ବୁଲା କୁକୁରଙ୍କ ଆତଙ୍କରାଜ ୯ ବର୍ଷର ନାବାଳକ ଗୁରୁତର..
ସାନଖେମୁଣ୍ଡି(ବିଜୟ କୁମାର ପ୍ରଧାନ )ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ମହାନଳା ଗ୍ରାମରେ ବୁଲା କୁକୁରଙ୍କ ଆତଙ୍କ ଚରମ ସୀମାକୁ ପହଞ୍ଚିଛି। କୁକୁର ଆକ୍ରମଣରେ ଜଣେ ୯ ବର୍ଷର ନାବାଳକ ଗୁରୁତର ଆହତ ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କ ସୃଷ୍ଟି କରିଛି।ସୂଚନା ଅନୁସାରେ ଗ୍ରାମର ଚାରି ଜଣ ଛୋଟ ପିଲା ଘର ନିକଟସ୍ଥ ପଡିଆରେ ଖେଳୁଥିଲେ। କିଛି ସମୟ ପରେ ତିନି ଜଣ ପିଲା ପାଣି ପିଇବା ପାଇଁ ଘରକୁ ଯାଉଥିବା ବେଳେ ବିଶୀକେସନ ଗୌଡ଼ଙ୍କ ପୁଅ ଆୟୁଷ କୁମାର ଗୌଡ଼ ସେଠାରେ ଏକାକୀ ଖେଳୁଥିଲେ।ଏହି ସମୟରେ ୫ ରୁ ୭ଟି ବୁଲା କୁକୁର ତାଙ୍କୁ ଘେରି ଆକ୍ରମଣ କରିଥିଲେ।କୁକୁର ମାନେ ତାଙ୍କ ମୁଣ୍ଡରେ ଭୟଙ୍କର ଭାବେ କାମୁଡ଼ି ଗୁରୁତର ଆହତ କରିଥିବା ଜଣାପଡ଼ିଛି।ପିଲାଟିର ଚିତ୍କାର ଶୁଣି ନିକଟରେ କାମ କରୁଥିବା କିଛି ଲୋକ ଘଟଣାସ୍ଥଳକୁ ଧାଇଁ ଆସି କୁକୁର ମାନଙ୍କ ଠାରୁ ଉଦ୍ଧାର କରିଥିଲେ।ପ୍ରଥମେ ତାଙ୍କୁ ଦିଗପହଣ୍ଡି ମେଡିକାଲକୁ ନିଆଯାଇଥିଲା।ପରେ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।
