October 24, 2026
IMG-20261022-WA0014
Share

ଲାଞ୍ଜିଗଡ଼, ୨୨।୧୦ (ପୁରନ୍ଦର ଦଣ୍ଡସେନା): ଦୁଇ ମାସ ଧରି ପାନୀୟ ଜଳ ସମସ୍ୟାର ସମାଧାନ ହୋଇ ନ ଥିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ କଳାକୂପା ଗ୍ରାମରେ ଦେଖାଦେଇଥିବା ପାନୀୟ ଜଳ ସମସ୍ୟାର ପ୍ରତିବାଦରେ ଗ୍ରାମବାସୀ ରାୟଗଡ଼ା-ବିଶ୍ୱନାଥପୁର ସଂଯୋଗକାରୀ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ ପ୍ରାୟ ୫ ଘଣ୍ଟା ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସୂଚନା ଅନୁଯାୟୀ, କଳାକୂପା ଗ୍ରାମରେ ଗତ ଦୁଇ ମାସ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି। ଦୀର୍ଘ ଦିନ ଧରି ସମସ୍ୟାର ସମାଧାନ ହୋଇ ନ ଥିବାରୁ ଗ୍ରାମବାସୀ ଶେଷରେ ରାସ୍ତାରୋକ କରି ପ୍ରତିବାଦ ଜଣାଇଥିଲେ।

ଖବର ପାଇ ବିଜେପୁର ସରପଞ୍ଚ ଜନନୀ ମାଝୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ସାତ ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ।

ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ପୁନର୍ବାର ରାସ୍ତାରୋକ କରିବା ସହ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଏହି ଆନ୍ଦୋଳନରେ ଟେକୁରାମ ପାଣି, ପୂର୍ଣ୍ଣଚନ୍ଦ୍ର ମାଝୀ, ରମେଶ କରୁଆଁ, ଦେବଗିରି ନାଏକ, ମଦନ ମାଝୀ, ଧାନବୋଇ ମାଝୀ, ରବି ମାଝୀ, ଚନ୍ଦନା ନାଏକ, ପଦ୍ମା ବିଭାର, ଲକ୍ଷ୍ମୀ ନାଏକ, ରୂପାଦେଇ ମାଝୀ, ତିତିଲା କରୁଆଁ ଓ ହେମଲତା ବାଗଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ।

 

*ଲାଞ୍ଜିଗଡ଼ ରୁ ପୁରନ୍ଦର୍ ଦଣ୍ଡସେନା ଙ୍କ ରିପୋର୍ଟ ନିୟୁଜ୍ ଉପାନ୍ତ ଖବର*