May 25, 2026

ତତଲା କଢେଇରେ ରେଙ୍ଗାଲି : ଶିଳ୍ପାୟନର ଧୂଆଁ ତଳେ ଜଳୁଛି ପ୍ରକୃତି ଓ ଲୋକଜୀବନ

IMG-20260524-WA0075
Share

 

ସମ୍ବଲପୁର-୨୨/୦୫

 

ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଅଞ୍ଚଳ ଗତ ୨୫ ବର୍ଷ ଭିତରେ ଏକ ବିଶାଳ ପରିବର୍ତ୍ତନର ସାକ୍ଷୀ ହୋଇଛି। ସେଦିନର ସବୁଜ ଜଙ୍ଗଲ, ଚାଷ ଜମି, ନଦୀ ଓ ପାହାଡ଼ରେ ଘେରା ଏହି ଅଞ୍ଚଳ ଆଜି ଶିଳ୍ପାୟନର ଅନ୍ଧ ଦୌଡ଼ରେ ଏକ ଧୂଆଁ ଓ ଧୂଳିର ମରୁଭୂମିରେ ପରିଣତ ହୋଇଛି। ଅବିଚାରିତ ଭାବରେ ଗଢ଼ିଉଠିଥିବା କଲକାରଖାନା, ସ୍ପଞ୍ଜ ଆୟରନ ପ୍ଲାଣ୍ଟ, ପାୱାର ପ୍ଲାଣ୍ଟ ଓ ଖଣି ଖାଦାନ ରେଙ୍ଗାଲିର ଭୂଗୋଳକୁ ମାତ୍ର ନୁହେଁ, ଏଠାର ଲୋକଙ୍କ ଜୀବନ, ପରିବେଶ ଓ ଭବିଷ୍ୟତକୁ ମଧ୍ୟ ଗଭୀର ଭାବରେ ପ୍ରଭାବିତ କରିଛି।

 

ଉନ୍ନତିର ନାମରେ ଯାହା ଘଟିଛି, ସେଥିରେ ଲୋକଙ୍କ ମଙ୍ଗଳ ଠାରୁ ବେଶି ପୁଞ୍ଜିପତିଙ୍କ ଲାଭ ଲୁଚିଥିବା ଦେଖାଯାଉଛି। କେତେ କାରଖାନା ହେଲା, କେତେ ଟନ୍‌ ଲୋହା ଉତ୍ପାଦନ ହେଲା, କେତେ କୋଇଲା ଉଠିଲା — ଏହାର ହିସାବ ରହିଛି। କିନ୍ତୁ କେତେ ଗଛ କଟିଲା, କେତେ ନଦୀ ଶୁଖିଗଲା, କେତେ ଲୋକ ରୋଗୀ ହେଲେ ଓ କେତେ ଗ୍ରାମ ତାପ ଦ୍ୱୀପରେ ପରିଣତ ହେଲା — ତାହାର କୌଣସି ସତ୍ୟ ହିସାବ ନାହିଁ।

 

ରେଙ୍ଗାଲିର ଆକାଶ ଆଜି ଧୂଆଁରେ ଢାକିଯାଇଛି। ଦିନକୁ ଦିନ ତାପମାତ୍ରା ଅସହ୍ୟ ହୋଇଯାଉଛି। ଯେଉଁ ଅଞ୍ଚଳରେ ଏକଦା ସକାଳ ସୁସ୍ଥ ପବନରେ ଭରିଥିଲା, ସେଠାରେ ଏବେ ଗରମ ବତାସ ଲୋକଙ୍କ ଶ୍ୱାସକୁ ଅସ୍ତବ୍ୟସ୍ତ କରୁଛି। ଘରୁ ବାହାରିଲେ ଲାଗୁଛି ଯେପରି ଲୋକେ ତତଲା କଢେଇରେ ଭାଜି ହେଉଛନ୍ତି। ପ୍ରକୃତି ଉପରେ ଏହି ଅତ୍ୟାଚାର କେବଳ ପରିବେଶ ଧ୍ୱଂସ ନୁହେଁ, ଏହା ମାନବତା ବିରୋଧୀ ଏକ ଅନ୍ୟାୟ।

 

ସବୁଠାରୁ ଦୁଃଖଦ କଥା ହେଉଛି, ଯେତେ ଗଛ କଟାଗଲା ତାହାର ତୁଳନାରେ ବୃକ୍ଷରୋପଣ ହୋଇନାହିଁ। ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ପରିବେଶ ସୁରକ୍ଷାର ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା, ସେଗୁଡ଼ିକ କାଗଜ କଲମରେ ସୀମିତ ରହିଗଲା। ରାସ୍ତା ପ୍ରଶସ୍ତ କରିବା ନାମରେ, ଖଣି ବିସ୍ତାର ନାମରେ, କାରଖାନା ନାମରେ ହଜାର ହଜାର ବୃକ୍ଷକୁ ବଳି ଦିଆଗଲା। ଆଜି ମଧ୍ୟ ଅବଶିଷ୍ଟ ଗଛଗୁଡ଼ିକୁ ଅବିଚାରିତ ଭାବରେ କାଟାଯାଉଛି। ଯେଉଁ ଜଙ୍ଗଲ ପ୍ରକୃତିର ରକ୍ଷା କବଚ ଥିଲା, ସେହି ଜଙ୍ଗଲ ଆଜି ଶିଳ୍ପ ମାଫିଆଙ୍କ ଲୋଭରେ ଛିନ୍ନଭିନ୍ନ।

 

ଏଠାରେ ପ୍ରଶ୍ନ ଉଠୁଛି — ଏହି କି ଉନ୍ନତି ?

