August 24, 2026

ରାସ୍ତାର ବଡ଼ ଖାଲ ମରାମତି କଲେ ଯୁବଗୋଷ୍ଠୀ ନିଜସ୍ୱ ଉଦ୍ୟମରେ ପାଣି ନିଷ୍କାସନ ବ୍ୟବସ୍ଥା, ସ୍ଥାୟୀ ମରାମତି ପାଇଁ ପ୍ରଶାସନକୁ ଦାବି…

IMG-20260823-WA0038
Share

 

 

ହାଟଡିହି ତା ୨୩/୦୮(ମନମୋହାନ ନାୟକ) : ବଞ୍ଚୋ ଗ୍ରାମର ଏକ ପ୍ରମୁଖ ରାସ୍ତାରେ ଦୀର୍ଘଦିନ ଧରି ବଡ଼ ଖାଲ ସୃଷ୍ଟି ହୋଇ ବର୍ଷାଜଳ ଜମି ରହିବା ଫଳରେ ଯାତାୟାତରେ ନାନା ସମସ୍ୟା ଦେଖାଦେଉଥିଲା । ରାସ୍ତାର ଏହି ଅବ୍ୟବସ୍ଥା ଯୋଗୁଁ ପଥଚାରୀଙ୍କ ସମେତ ବାଇକ୍‌, ଅଟୋ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ପ୍ରଭାବିତ ହେଉଥିଲା । ବିଶେଷକରି ଜରୁରୀ ସମୟରେ ଆମ୍ବୁଲାନ୍ସ ଯାତାୟାତରେ ମଧ୍ୟ ବାଧା ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ବାରମ୍ବାର ବର୍ଷା ହେବା ପରେ ଖାଲରେ ପାଣି ଜମି ରହୁଥିବାରୁ ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଥିଲା। ଅନେକ ସମୟରେ ଯାନବାହନ ଚାଳକମାନେ ଖାଲର ଗଭୀରତା ଠଉରାଇ ନପାରି ଅସୁବିଧାରେ ପଡ଼ୁଥିଲେ । ଏଭଳି ପରିସ୍ଥିତିରେ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଗ୍ରାମର କିଛି ଯୁବକ ଆଗେଇ ଆସି ନିଜସ୍ୱ ଉଦ୍ୟମରେ ରାସ୍ତା ମରାମତି କରିଛନ୍ତି ।

ଯୁବଗୋଷ୍ଠୀ ପ୍ରଥମେ ରାସ୍ତାରେ ଜମି ରହୁଥିବା ବର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବା ସହ ଖାଲରେ ସିମେଣ୍ଟ ଓ ଗୋଡ଼ି ପକାଇ ତାହାକୁ ମରାମତି କରିଥିଲେ । ଫଳରେ ରାସ୍ତାରେ ପାଣି ଜମି ରହିବା ସମସ୍ୟା କିଛି ମାତ୍ରାରେ ଦୂର ହେବା ସହ ଯାତାୟାତ ମଧ୍ୟ ସ୍ୱାଭାବିକ ହୋଇଛି । ଯୁବକମାନଙ୍କ ଏହି ପଦକ୍ଷେପ ଗ୍ରାମବାସୀଙ୍କ ମଧ୍ୟରେ ପ୍ରଶଂସାର ପାତ୍ର ହୋଇଛି । ଏହି ସାମାଜିକ କାର୍ଯ୍ୟରେ ବିନୋଦ ବିହାରୀ ବରାଳ, ରମେଶ ବରାଳ, ବିଶ୍ୱନାଥ ବରାଳ, ସଞ୍ଜିତ ନାୟକ, ରାଜୀବ ବରାଳ, ପ୍ରଦ୍ୟୁମ୍ନ ବିଶ୍ୱାଳ, ମଣ୍ଟୁ ବରାଳ, ସୁବାଶିଷ ବରାଳ ଓ ମାର୍କଣ୍ଡ ଓଝା ପ୍ରମୁଖ ସହଯୋଗ କରିଥିଲେ । ତେବେ ଯୁବଗୋଷ୍ଠୀଙ୍କ ଏହି ମରାମତି ତାତ୍କାଳିକ ଭାବେ ଯାତାୟାତ ସମସ୍ୟାକୁ ହ୍ରାସ କରିଥିଲେ ମଧ୍ୟ ରାସ୍ତାର ସ୍ଥାୟୀ ସମାଧାନ ହୋଇନାହିଁ । ତେଣୁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ଏହି ରାସ୍ତାର ସ୍ଥିତି ଅନୁଧ୍ୟାନ କରି ଶୀଘ୍ର ସ୍ଥାୟୀ ମରାମତି, ଉପଯୁକ୍ତ ଡ୍ରେନେଜ୍‌ ଓ ପାଣି ନିଷ୍କାସନ ବ୍ୟବସ୍ଥା ଗ୍ରାମବାସୀ ଦାବି କରିଛନ୍ତି । ଜରୁରୀ ସେବା ଯାତାୟାତକୁ ଦୃଷ୍ଟିରେ ରଖି ଏହି ଦାବି ଉପରେ ପ୍ରଶାସନ ଶୀଘ୍ର ପଦକ୍ଷେପ ନେବା ଆବଶ୍ୟକ ବୋଲି ସ୍ଥାନୀୟ ସମାଜସେବି ମାର୍କଣ୍ଡ ଓଝା କହିଛନ୍ତି ।