September 22, 2026

ସମ୍ଭାବ୍ୟ ଗଭୀର ଅବପାତ ଓ ବର୍ଷାର ମୁକାବିଲା ପାଇଁ ବ୍ଲକ ସ୍ତରୀୟ ପ୍ରସ୍ତୁତି..

IMG-20260922-WA0090
Share

 

ମୋହନା(ଜୁନେସ ଶବର)

ଗଜପତି ଜିଲ୍ଲାରେ ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି।ଏନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ରେଡ୍ ଜୋନ୍ ଥିବା ହେତୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ତୀବ୍ର ବେଗରେ ପବନ ହେବାର ସମ୍ଭାବନା ରହିଛି। ସେଥି ନେଇ ଜିଲ୍ଲା,ବ୍ଲକ୍ ଓ ତହସିଲ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରଖିବା ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟାଳୟରେ ଉପସ୍ଥିତ ରହିବା ସହ ମୁଖ୍ୟାଳୟ ନଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନିଶମ ବାହିନୀକୁ ମଧ୍ୟ ଆବଶ୍ୟକ ସ୍ଥଳେ ତୁରନ୍ତ ମୁତୟନ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକର ଯାଞ୍ଚ କରି ଆବଶ୍ୟକ ମରାମତି,ବିଦ୍ୟୁତ୍ ଓ ଜେନେରେଟର ବ୍ୟବସ୍ଥା, ପାନୀୟ ଜଳ ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବାକୁ ସାତଟି ବ୍ଲକ୍‌ର ବିଡିଓ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ଭୂସ୍ଖଳନ ପ୍ରବଣ ଅଞ୍ଚଳ, ପାହାଡ଼ ତଳେ ରହୁଥିବା ଲୋକ,ତଳିଆ ଅଞ୍ଚଳ ଓ ଦୁର୍ବଳ କିମ୍ବା କଚ୍ଚା ଘରେ ରହୁଥିବା ପରିବାରଙ୍କୁ ଆବଶ୍ୟକ ସ୍ଥଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା। ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଆବଶ୍ୟକ ସାମଗ୍ରୀ ଯୋଗାଣ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗର୍ଭବତୀ ମହିଳାଙ୍କୁ ଆବଶ୍ୟକତା ଅନୁଯାୟୀ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ମା’ ଗୃହକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ରହିଛି।ସେହିପରି ଚୁଡ଼ା,ଗୁଡ଼,ଚିନି, ମହମବତୀ, କିରୋସିନ,ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ରଖିବାକୁ କୁହାଯାଇଛି।

ପ୍ରବଳ ବର୍ଷା ସମୟରେ ଜନସାଧାରଣ ଅନାବଶ୍ୟକ ଭାବେ ବାହାରକୁ ନ ବାହାରିବା ଏବଂ ନଦୀ, ନାଳ ଓ ଅନ୍ୟାନ୍ୟ ଜଳାଶୟ ନିକଟକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି। ବ୍ଲକ୍, ଗ୍ରାମପଞ୍ଚାୟତ ଓ ଗ୍ରାମ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ଏହି ନିର୍ଦେଶ କାର୍ଯକାରୀ କରିବାକୁ ଯାଇ ମୋହନା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ଦାସ ନିଜ ସହକର୍ମୀ ମାନଙ୍କ ସହ ବ୍ଲକ ର ସମସ୍ତ ବିଭାଗ ର ଅଧିକାରୀ ମାନଙ୍କୁ ନିଜ ନିଜ କାର୍ଯ୍ୟ ରେ ସହଯୋଗ କରିବା ନିମନ୍ତେ ନିର୍ଦେଶ ଦେଇଛନ୍ତି। ବିଡ଼ିଓ ମୋହନା ମୋହନା ବ୍ଲକ ରେ ଥିବା ୩୯ଟି ଗ୍ରାମ ପଞ୍ଚାୟତ ରେ ବିଭାଗୀୟ କର୍ମଚାରୀ ମାନଙ୍କୁ ସଜାଗ କରି ପରିସ୍ଥିତିକୁ ମିକାବିଲା କରିବା ନିମନ୍ତେ ନିର୍ଦେଶ ଦେଇଛନ୍ତି। ଏହା ସହିତ ପୂର୍ତ୍ତ, ଅଗ୍ନି, ଗ୍ରାମ୍ୟ ଉନ୍ନୟନ, ବନ ବିଭାଗ, ପୋଲିସ, ଭେଟେନାରୀ, ବିଦ୍ୟୁତ ବିଭାଗ ସହ ଯୋଗସୁତ୍ର କରି ବାତ୍ୟା ପରିସ୍ଥିତି ମୁକାବିଲା କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି। ଏହା ସଙ୍ଗେ ଗଜପତି ଜିଲ୍ଲାପାଳ ଜିଲ୍ଲାରେ ଥିବା ସମସ୍ତ ବ୍ଲକ ଗସ୍ତ କରିଥିବା ମଧ୍ୟ ଦେଖିବାକୁ ମିଳିଛି।ଜିଲ୍ଲା ସ୍ତରୀୟ ବୈଠକରେ

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ଶ୍ରୀମତୀ ଭଗତ ସାମଲ କଲ୍ୟାଣରାଓ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ବିନାୟକ ରାଉଳଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ସମସ୍ତ ବିଡିଓ, ତହସିଲଦାର ଓ ଲାଇନ୍ ବିଭାଗୀୟ ଅଧିକାରୀ ଆଭାସୀ ବୈଠକରେ ଯୋଗ ଦେଇଥିଲେ।