August 24, 2026

କୋଠଘରେ ଚୋରା ମଦ ଓ ଦେଶୀ ବନ୍ଧୁକ ଜବତ ଘଟଣାକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ …

IMG-20260823-WA0030
Share

 

ଚିକିଟି

ସୁଭଶ୍ରୀ ପ୍ରଧାନ

 

ଚିକିଟୀ ଅଞ୍ଚଳରେ ବେଆଇନ ମଦ ଓ ଅସ୍ତ୍ର କାରବାର ଅଭିଯୋଗକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଜରଡା ଥାନା ଅନ୍ତର୍ଗତ ବୁରାତାଲ ପଞ୍ଚାୟତର ଗୁରୁଡ଼ା (କୁମ୍ଭାରଢିଅ) ଗାଁରେ ଚଢ଼ାଉ ବେଳେ ଏକ ସରକାରୀ ଅନୁଦାନ ପ୍ରାପ୍ତ କୋଠଘର ଓ ଜଙ୍ଗଲ ଭିତରେ ଆନ୍ଧ୍ର , ଓଡ଼ିଶା ପୋଲିସ ଓ ଅବକାରୀ ବିଭାଗ ଦ୍ଵାରା ୧୩,୭୦୦ ଲିଟର ପୋଚ, ୧,୪୦୦ ଲିଟର ଚୋରା ଦେଶୀ ରନ୍ଧା ମଦ ନଷ୍ଟ କରାଯାଇଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଥିବା ଘଟଣାକୁ ନେଇ ଚିକିଟୀ ବିଜେଡି ପକ୍ଷରୁ ରବିବାର ଜରଡା ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଅନୁଷ୍ଠିତ ସମ୍ମିଳନୀରେ ଚିକିଟୀ ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୀମାନ୍ତ ଅଞ୍ଚଳରୁ ବ୍ୟାପକ ଚୋରା ମଦ ପଡୋଶୀ ରାଜ୍ୟ ଆନ୍ଧ୍ର ଯାଉଥିବା ବେଳେ ଆନ୍ଧ୍ର ପୋଲିସ ଚାପରେ ଏହି ମଦ ଧରପଗଡ କରାଯାଇଥିବା ନେଇ ଶ୍ରୀରୁପ ଅଭିଯୋଗ କରିଛନ୍ତି। ତୁମ୍ବା ଫାଣ୍ଡିରୁ ତିନି କିମି ଦୂର ଓ ଜରଡା ଥାନାରୁ ୧୩ କିମି ଦୂରରେ ଥିବା କୁମ୍ଭାରଢିଅ ଗ୍ରାମର ରାସ୍ତା ପାର୍ଶ୍ବରେ ଥିବା ଏକ ସରକାରୀ ଅନୁଦାନ ପ୍ରାପ୍ତ କୋଠଘରେ ଏତେ ପରିମାଣର ପୋଚ ଓ ମଦ ରହିଥିବା ପୋଲିସ କିପରି ଜାଣିପାରୁ ନଥିଲା ବୋଲି ପ୍ରଶ୍ନ କରିଛନ୍ତି। ଦେଶି ବନ୍ଧୁକ ଜବତ ଘଟଣାରେ ଗତକାଲି ପୋଲିସ ବୁରାତାଲ ପଞ୍ଚାୟତ ସରପଞ୍ଚଙ୍କ ପରିବାରର ମୁଖ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ହଜାର ହଜାର ଲିଟର ମଦ ପ୍ରସ୍ତୁତି କେବଳ ଜଣେ କରିଛନ୍ତି କି ? ଏପରି ବେଆଇନ ମଦ ପ୍ରସ୍ତୁତି ଓ ପାଣି ବୋତଲରେ ମଦ ଚୋରା ଚଲାଣ କେବଳ ଚଢ଼ାଉ ଦିନ ହୋଇଥିଲା ନାଁ ଆଗରୁ ଏହି କାରବାର ଚାଲିଥିଲା। ପୋଲିସ କିପରି ଜାଣିପାରୁ ନଥିଲା। ଏହି ଘଟଣା ପଛରେ ଥିବା ସମସ୍ତ ଅଭିଯୁକ୍ତ ଓ ମୁଖ୍ୟ ଆସାମୀ ମାନଙ୍କୁ ଆଇନ ଅନୁଯାୟୀ ଚିହ୍ନଟ କରି ଗିରଫ କରିବାକୁ ଦଳ ଦାବି କରିଛି। ଅନ୍ୟପକ୍ଷରେ ଘଟଣାରେ କୌଣସି ରାଜନୈତିକ ହସ୍ତକ୍ଷେପ ରହିଛି କି ନାହିଁ, ତାହାର ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ଦାବି ହୋଇଛି। ଏଥି ସହିତ ସ୍ଥାନୀୟ ବିଧାୟକ ଓ ଶାସକ ଦଳ କାହିଁକି ଚୁପ ବସିଛନ୍ତି। କେବଳ ଚିକିଟୀ ମଦ ମୃତ୍ୟୁ ଘଟଣାକୁ ଘଣ୍ଟ ଗୁଡାଇବା ପାଇଁ ଅବକାରୀ ଓ ପୋଲିସ ପକ୍ଷରୁ ବର୍ଷକୁ ଥରେ ଏପରି ଉପାନ୍ତ ଅଞ୍ଚଳରେ ଚଢ଼ାଉ କରି ବାହାବାହା ନେଉଛନ୍ତି ବୋଲି କହିଛନ୍ତି। ଏତେ ବଡ଼ ଅପରାଧୀକ ଘଟଣା ପରେ ମଧ୍ୟ ବିଧାୟକ ଚୁପ କାହିଁକି ? ଏହି କାରବାରରେ ବିଧାୟକଙ୍କ ପରୋକ୍ଷ ସଂପୃକ୍ତି କିମ୍ବା ଆଶୀର୍ବାଦ ରହିଛି କି ? କେଉଁ ଉଦ୍ଦେଶ୍ୟରେ ଅନ୍ୟ ଆସାମି ମାନଙ୍କୁ ଗିରଫ କରିବାରେ ବିଳମ୍ବ ହେଉଛି ବୋଲି ଶ୍ରୀରୁପ ଦେଓ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଜନସାଧାରଣଙ୍କ ଟିକସ ପଇସାରେ କୋଠଘର ନିର୍ମାଣ ହୋଇଥିବା ବେଳେ ଉକ୍ତ କୋଠାଘରେ ବେଆଇନ ମଦ ଓ ମାରଣାସ୍ତ୍ର କିପରି ଗଛିତ ରଖାଯାଇଥିଲା। ଏହି ବିଷୟରେ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗୋଷ୍ଟି ଉନ୍ନୟନ ଅଧିକାରୀ କିପରି ଜାଣି ପାରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ତେଣୁ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଏହି ବିଷୟରେ ତଦନ୍ତ କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି।ଅଞ୍ଚଳରେ ବେଆଇନ ମଦ ତିଆରି ଓ ଅନ୍ୟ ରାଜ୍ୟକୁ ଚୋରାଚାଲାଣ ଅଭିଯୋଗରେ କଡ଼ା ଯାଞ୍ଚ କରିବା ସହ ନିୟମ ଉଲ୍ଲଂଘନ କରୁଥିବା ଚୋରା ମଦ ଦୋକାନ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଦଳ ଦାବି କରିଛି। ସେହିପରି ଅଞ୍ଚଳରେ ମଦ ଓ ଅପରାଧ ନିୟନ୍ତ୍ରଣ ପାଇଁ ପ୍ରଶାସନ ଅଧିକ କଠୋର ପଦକ୍ଷେପ ନେବା ଆବଶ୍ୟକ ବୋଲି ଚିକିଟୀ ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ ଆଜିର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।