August 26, 2026

ପଲ୍ଲୀଶ୍ରୀ କଥାର ଏକାଦଶ ସ୍ୱନକ୍ଷତ୍ର ଦିବସ:ଦେଶ ଭକ୍ତି ଓ ପରିବେଶକୁ ଗୁରୁତ୍ୱ 

Share

 

ସମ୍ବଲପୁର: ଜାତୀୟ ସ୍ତରରେ ୭୫ତମ ବନ ମହୋତ୍ସବର “ମାଁ ଙ୍କ ପାଇଁ ଗଛଟିଏ ” ଅଭିଯାନ ପରିପ୍ରେକ୍ଷୀରେ “ପଲ୍ଲିଶ୍ରୀ କଥା” ପାକ୍ଷିକ ଖବରକାଗଜର ଏକାଦଶ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ଏବଂ ଗୋଶାଳା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ପୂର୍ବାହ୍ନରେ ସ୍ମୃତି ସମ୍ୱର୍ଦ୍ଧନା ସଭା, ବୃକ୍ଷଚାରା ରୋପଣ ଓ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

 

ପଲ୍ଲିଶ୍ରୀକଥା ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ସମାଜସେବୀ ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର ସଭାପତିତ୍ୱ କରିଥିବା ବେଳେ ଧନକଉଡ଼ାବ୍ଲକ କଳାମାଟି ପଞ୍ଚାୟତର ସରପଞ୍ଚ ଡ଼ଃ.ସୁଷମା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ |ଗୋଶାଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତାକାନ୍ତି ପାଣିଗ୍ରାହୀ ଓ ସମାଜସେଵୀ ଶ୍ରୀଯୁକ୍ତ ବାଳକୃଷ୍ଣ ସାହୁ ସମ୍ମାନୀତ ଅତିଥି ଭାବରେ ଏବଂ ବିଶିଷ୍ଟ ସାହିତ୍ୟିକ କବି ସୁଶାନ୍ତ କୁମାର ଶତପଥି ମୁଖ୍ୟବକ୍ତା ଭାବରେ ଓ ସାମାଜିକ କର୍ମୀ ରାମକୃଷ୍ଣ ନାୟକ ସମ୍ମାନୀତ ବକ୍ତା ଭାବରେ ଯୋଗ ଦେଇ ଦେଶର ଲକ୍ଷାଧିକ ସ୍ବାଧୀନତା ସଂଗ୍ରାମୀ, କ୍ରାନ୍ତିକାରୀ, ଅମର ସହିଦ୍, ମୁକ୍ତି ସଂଗ୍ରାମୀ ମାନଙ୍କର ଅସୀମ ତ୍ୟାଗ ଓ ବଳିଦାନ ଫଳରେ ଦେଶ ସ୍ବାଧୀନ ହୋଇଥିବାରୁ ସମସ୍ତଙ୍କୁ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରିବା ଆମର ପରମ କର୍ତ୍ତବ୍ୟ ଏବଂ ସେମାନଙ୍କ ଜୀବନାଦର୍ଶରୁ ପ୍ରେରଣା ଗ୍ରହଣ କରି ନୂତନ ପିଢ଼ି ଦେଶ ଗଠନ କାର୍ଯ୍ୟରେ ନିଜକୁ ସମର୍ପିତ କଲେଯାଇ ମୁକ୍ତି ସଂଗ୍ରାମୀ ମାନଙ୍କର ସ୍ବପ୍ନର ଭାରତ ସାକାର ହୋଇପାରିବ ବୋଲି ଅତିଥି ମାନେ ନିଜ ଉଦବୋଧନରେ କହିଥିଲେ |

 

ମୁଖ୍ୟ ଅତିଥି ଏବଂ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ପଶ୍ଚିମାଞ୍ଚଳର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ, ଧୂପଦୀପ ଦ୍ୱାରା ପୂଜାର୍ଚ୍ଚନା ପରେ ଗୋଶାଳା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସଂସ୍କୃତ ଭାଷାରେ ପ୍ରାରମ୍ଭିକ ସ୍ୱାଗତ ସଂଗୀତ ଗାନ କରିଥିଲେ | ଆକାଶବାଣୀ ତଥା ଦୂରଦର୍ଶନର ସୁନାମଧନ୍ୟ କଣ୍ଠଶିଳ୍ପୀ କାହ୍ନୁ କେଶବ ବହିଦାର ପରିବେଶ ସୁରକ୍ଷା ଉପରେ ଏକ ସୁନ୍ଦର ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ |

