ସମ୍ଭାବ୍ୟ ବାତ୍ୟାକୁ ନେଇ କଳା ବଜାରୀ ସକ୍ରିୟ , ପରିବା ଦର ବୃଦ୍ଧି, ଆଳୁ ଗାଏବ୍
ବୁଗୁଡ଼ା : ତା ୨୨/୧୦/୨୪ : ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ଯା ‘ଦାନା’ ସମ୍ପର୍କେ ପାଣିପାଗ ବିଭାଗର ସୂଚନା ପରେ ବୁଗୁଡ଼ା ସହରରେ ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର ଆରମ୍ଭ ହୋଇଛି। ଆବଶ୍ୟକତାଠାରୁ ଅଧିକ ସାମଗ୍ରୀ ବୋହି ନେବା କାରଣରୁ ସାମଗ୍ରୀର ଦର ଆଜି ବୃଦ୍ଧି ଘଟିଛି । ବିଶେଷକରି ପରିବା ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।
ତେବେ ରାସନ ସାମଗ୍ରୀ ଦରଦାମ ନିୟନ୍ତ୍ରିତ ରହିଛି ।
ଗଞ୍ଜାମ ଜିଲ୍ଲାରେ ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାତ୍ୟା ଓ ପ୍ରବଳ ବର୍ଷା ପୂର୍ବାନୁମାନର ପ୍ରଭାବ ବୁଗୁଡା ବଜାରରେ ଦେଖିବାକୁ ମିଳିଛି । ମଙ୍ଗଳବାର ସକାଳୁ ପରିବା ବଜାରରେ ସମସ୍ତ ପରିବା ସହ ଆଳୁ ଓ ପିଆଜ ଦର ବୃଦ୍ଧି ହୋଇଛି । ସକାଳୁ ଗ୍ରାମଞ୍ଚଳ ସମେତ ସହରର କ୍ଷୁଦ୍ର ବ୍ୟବସାୟୀମାନେ ବାତ୍ୟାକୁ ନଜରରେ ରଖି ଆଳୁ ଓ ପିଆଜ ବୋହି ନେବାରେ ଲାଗିଥିଲେ। ଜଣେ ଜଣେ ବ୍ୟବସାୟୀ ୫ରୁ ୬ ବସ୍ତା ଆଳୁ ବୋହି ନେଇଛନ୍ତି । ଗତକାଲି ବଜାରରେ ଆଳୁ ଦର କିଲୋଗ୍ରାମ ପ୍ରତି ୩୦ ରହିଥିବା ବେଳେ ଆଜି ୪୦ ଟଙ୍କାରେ ପହଞ୍ଚିଛି ଏବଂ ପିଆଜ ୫୦ରୁ ବୃଦ୍ଧିପାଇ ୬୦ ଟଙ୍କା ହୋଇଛି । ସେହିପରି ସମସ୍ତ ପରିବା ଦର ମଧ୍ୟ ବୃଦ୍ଧି ହୋଇଛି। ଏ ପରିପ୍ରେକ୍ଷୀରେ ଆଜି ବଜାରରେ ଟମାଟ ୬୦ ଟଙ୍କା , ବାଇଗଣ ୫୦ ଟଙ୍କା, କାଙ୍କଡ଼ ୮୦ ଓ ଦେଶୀ କାଙ୍କଡ଼ ୧୬୦ ଟଙ୍କା , ଫୁଲ କୋବି ୮୦ ଟଙ୍କା , ବିନ୍ସ ଓ ମରିଚ ସାରୁ ଓ ତୋରଡା ୪୦ ଟଙ୍କା, ୧୦୦ ଟଙ୍କା, ପୋଟଳ ୬୦ ଟଙ୍କା, ଝୁଡ଼ଙ୍ଗ ଓ ବନ୍ଧାକୋବି ୫୦ ଟଙ୍କା, ଜହ୍ନି ୪୦ ଟଙ୍କା, ଭେଣ୍ଡି ୫୦ ଟଙ୍କା, କଲରା ଓ କଦଳୀ ୪୦ ଟଙ୍କାରେ ବିକ୍ରି ହେଉଛି । ଗ୍ରାମାଞ୍ଚଳରେ ଏହି ସାମଗ୍ରୀର ଦର ଆହୁରି ଅଧିକ ରହିଛି । ଯାହା ଖାଉଟିଙ୍କୁ ଅଡୁଆରେ ପକାଇଛି। ବାତ୍ୟା ପାଇଁ ଅତ୍ୟଧିକ ସାମଗ୍ରୀ ବୋହି ନେଉଥିବା ଏବଂ ଦର ବୃଦ୍ଧି ଘଟିଥିଲେ ମଧ୍ୟ ଯୋଗାଣ ବିଭାଗ କର୍ଯ୍ୟାନୁଷ୍ଠାନ ଗ୍ରହଣ ବଦଳରେ ଧୃତରାଷ୍ଟ୍ର ସାଜିଛି । ସ୍ଥାନୀୟ ହୋଲସେଲ ରାସନ ସାମଗ୍ରୀ ବ୍ୟବସାୟୀମାନେ କହିଛନ୍ତି ଯେ ଗତ ମାସରୁ ସମସ୍ତ ସାମଗ୍ରୀର ଦର ବୃଦ୍ଧି ହୋଇଛି । ଏବେ ବାତ୍ୟାକୁ ନେଇ
ବଜାରରେ କୌଣସି ପ୍ରଭାବ ପଡ଼ିନାହିଁ । ତେବେ କେତେକ ନ୍ଯସ୍ତସ୍ବାର୍ଥ ବ୍ଯବସାୟୀଙ୍କ ଯୋଗୁଁ ପରିବା ଦର ବୃଦ୍ଧି ସାଙ୍ଗକୁ ବଜାରରୁ ଆଳୁ ଓ ପିଆଜର କୃତିମ ଅଭାବ ଘଟିଥିବା ନେଇ ଅଭିଯୋଗ ହେଉଥିବାରୁ ଏ ଦିଗରେ ପ୍ରଶାସନିକ ପଦକ୍ଷେପ ଗ୍ରହଣ ନିମନ୍ତେ ସାଧାରଣରେ ଦାବି ହେଉଛି।