November 15, 2024

ବାତ୍ୟାରେ ଫସଲ ନଷ୍ଟ ଆଶଙ୍କା, ଚିନ୍ତାରେ ଚାଷୀ 

Share

ବୁଗୁଡା : ତା ୨୨/୧୦/୨୪ : ସମ୍ଭାବ୍ୟ ବାତ୍ୟା ’ଦାନା’ ପାଇଁ ଫସଲ ନଷ୍ଟ ଆଶଙ୍କାରେ ଚାଷୀକୁଳ । ସୂଚନା ଅନୁଯାୟୀ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ବାତ୍ୟାରେ ପରିଣତ ହୋଇ ତାଣ୍ଡବ ରଚିବାକୁ ଯାଉଥ‌ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବା ନେଇ

ବିଭାଗ ଅନୁମାନ କରାଯାଇଛି । ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଫସଲ ହାନିକୁ ନେଇ ଚିନ୍ତାରେ ପଡିଛି ଚାଷୀ । କାରଣ ଧାନ ଫସଲ ଏବର୍ଷ ଭଲ ହୋଇଥ‌ିବା ବେଳେ ଅଧିକାଂଶ ଧାନଗଛରେ ଧାନ ବାହାରୁଚି କିମ୍ବା ବାହାରିବାକୁ ଯାଉଛି । ଏପରି ପରିସ୍ଥିତିରେ ଯଦି ମେଘ ପବନ ହୁଏ ତେବେ ଗଛ ସବୁ ପଡ଼ିଯିବ ଏବଂ ଏହା ଫଳରେ ଫସଲ ନଷ୍ଟ ହେବା ନିଶ୍ଚିତ ବୋଲି ସ୍ଥାନୀୟ ଯାଦବ ସାହିର ଚାଷୀମାନେ ମତ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବହୁ ତଳିଆ ଅଞ୍ଚଳ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାକୁ ଆସିଯିବ ।

ଏଇ ଭାବନାକୁ ନେଇ ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । କେବଳ ସେତିକି ନୁହେଁ ବାଡି ବଗିଚା, ରାସ୍ତାଘାଟ ସବୁକିଛି ଅସ୍ଵାଭାବିକ ଅବସ୍ଥାକୁ ଆସିଯିବ । ପ୍ରତିବର୍ଷ ଲଗାଣ ବର୍ଷାରେ ଏହି ଅଞ୍ଚଳର ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏବେ ସମ୍ଭାବ୍ୟ ବାତ୍ୟା ଖବର ସେମାନଙ୍କୁ ଆତଙ୍କିତ କରିଥିବା ଜଣାଯାଇଛି।