠା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ତାଙ୍କଠାରୁ ଶିକ୍ଷାଲାଭ କରିଥିବା ଅନେକ ଛାତ୍ରଛାତ୍ରୀ ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇ ତାଙ୍କର ସୁନାମ ବଜାୟ ରଖିଛନ୍ତି।

ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବହୁ ପୁରାତନ ଛାତ୍ରଛାତ୍ରୀ, ସାହିତ୍ୟିକ, କବି ଓ ଲେଖକ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ପରେ ତାଙ୍କ ମରଶରୀରକୁ ପୁରୀସ୍ଥିତ ସ୍ୱର୍ଗଦ୍ୱାରକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଜଣେ ଆଦର୍ଶ ଶିକ୍ଷକ, ସାହିତ୍ୟପ୍ରେମୀ ଓ ଦିଗ୍‌ଦର୍ଶକ ଭାବେ ସ୍ୱର୍ଗତ ମହାପାତ୍ରଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ବିୟୋଗ ଶିକ୍ଷା ଓ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ପରଲୋକରେ ସାଂସଦ ଅନନ୍ତ ନାୟକ, ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।