ଗୋଡଭଗା-ତୁରୁମ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିମୂଳକ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ
ଅତାବିରା
ଓଡ଼ିଶା ରାଜ୍ୟ ସରକାରଙ୍କ ଅଧିନସ୍ଥ ଗୋଡଭଗାରୁ ତୁରୁମ ପର୍ଯ୍ୟନ୍ତ ୨୦ କିମି ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତି ମୂଳକ କାର୍ଯ୍ୟ ଆରମ୍ଭ ନିମନ୍ତେ ଆଜି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଗୋଡଭଗା କେମ୍ପ୍ଠାରେ ଅନୁଷ୍ଠିତ ହୋଇଥିଲା। ଅତାବିରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ନିହାର ମହାନନ୍ଦ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସ୍ଥାନୀୟ ଜନସାଧାରଣ, ଦୂର୍ଗାପୂଜା କମିଟିର କୁଳମଣି ପ୍ରଧାନ, ରାମକୃଷ୍ଣ ଅଗ୍ରୱାଲ, ଅନିରୁଦ୍ଧ ଖମାରୀ ଓ ଗୋଡଭଗା ନାଗରିକ କମିଟିର ସଭାପତି ସୁରେଶ ଦାଶ, ଲାୟନ୍ସ୍ କ୍ଲବ୍ର ଡ଼.ଚିତ୍ତରଞ୍ଜନ ଜେନା, ଦେବବ୍ରତ ରଥ, ବଜରଙ୍ଗ ଦଳର କର୍ମକର୍ତ୍ତା, ବରଗଡ଼ ପୂର୍ତ୍ତ ବିଭାଗର ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର, ସ୍ଥାନୀୟ ପୋଲିସ ପ୍ରଶାସନ ତଥା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଅଞ୍ଚଳର ବରିଷ୍ଠ ନାଗରିକ ସମାଜସେବୀ ନାରାୟଣ ଭୋଇ ଓ କୃଷ୍ଣଚନ୍ଦ୍ର ନନ୍ଦ ରାସ୍ତା ପ୍ରଶସ୍ତିକରଣରେ ବିସ୍ଥାପିତ ହେବାକୁ ଥିବା କେନାଲ ହୁଡ଼ାରେ ବସବାସ ପୂର୍ବକ ଛୋଟମୋଟ ବେପାର କରି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ଥଇଥାନ ତଥା କ୍ଷତିପୂରଣ ପାଇଁ ବିଧାୟକ ମହାନନ୍ଦ ମହୋଦୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସରକାରଙ୍କ ସହ ଆଲୋଚନା କରି ଏଦିଗରେ ପଦକ୍ଷେପ ନେବାକୁ ମାନ୍ୟବର ବିଧାୟକ କହିଥିଲେ।
