May 15, 2026

ଏକ ନିରାଶାଜନକ ଓ ସମ୍ଵେଦନହୀନ ବଜେଟ୍..

IMG-20240723-WA0014
Share

 

ମୋଦି ସରକାରଙ୍କ ଗତ ଦଶ ବର୍ଷର ଶାସନ କାଳରେ ଦେଶରେ ଦରଦାମ୍, ବେକାରୀ ଓ ଆର୍ଥିକ ଅସମାନତା ସର୍ବୋଚ୍ଚ ସ୍ତରରେ ପହଞ୍ଚି ଥିବା ବେଳେ ଚଳିତ କେନ୍ଦ୍ର ବଜେଟରେ ତା’ର କୌଣସି ପ୍ରତିକାର କରାଯିବା ଦେଖିବାକୁ ମିଳିନି । ବଜେଟ୍ ଦେଶର କୃଷକ, ଶ୍ରମିକ, ଯୁବ ସମାଜ ଓ ମଧ୍ୟବିତ୍ତ ଶ୍ରେଣୀକୁ ଏକଦମ୍ ନିରାଶ କରିଛି ।

ବଜେଟରେ କୃଷି ଓ କୃଷକଙ୍କ ପାଇଁ ପ୍ରତାରଣା କରାଯାଇଛି । କୃଷି ପାଇଁ ଗତବର୍ଷ ୧.୫ ଲକ୍ଷ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ଚଳିତ ଥର ତାକୁ ୧.୫୨ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି । ଦେଶର ୪୫% ଲୋକ କୃଷିକ୍ଷେତ୍ରରେ ନିୟୋଜିତ ହୋଇଥିବା ବେଳେ କୃଷି ପାଇଁ ମୋଟ ବ୍ୟୟବରାଦ ୩%ରୁ କମ୍ ରହିଛି । ଛଅ ବର୍ଷ ତଳେ ସରକାର ପିଏମ୍ କିଶାନ୍ ଯୋଜନାରେ କୃଷକମାନଙ୍କୁ ବାର୍ଷିକ ମାତ୍ର ୬୦୦୦ ଟଙ୍କା ଦେଉଥିବା ବେଳେ ଚଳିତ ବଜେଟରେ ସେଥିରେ ଟଙ୍କାଟିଏ ବି ବୃଦ୍ଧି କରିନାହାନ୍ତି । ସେହିପରି ଗ୍ରାମାଞ୍ଚଳରେ କାମ ଯୋଗାଉଥିବା ମନରେଗା ଯୋଜନାରେ ଅନୁଦାନକୁ ଗତବର୍ଷ ଆଖିଦୃଶିଆ ହ୍ରାସ କରିଥିବା ବେଳେ ଚଳିତ ବଜେଟରେ ସେଥିରେ କୌଣସି ବୃଦ୍ଧି କରାଯାଇନାହିଁ । ଦେଶରେ ପ୍ରତିଦିନ ହାରାହାରି ୩୦ରୁ ଉର୍ଦ୍ଧ୍ଵ କୃଷକ ଋଣଭାରରେ ପଡି ଆତ୍ମହତ୍ୟା କରୁଥିବା ବେଳେ ଏବଂ ଗତ ଦଶ ବର୍ଷ ମଧ୍ୟରେ କର୍ପୋରେଟମାନଙ୍କ ୧୬ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣଛାଡ଼ କରାଯାଇଥିବା ବେଳେ ସରକାର ଚଳିତ ବଜେଟରେ କୃଷକଙ୍କ ଋଣଛାଡ଼ର କୌଣସି ଘୋଷଣା କରିନାହାନ୍ତି । କୃଷକମାନେ ଦାବି କରି ଆସୁଥିଲେ ମଧ୍ୟ ସେମାନଙ୍କ ଫସଲର ଏମଏସପିକୁ ଆଇନଗତ ମାନ୍ୟତା ଦିଆଯାଇନି ।

 

ବଜେଟରେ ସାମାଜିକ କ୍ଷେତ୍ରର ସବୁଠାରୁ ଖରାପ ସ୍ଥିତି ଦେଖିବାକୁ ମିଳିଛି । ୧୪୦ ଜନସଂଖ୍ୟା ବିଶିଷ୍ଟ ଦେଶରେ ସରକାର ଶିକ୍ଷା ପାଇଁ ମାତ୍ର ୧.୨୬ ଲକ୍ଷ କୋଟି ଓ ସ୍ଵାସ୍ଥ୍ୟସେବା ପାଇଁ ମାତ୍ର ୮୯,୦୦୦ କୋଟି ବ୍ୟୟବରାଦ କରିଛନ୍ତି । ଏହାର ଅର୍ଥ ହେଲା ସରକାର ନିଜର ଦାୟିତ୍ୱରୁ ଓହରି ଘରୋଇ କ୍ଷେତ୍ରର ଦୟାରେ ଦେଶର ଶିକ୍ଷା ଓ ସ୍ବାସ୍ଥ୍ୟସେବାକୁ ଛାଡିବାକୁ ଉଦ୍ୟମ କରିଛନ୍ତି । ସେହିପରି ଦେଶର ଗରିବ ଶ୍ରେଣୀର କୋଟି କୋଟି ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଗତ ୨୦୦୬ ମସିହାରେ ମାସିକ ଯେଉଁ ୧୦୦ ଟଙ୍କା ଧାର୍ଯ୍ୟ କରିଥିଲେ, ଚଳିତ ବଜେଟରେ ବି ସେଥିରେ କୌଣସି ବୃଦ୍ଧି ନକରି ନିଜର ସମ୍ଵେଦନହୀନତାକୁ ପ୍ରଦର୍ଶିତ କରିଛନ୍ତି ।

 

ମୋଦି ସରକାର ଅମଳରେ ଦେଶରେ ବେକାରୀ ସମସ୍ୟା ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ବେଳେ ସରକାର ରୋଜଗାର ସୃଷ୍ଟି କରିବା ନେଇ ଚଳିତ ବଜେଟରେ କୌଣସି ଘୋଷଣା କରିନାହାନ୍ତି । କେବଳ ରୋଜଗାର ପାଇବା ପରେ ଯାଇ ଗୋଟିଏ ମାସର ଦରମା ଦେବା ପରି କିଛି ଆର୍ଥିକ ପ୍ରୋତ୍ସାହନର କଥା କହିଛନ୍ତି ।

 

*ଭାଲଚନ୍ଦ୍ର ଷଡ଼ଙ୍ଗୀ*

ସ୍ତମ୍ଭକାର