 

ସମାରୋହରେ ଉପସ୍ଥିତ ଶତାଧିକ ଛାତ୍ରଛାତ୍ରୀ, ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ମାନଙ୍କୁ ସଭାପତି ସଂସ୍କୃତିରତ୍ନ ଶ୍ରୀବହିଦାର ପଞ୍ଚପ୍ରଣ ଶପଥ ପାଠ କରାଇବା ପରେ ସାଧାରଣ ସମ୍ପାଦକ ହରି ଶଙ୍କର ମିଶ୍ର ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ | ସହକାରୀ ଶିକ୍ଷକ ରୋମାଞ୍ଚଳ ବିଶ୍ୱାଳ, ଆଇମନ୍ ଫର୍ହୀନ ଓ ଯଶସ୍ବିନୀ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ | ମୁଖ୍ୟଅତିଥି ଡ଼ଃ ସାହୁ ନିଜ ବକ୍ତବ୍ୟରେ “ମାଁ ଙ୍କ ପାଇଁ ଗଛଟିଏ” ଅଭିଯାନ ଓ ବନ ମହୋତ୍ସବ ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ | ଛାତ୍ରଛାତ୍ରୀ ମାନେ ବୃକ୍ଷ ରୋପଣ କରି ତାର ଉପଯୁକ୍ତ ଯତ୍ନ ଓ ରକ୍ଷଣା ବେକ୍ଷଣ କରିବାକୁ ସେ ପରାମର୍ଶ ଦେଇଥିଲେ |

 

ବିଶିଷ୍ଟ ଅତିଥି କାରଗିଲ୍ ଯୁଦ୍ଧର ବୀରଯୋଦ୍ଧା ସୁବେଦାର୍ ମେଜର ଶିବ ନାରାୟଣ ବେହେରାଙ୍କୁ ଏହି ଅବସରରେ ସମ୍ୱର୍ଦ୍ଧନା ଦିଆ ଯାଇଥିଲା | ପୂର୍ବରୁ ଅନୁଷ୍ଠିତ ଛାତ୍ରଛାତ୍ରୀ ମାନଙ୍କର ଦେଶାତ୍ମବୋଧକ ଗୀତ ଗାୟନ, ଚିତ୍ରାଙ୍କନ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ବୃନ୍ଦ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ |

ଉତ୍ସବରେ କାହ୍ନୁ କେଶବ ବହିଦାର,ଜୟପ୍ରଭା ପଟ୍ଟନାୟକ,ସଂଯୁକ୍ତା ପ୍ରଧାନ ଓ ସୁଶ୍ରୀ ଆରାଧନା ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା|ଉତ୍ସବର ସଫଳ ଆୟୋଜନରେ ବିଦ୍ୟାଳୟର ଶୁଭଲକ୍ଷ୍ମୀ ହୋତା, ସଲିଳ ପାଣିଗ୍ରାହୀ, ସସ୍ମିତା ସାହୁ, କିରଣ ପ୍ରଧାନ, ଚୋଡ଼ଗଙ୍ଗ ବିଶ୍ୱାଳ, ଶୁଚିସ୍ମିତା ପାତ୍ର ପ୍ରମୁଖ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ | ସୁବେଦାର ମେଜର ରବୀନ୍ଦ୍ର କୁମାର ପ୍ରଧାନ, ସୁବେଦାର ବିକାଶ ପଣ୍ଡା, ସବିତା ମିଶ୍ର, ତୃପ୍ତିମୟୀ ମିଶ୍ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ |

ସାମୁହିକ ଜାତୀୟ ସଂଗୀତ ଗାନ ପରେ ସାଧାରଣ ସମ୍ପାଦକ ଶ୍ରୀମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ

You may have missed