ଯେଉଁ ଉନ୍ନତି ଲୋକଙ୍କୁ ଶ୍ୱାସ ନେବାକୁ ଦେଉନାହିଁ, ଯେଉଁ ଉନ୍ନତି ଚାଷ ଜମିକୁ ଉଜାଡ଼ି ଦେଉଛି, ଯେଉଁ ଉନ୍ନତି ଗ୍ରାମକୁ ରୋଗ ଓ ତାପର ଅଗ୍ନିକୁଣ୍ଡରେ ପରିଣତ କରୁଛି — ସେହି ଉନ୍ନତିକୁ ଲୋକମାନେ କେତେଦିନ ସହିବେ ?

 

ସରକାରଙ୍କ ଭୂମିକା ମଧ୍ୟ ପ୍ରଶ୍ନବାଚୀ। ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ପରିବେଶ ମଞ୍ଜୁରୀ, ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ଥାନୀୟ ଲୋକଙ୍କ ସୁରକ୍ଷା ନେଇ ବଡ଼ ବଡ଼ କଥା କୁହାଯାଏ। କିନ୍ତୁ ପ୍ରାୟୋଗିକ କ୍ଷେତ୍ରରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିରବ, ପ୍ରଶାସନ ନିର୍ବିକାର ଓ ଜନପ୍ରତିନିଧିମାନେ ମୌନ। ଲୋକଙ୍କ ଜୀବନଠାରୁ ଶିଳ୍ପପତିଙ୍କ ସ୍ୱାର୍ଥ ବଡ଼ ହୋଇଯାଇଛି। ଏହି ନୀରବତା ଏକ ପ୍ରକାର ଅନୁମୋଦନ।

 

ଅନ୍ୟପଟେ ଶିଳ୍ପ ଉଦ୍ୟୋଗୀମାନଙ୍କ ସାମାଜିକ ଦାୟିତ୍ୱବୋଧ ମଧ୍ୟ ପ୍ରଶ୍ନର ସମ୍ମୁଖୀନ। କେତେକ ସ୍ଥାନରେ ନାମମାତ୍ର ସିଏସଆର କାର୍ଯ୍ୟକ୍ରମ କରି ଲୋକଙ୍କ ମୁହଁ ବନ୍ଦ କରିବାର ଚେଷ୍ଟା ହେଉଛି। କିନ୍ତୁ ଯେଉଁ ଅଞ୍ଚଳର ପବନ ବିଷାକ୍ତ, ପାଣି ପ୍ରଦୂଷିତ ଓ ମାଟି ଅନୁର୍ବର ହେଉଛି, ସେଠାରେ ଦୁଇଟି ଟ୍ୟୁବୱେଲ୍ କିମ୍ବା ଏକ ସ୍ୱାସ୍ଥ୍ୟ ଶିବିର କୌଣସି ସମାଧାନ ନୁହେଁ।

 

ସବୁଠାରୁ ବଡ଼ ଆତ୍ମସମୀକ୍ଷା ହେଉଛି — ଆମେ ନିଜେ କେତେ ସଚେତନ ?

ଗଛ କଟାଯାଉଥିବା ବେଳେ ଆମେ ଚୁପ୍‌ ରହିଲୁ। ନଦୀ ପ୍ରଦୂଷିତ ହେଉଥିବା ବେଳେ ଆମେ ନୀରବ ରହିଲୁ। ଚାକିରି ଓ କିଛି ଅସ୍ଥାୟୀ ସୁବିଧାର ଆଶାରେ ପ୍ରକୃତିର ଧ୍ୱଂସକୁ ସ୍ୱୀକାର କରିନେଲୁ। ଆଜି ସେହି ନୀରବତାର ମୂଲ୍ୟ ସାଧାରଣ ଲୋକ ତାପ, ପ୍ରଦୂଷଣ ଓ ରୋଗ ଭାବରେ ପାଉଛୁ।

 

ଯଦି ଏବେ ମଧ୍ୟ ସଚେତନ ନ ହେବା, ତେବେ ଆଗାମୀ ଦିନରେ ରେଙ୍ଗାଲି କେବଳ ଏକ ଶିଳ୍ପାଞ୍ଚଳ ନୁହେଁ, ଏକ ପରିବେଶିକ ବିପର୍ଯ୍ୟୟର କେନ୍ଦ୍ର ଭାବେ ପରିଚିତ ହେବ। ଏହି ଅଞ୍ଚଳରେ ବଡ଼ ଆକାରର ବୃକ୍ଷରୋପଣ, ପ୍ରଦୂଷଣ ନିୟନ୍ତ୍ରଣର କଠୋର ବ୍ୟବସ୍ଥା, ଶିଳ୍ପ ନିରୀକ୍ଷଣ ଓ ସ୍ଥାନୀୟ ଲୋକଙ୍କ ଅଧିକାର ସୁରକ୍ଷା ତୁରନ୍ତ ଆବଶ୍ୟକ। ନହେଲେ ଆଗାମୀ ପିଢ଼ି ଆମକୁ କେବେ କ୍ଷମା କରିବ ନାହିଁ।

 

ରେଙ୍ଗାଲିର ଏହି ତତଲା ପବନ ଆଜି ଏକ ପ୍ରଶ୍ନ କରୁଛି —

“ଉନ୍ନତି ପାଇଁ ଆମେ ପ୍ରକୃତିକୁ କେତେଦିନ ଜଳାଇବୁ ?”