July 24, 2026

ମରୈଗାଁ-ବଳିପୁର ରାସ୍ତା ନିର୍ମାଣ କେବେ? ବର୍ଷ ବର୍ଷର ଦାବି ପରେ ବି ଶୁଣୁନି ପ୍ରଶାସନ ୧୯ କିଲୋମିଟର ରାସ୍ତା ବିପର୍ଯ୍ୟସ୍ତ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ

IMG-20260724-WA0092
Share

 

ହାଟଡିହି ତା ୨୪/୭ (ମନମୋହନ ନାୟକ) : କେନ୍ଦୁଝର ଜିଲା ହାଟଡିହି ବ୍ଲକର ମରିଗାଁ ଠାରୁ ରାୟା ଶାଳଣାଆଁ ଓ ତଅଁର ହୋଇ ବଳିପୁର ପର୍ଯ୍ୟନ୍ତ ଲମ୍ବିଥିବା ୧୯ କିଲୋମିଟରର ଗୁରୁତ୍ବପୂର୍ଣ ରାସ୍ତାଟି ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ବଡ଼ ଦୁଃଖ ପାଲଟିଛି । ଏହି ପ୍ରମୁଖ ରାସ୍ତା ଉପରେ ହାଟହିଛି ବ୍ଲକର ୧୫ରୁ ଉର୍ଦ୍ଧ ପଞ୍ଚାୟତର ହଜାର ହଜାର ଜନସାଧାରଣ ନିର୍ଭର କରିବା ସହିତ ଏହା ଯାଜପୁର ଜିଲାକୁ ମଧ୍ୟ ସଂଯୋଗ କରିଥାଏ । ଦୈନିକ ଶହ ଶହ ଲୋକ ଯାତାୟାତ କରୁଥିବା ଏହି ରାସ୍ତାଟିର ଉନ୍ନତିକରଣ ପାଇଁ ଦୀର୍ଘ ୨୦ ବର୍ଷ ହେବ ଦାବି ହୋଇ ଆସୁଥିଲେ ହେଁ ପ୍ରଶାସନିକ ଉଦାସୀନତା ଯୋଗୁଁ ସ୍ଥିତି ବଦଳିପାରୁ ନାହିଁ।

 

ସୂଚନା ଅନୁଯାୟୀ, ଗତ ୨୦୧୬ ମସିହାରେ ଜଳସମ୍ପଦ ବିଭାଗ ପକ୍ଷରୁ ନାବାର୍ଡ ଯୋଜନାରେ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା । ମାତ୍ର ଠିକାଦାର ଏଷ୍ଟିମେଣ୍ଟ ଅନୁଯାୟୀ କାର୍ଯ୍ୟ ନ କରି ଅତି ନିମ୍ନମାନର କାମ କରିଥିବାରୁ ମାତ୍ର ୬ ମସ ମଧ୍ୟରେ ରାସ୍ତାଟି ସମ୍ପୂର୍ଣ ଧୋଇଯାଇ ପୁନର୍ବାର ବଡ଼ ବଡ଼ ଖାଲଖମାରେ ପରିଣତ ହୋଇଥିଲା। ସେ ସମୟର ଜିଲ୍ଲା ପରିଷଦ ସଦସ୍ୟା ଓ ପୂର୍ବତନ ବିଧାୟକ ଭାଗିରଥ ସେଠୀ ଏହି ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରି ତଦନ୍ତ ଦାବି କରିଥିଲେ ମଧ୍ୟ ତଦନ୍ତ କେବଳ ଫାଇଲ୍ ଭିତରେ ସୀମିତ ରହିଗଲା । ଏବେ ଏହି ରାସ୍ତାର ଅବସ୍ଥା ଏଭଳି ଶୋଚନୀୟ ହୋଇଛି ଯେ ଚାରିଚକିଆ ଯାନ ତ ଦୂରର କଥା, ମୋଟରସାଇକେଲ୍ ନେଇ ଯିବା ମଧ୍ୟ ବିପଜନକ ହୋଇପଡ଼ିଛି। ପୂର୍ବ ସରକାର ସମୟରେ ଏହି ରାସ୍ତାକୁ ଜଳସେଚନ ବିଭାଗ ଅଧୀନରୁ ପୂର୍ବ ବିଭାଗକୁ ହସ୍ତାନ୍ତର କରିବା ପାଇଁ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯାଇଥିଲା। ଏହାଦ୍ବାରା କାମ ଶୀଘ୍ର ହେବ ବୋଲି ଆଶା ସୃଷ୍ଟି ହୋଇଥିଲେ ହେଁ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ବିଭାଗୀୟ ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇପାରିନାହିଁ । ସୂଚନା ମୁତାବକ, ରାସ୍ତାର ପୁନନିର୍ମାଣ ପ୍ରସ୍ତାବ ଜିଲ୍ଲା ସ୍ତରରେ ଗୃହିତ ହୋଇସାରିଥିବା ବେଳେ ବର୍ତ୍ତମାନ ଏହା ‘ଓମ୍ବାଡାସି’ର ଅନୁମୋଦନ ଅପେକ୍ଷାରେ ଅଟକି ରହିଛି । ଏହି ଜନସମସ୍ୟାକୁ ନେଇ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ବିଧାନସଭାର ପ୍ରଶ୍ନକାଳ ସମୟରେ ଦୃଢ଼ ଦାବି ଉଠାଇଥିଲେ ଏବଂ ଏହା ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା । ମାତ୍ର ଏଯାବତ୍ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏଥିପାଇଁ ବିଧାୟକ ଶ୍ରୀ ସେଠୀ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଭାଗୀୟ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଏକ ଲିଖୁତ ପତ୍ର ପ୍ରେରଣ କରିଛନ୍ତି । ଅନ୍ୟପକ୍ଷରେ, ରାସ୍ତାର ସମାଧାନ ପାଇଁ ନନ୍ଦିପଦା ଗ୍ରାମର ଭଗବାନ ନାୟକ ପ୍ରତିବର୍ଷ ଜିଲ୍ଲାପାଳଙ୍କ ସାପ୍ତାହିକ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଗୁହାରି କରିଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲାର ଏହି ପ୍ରମୁଖ ରାସ୍ତା ସମସ୍ୟା ଉପରେ ସରକାର ତୁରନ୍ତ ଦୃଷ୍ଟି ଦେଇ କଂକ୍ରିଟ୍ ରାସ୍ତା ନିର୍ମାଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।