ବନ୍ଧ ଭାଙ୍ଗି ଚାଷ ଜମି ବାଲିଚର, ନିମ୍ନମାନର କାମକୁ ନେଇ ଅଭିଯୋଗ..

କୋଲନରା(ସଞ୍ଜୀବ କଣ୍ଡାଗାରୀ) ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରୁ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ କୈଳାସପୁର ପଞ୍ଚାୟତର ସାନ ଖିଲାପଦର ଗ୍ରାମରେ ପଞ୍ଚ ବାର୍ଷିକ ଏସଏଫସି ୨୦୨୩-୨୪ ଆର୍ଥିକ ବର୍ଷ ୩ ଲକ୍ଷ ଟଙ୍କା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ ନବ ନିର୍ମିତ ଏକ ବନ୍ଧର ଏକ ଅଂଶ ଭାଙ୍ଗିଯାଇଛି।ଫଳରେ ବନ୍ଧ ତଳ ମୁଣ୍ଡରେ ଥିବା ବହୁ ଚାଷ ଜମିରେ ପାଣି ସହ ବିପୁଳ ପରିମାଣର ବାଲି ଓ ମାଟି ପଶି ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। କିଛି ଦିନ ପୂର୍ବେ ଜମିରେ ଧାନ ରୁଆ ଯାଇଥିବା ବେଳେ ବନ୍ଧ ଭାଙ୍ଗି ପାଣି ମାଡ଼ି ଆସିବାରୁ ଧାନ ଫସଲ ନଷ୍ଟ ହୋଇ ଯାଇଛି। ଅନେକ ଚାଷ ଜମିରେ ଆଣ୍ଠୁଏ ଉଚ୍ଚରେ ବାଲି ଜମି ରହିଥିବାରୁ ଚାଷୀ ମାନେ ଚିନ୍ତାରେ ପଡ଼ିଛନ୍ତି। ଗିର୍ଲିପଦର ଓ ସାନଖିଲାପଦର ଗ୍ରାମର ବହୁ ଚାଷୀଙ୍କ ଜମି ଜଳମଗ୍ନ ହେବା ସହ ବାଲିଚର ହୋଇଯାଇଛି।ଚାଷୀ ମାନଙ୍କ ଅଭିଯୋଗ ଅନୁଯାୟୀ ବନ୍ଧ ନିର୍ମାଣ ସମୟରେ ପାଣି ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇ ନଥିଲା। ଫଳରେ ଲଗାଣ ବର୍ଷା ସମୟରେ ବନ୍ଧ ଉପରେ ଅତ୍ୟଧିକ ଜଳଚାପ ସୃଷ୍ଟି ହୋଇ ଶେଷରେ ଏହାର ଏକ ଅଂଶ ଭାଙ୍ଗିଯାଇଥିଲା।ପ୍ରବଳ ସ୍ରୋତରେ ବାଲି ଓ ମାଟି ଚାଷ ଜମିକୁ ପଶି ଫସଲ ଉପରେ ଜମିଯାଇଛି।ଏଥି ସହ ବନ୍ଧ ନିର୍ମାଣ କାର୍ଯ୍ୟରେ ଗୁଣାତ୍ମକ ମାନ ଠିକ୍ ଭାବେ ଅନୁସରଣ କରାଯାଇନଥିବା ନେଇ ମଧ୍ୟ ଚାଷୀ ମାନେ ଅଭିଯୋଗ କରିଛନ୍ତି।ନିମ୍ନମାନର କାମ ଯୋଗୁଁ ବନ୍ଧ ଦୁର୍ବଳ ହୋଇ ଥିବାରୁ ଏଭଳି ସ୍ଥିତି ଉପୁଜିଥିବା ସେମାନେ କହିଛନ୍ତି।ଜମିରୁ ବାଲି ହଟାଇବା ପାଇଁ ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବା ସହ ଚଳିତ ଫସଲ ନଷ୍ଟ ହେବାରୁ ଚାଷୀ ମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି।
ଅନ୍ୟ ପକ୍ଷରେ ବନ୍ଧ ନିର୍ମାଣ ସମ୍ପର୍କିତ ସୂଚନା ଫଳକ ମଧ୍ୟ ଲଗାଯାଇନଥିବା ଅଭିଯୋଗ ହୋଇଛି।କେଉଁ ଆର୍ଥିକ ବର୍ଷରେ କେଉଁ ଯୋଜନାରେ ସେହି କାର୍ଯ୍ୟ ହୋଇଛି ଏବଂ କେତେ ଟଙ୍କା ମଞ୍ଜୁର ହୋଇଛି ସେ ସମ୍ପର୍କରେ କୌଣସି ସୂଚନା ନାହିଁ।ଚାଷୀ ମାନେ ବନ୍ଧର ଭଙ୍ଗା ଅଂଶକୁ ତୁରନ୍ତ ମରାମତି କରିବା, ଚାଷ ଜମିରୁ ବାଲି ହଟାଇବା,କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ଏବଂ ବନ୍ଧ ନିର୍ମାଣର ମାନ ଯାଞ୍ଚ କରିବାକୁ ଦାବି କରିଛନ୍ତି।ସେହିପରି ପାଣି ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଗଲେ ଭବିଷ୍ୟତରେ ଏଭଳି ସମସ୍ୟାର ପୁନରାବୃତ୍ତି ରୋକାଯାଇ ପାରିବ ବୋଲି ସେମାନେ କହିଛନ୍ତି।ଘଟଣାର ତୁରନ୍ତ ତଦନ୍ତ କରି ବନ୍ଧ ନିର୍ମାଣର ଗୁଣାତ୍ମକ ମାନ ଯାଞ୍ଚ ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇବାକୁ ଗିର୍ଲିପଦର ଗ୍ରାମର କାମେଶ ପିର୍ବାକା,ହରିଚନ୍ଦ୍ର ପିର୍ବକା, ସ୍ଥାନୀୟ ଚାଷୀ ଓ ଗ୍ରାମବାସୀ ମାନେ ମିଳିତ ଭାବେ ଦାବି କରିଛନ୍ତି।ଏହି ସମସ୍ୟା ନେଇ କନିଷ୍ଠ ଯନ୍ତ୍ରୀ ସତ୍ୟ ରଞ୍ଜନ ନାୟକ କୋଲନରା ଙ୍କୁ ଯୋଗା ଯୋଗ କରି ବୁଝିବାରୁ ତଦନ୍ତ କରି ଉପରସ୍ଥ ଅଧିକାରୀ ଙ୍କୁ ରିପୋର୍ଟ ପ୍ରଦାନ କରିବୁ ବୋଲି କହିଛନ୍ତି।
