October 11, 2026

୯ମ ରାଷ୍ଟ୍ରୀୟ ପୋଷଣ ମାସ-୨O୨୬ ଅନୁଷ୍ଠିତ ହୋଇଯାଇଛି

IMG-20261011-WA0013
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ଭବାନୀପାଟଣା ସ୍ଥିତ ପଞ୍ଚାୟତ ସମ୍ମିଳନୀ ଗୃହରେ ୯ମ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ-୨O୨୬ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇଥିବାବେଳେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲଷ୍ମୀ ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ ନିଶା, ମିଶନ ଶକ୍ତିର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ସୁମନ ଦ୍ବିବେଦୀ, ଓଡିଶା ଜୀବିକା ମିଶନ ଜିଲ୍ଲା ସଂଯୋଜକ ଡ଼. ଚନ୍ଦନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସର୍ବ ପ୍ରଥମେ ମୁଖ୍ୟ ଅତିଥି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ଏହାପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ ନିଶା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଏହି ପୋଷଣ ମାସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଓ ଏହାକୁ ନେଇ ସାରା ଜିଲ୍ଲାରେ ପାଳିତ କରାଯାଇଥିବା କାର୍ଯ୍ୟକ୍ରମ ଗୁଡିକ ବିଷୟରେ ସବିଶେଷ ବର୍ଣନା କରିଥିଲେ। ଏହାପରେ ପ୍ରୋଗ୍ରାମ ଅଫିସର ନମିତାରାଣୀ ପଲ ପାଳନ କରାଯାଇଥିବା ପୋଷଣ ମାସ ଉପରେ ଆଧାରୀତ କାର୍ଯ୍ୟକ୍ରମ ଗୁଡିକୁ ପି ପି ଟି ମାଧ୍ୟମରେ ଉପସ୍ଥାପନ କରିଥିଲେ। ଏହାପରେ ଭବାନୀପାଟଣା ସହରର ଆଙ୍ଗନୱାଡି କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପୃଷ୍ଟିକର ଖାଦ୍ୟ ଗୁଡିକ ପ୍ରଦର୍ଶିତ ହୋଇଥିଲା। ଏଥିସହ ଏହି କାର୍ଯ୍ୟକ୍ରମରେ ପୋଷଣ ମାସକୁ ଆଧାର କରି ବକ୍ତୃତା, ରଚନା ଓ ସାଧାରଣ ଜ୍ଞାନ ପ୍ରଭୃତି ପ୍ରତିଯୋଗିତାର ଆୟୋଜନ କରାଯିବା ସହ ବିଭିନ୍ନ ଲୋକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତା ଗୁଡିକରେ କୃତିତ୍ୱ ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନନୀୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇ ସମ୍ମାନିତ କରାଯାଇଥିଲା। ଏଥିସହ ପ୍ରୋଗ୍ରାମ ଅଫିସର ସନ୍ଧ୍ୟାରାଣୀ ନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା।