April 27, 2026

ଆମ୍ବେଦକର ନଗରରେ ଡମ୍ ସମାଜର ଦିଆଲ ପରବ ପାଳନ 

IMG-20251024-WA0056
Share

କୋଲନରା :(ସଞ୍ଜୀବ କଣ୍ଡାଗରୀ ) କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଥିବା ଆମ୍ବେଦକର ନଗରରେ ମହା ଆଡମ୍ବରରେ ଡମ୍ ସମାଜର ମୁଖ୍ୟ ପର୍ବ ଦିଆଲ୍ ପରବ ଧୁମଧାମରେ ପାଳିତ ହୋଇଯାଇଛି | ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୁମଧାମରେ ଏହି ପର୍ବ ନିଜ ପିତୃ ପୁରୁଷଙ୍କୁ ଆରାଧନା କରି ପାଳନ କରାଯାଇଥାଏ | ଡମ୍ ସମାଜର ମୁଖ୍ୟ ପର୍ବ ଦିଆଲ୍ ପରବ ହୋଇଥିବା ବେଳେ ମୁକୁନ୍ଦପୁର ଆମ୍ବେଦକର ନଗର ବାସିନ୍ଦା ଦୀପାବଳିର ଦୁଇଦିନ ପୂର୍ବରୁ ନିଜ ନିଜ ଘରକୁ ରଙ୍ଗ ମାରି ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ କରିଥାନ୍ତି ଏବଂ ଘରର ସମସ୍ତଙ୍କ ନିମନ୍ତେ ନୂତନ ବସ୍ତ୍ର କିଣିଥାନ୍ତି | ରୀତିନୀତି ଅନୁସାରେ ଦୀପାବଳି ଦିନଠାରୁ ଦୁଇଦିନ ପର୍ଯ୍ୟନ୍ତ ଉପବାସ ରହି ନିଜ ନିଜର ପିତୃପୁରୁଷଙ୍କୁ ଆରାଧନା କରି ପିଣ୍ଡ ଦାନ କରିଥାନ୍ତି | ପର୍ବର ୩ୟ ଦିନରେ ନୂତନ ବସ୍ତ୍ର ପରିଧାନ କରିବା ସହ ଆମିଷ ଭୋଜନ କରିବା ପରମ୍ପରା ରହିଛି | ସାହି ବାସିନ୍ଦା ପ୍ରଥମେ ଗାଁ ବୈଠକରେ ଚୟନ କରିଥିବା ସଭାପତି, ଉପସଭାପତି ଓ ସୂଚନା ପ୍ରଦାନ କାରୀଙ୍କୁ ସକାଳୁ ସକାଳୁ ଗାଁ ମୁଣ୍ଡରେ ହଳଦୀ ପାଣିରେ ଗାଧୋଇବା ବ୍ୟବସ୍ଥା କରିବା ସହ ନୂତନ ଲୁଗା ପିନ୍ଧାଇ ସାହିସାରା ବୁଲେଇଲା ପରେ ସମସ୍ତେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି | ସାହିର ପ୍ରତ୍ୟେକ ଭଲମନ୍ଦ ଓ ସୁବିଧା ଅସୁବିଧାରେ ସହଯୋଗ କରିବା ସହ ସାହିର ଉନ୍ନତି ଦିଗରେ ସର୍ବଦା ଉଦ୍ୟମ କରିବା ଦିଗରେ ବଛା ଯାଇଥିବା ସଭାପତି, ଉପସଭାପତି କାର୍ଯ୍ୟ କରିଥାନ୍ତି | ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସୁଥିବା ବେଳେ ଚଳିତ ବର୍ଷ ମହା ସମାରୋହରେ ପାଳିତ ହୋଇଯାଇଛି | ଦୀପାବଳି ସମୟରେ ପିତୃପୁରୁଷଙ୍କୁ ଆରାଧନା କରି ସେମାନଙ୍କ ଉଦ୍ଦେଶ୍ୟରେ ନୂତନ ବସ୍ତ୍ର ଓ ପିଣ୍ଡ ଦାନ କଲେ ପିତୃପୁରୁଷଙ୍କ ଆଶୀର୍ବାଦ ସଦା ସର୍ବଦା ରହିବା ସହିତ ସେମାନଙ୍କ ଆତ୍ମା ଶାନ୍ତି ପାଇଥାଏ ଏବଂ ପ୍ରତ୍ୟେକ ସୁବିଧା ଅସୁବିଧାରେ ସେମାନେ ସାହା ହୋଇଥାନ୍ତି ବୋଲି ଲୋକଙ୍କ ମନରେ ବିଶ୍ଵାସ ରହିଛି | ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୭ ଦିନ ଧରି ଦିବାଲି ଉତ୍ସବ ପାଳନ କରାଯାଇଛି | ଆମ୍ବେଦକର ନଗରରେ ଚଳିତ ବର୍ଷ ସଭାପତି ଭାବେ ପ୍ରଫୁଲ୍ଲ ବିଡିକାଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ କାମେଶ୍ୱର ବାତ୍ରିଆ, ସମ୍ପାଦକ ଭାବେ ଅନିଲ କୌଶଲ୍ୟା ଏବଂ ସୂଚନା ପ୍ରଦାନ କାରୀ ଭାବେ ବୃନ୍ଦା ଗାଣ୍ଟାଙ୍କୁ ମନୋନୀତ କରାଯାଇଥିଲା | ସାହିର ପ୍ରତ୍ୟେକ ସୁବିଧା ଅସୁବିଧା ସମୟରେ ସମସ୍ତେ ମିଶି ସହଯୋଗ କରିବା ସହ ସାହିର ପ୍ରତିଟି ସମସ୍ୟା ପ୍ରତି ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ସହ ବ୍ଲକ ଏବଂ ଆବଶ୍ୟକ ସ୍ଥଳେ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଅଭିଯୋଗ କରି ପୂରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଭିଏଁ ମିଶି ଶପଥ ଗ୍ରହଣ କରିଥିଲେ | ରବିବାର ଦିନ ପର୍ବ ପାଳନର ଶେଷ ଦିନ ହୋଇଥିବା ହେତୁ ଆମ୍ବେଦକର ନଗର ବାସୀ ଏକ ଭୋଜି ଭାତର ଆୟୋଜନ କରାଯିବା ନେଇ ଜଣାପଡିଛି | ଏଥିରେ ସାମ୍ବାଦିକ ସନୁ ବାଘ, ସରୋଜ ବିଡିକା, ରାଜେନ୍ଦ୍ର ଗାଣ୍ଟା, ବଳରାମ ବିଭାର, ଡମ୍ବୁରୁ ବିଡିକା, ଯୁଧିଷ୍ଠିର ବିଡିକା ଓ ପ୍ରଶାନ୍ତ ଗାଣ୍ଟା ସମେତ ଆମ୍ବେଦକର ନଗରର ଉଭୟ ମହିଳା, ପୁରୁଷ ଓ ଯୁବଗୋଷ୍ଠୀ ଉପସ୍ଥିତ ରହିଥିଲେ |