ଉମରକୋଟ ନ୍ୟାୟ ଦାବିରେ ଏସଡିପିଓଙ୍କୁ ଭେଟିଲା ଗୋଣ୍ଡୱାନା ଛାତ୍ର ସମାଜ,୧୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ………

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ରାଇଘର ଅଞ୍ଚଳରେ ଦୁଇ ଜଣଙ୍କ ପ୍ରତି କଥିତ ଅନ୍ୟାୟ, ଧମକ ଓ ଜାତିଆଣ ଆକ୍ଷେପ ଅଭିଯୋଗ ଘଟଣାରେ ନ୍ୟାୟ ଦାବି କରି ଗୋଣ୍ଡୱାନା ଯୁବ ଛାତ୍ର ସଂଗଠନର ଏକ ପ୍ରତିନିଧି ଦଳ ଶୁକ୍ରବାର ଉମରକୋଟ ଏସଡିପିଓ କାର୍ଯ୍ୟାଳୟରେ ପହଞ୍ଚି ଏସଡିପିଓ ଶୁଭେନ୍ଦୁ ଶବରଙ୍କୁ ଭେଟିଥିଲେ। ଏହି ଅବସରରେ ସଂଗଠନର କର୍ମକର୍ତ୍ତାମାନେ ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ନ୍ୟାୟ ଦାବି କରିଥିଲେ। ସୂଚନାନୁସାରେ, ରାଇଘର ଅଞ୍ଚଳର କିଷାନ ଗଣ୍ଡ ଓ ଜିତେନ୍ଦ୍ର ଗଣ୍ଡଙ୍କୁ ଜଣେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତି ଓ ତାଙ୍କ ସହଯୋଗୀମାନେ ଭୟଭୀତ କରିବା, ଧମକ ଦେବା, ଜୀବନରୁ ମାରିଦେବାକୁ ଧମକ ଦେବା ସହ ଜାତିଆଣ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଉଭୟ ପୀଡ଼ିତ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିବା କୁହାଯାଇଛି। ତେବେ ଘଟଣାକୁ ୪୧ ଦିନ ବିତିଥିଲେ ମଧ୍ୟ ପୁଲିସ ପକ୍ଷରୁ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଗୋଣ୍ଡୱାନା ଛାତ୍ର ସମାଜର ନେତାମାନେ ଅଭିଯୋଗ କରିଛନ୍ତି। କେବଳ ଜଣେ ବ୍ୟକ୍ତିଙ୍କ ବିରୋଧରେ ସାଧାରଣ ମାମଲା ରୁଜୁ କରି ପୁଲିସ ଚୁପ୍ ବସିଥିବା ସେମାନେ ଅଭିଯୋଗ କରିବା ସହ ଅଭିଯୋଗରେ ଉଲ୍ଲେଖିତ ଜାତିଆଣ ଆକ୍ଷେପକୁ ନେଇ ଆଦିବାସୀ ସମ୍ପର୍କିତ ଆଇନର ଉପଯୁକ୍ତ ଧାରାରେ ମାମଲା କାହିଁକି ରୁଜୁ ହୋଇନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ। ଅଭିଯୋଗ ଉପରେ ଏସଡିପିଓ ଶୁଭେନ୍ଦୁ ଶବର ଛାତ୍ର ନେତାମାନଙ୍କୁ ଘଟଣାର ତଦନ୍ତ ଚାଲିଥିବା ଏବଂ ତଦନ୍ତରେ ଯିଏ ଦୋଷୀ ପ୍ରମାଣିତ ହେବେ, ତାଙ୍କ ବିରୋଧରେ ଆଇନାନୁସାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆଶ୍ୱାସନ ଦେଇଥିବା ଜଣାପଡ଼ିଛି। ତେବେ ଆଗାମୀ ୧୦ ଦିନ ମଧ୍ୟରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ଗୋଣ୍ଡୱାନା ଛାତ୍ର ସମାଜ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଛାତ୍ର ନେତାମାନେ ଚେତାବନୀ ଦେଇଛନ୍ତି। ଏହି ଆଲୋଚନାରେ ଗୋଣ୍ଡୱାନା ଛାତ୍ର ସଂଘ ସଭାପତି ନକୁଳ ଗଣ୍ଡ, ପୂର୍ବତନ ସଭାପତି ବିଜୟ ଗଣ୍ଡ, ଜିତେନ୍ଦ୍ର ଗଣ୍ଡ, ଧନି ଗଣ୍ଡ, ପୂର୍ବତନ ଜୋନ ସଭାପତି ନରସିଂ ଗଣ୍ଡ, ପୂର୍ବତନ ଜୋନ ଉପସଭାପତି ଶମ୍ବୁ ଗଣ୍ଡ, ରାମପ୍ରସାଦ ଗଣ୍ଡ, ପିଙ୍କୁ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।
