ଏନସିସି ଛାତ୍ରୀ ଉଷଶ୍ରୀ ଖାଡ଼ଙ୍ଗା ସମ୍ବର୍ଦ୍ଧିତ
ବୁଗୁଡ଼ା : ତା ୨୨/୦୯/୨୬ : (ହର ପ୍ରସାଦ ପାଢି) ସ୍ଥାନୀୟ ପିପୁଲ୍ସ କଲେଜରେ ଅଧ୍ଯୟନରତ ଉଦ୍ଭିଦ ବିଜ୍ଞାନ ବିଭାଗୀୟ ଦ୍ବିତୀୟ ବର୍ଷ ଛାତ୍ରୀ ଉଷଶ୍ରୀ ଖାଡ଼ଙ୍ଗା ନୂଆଦିଲ୍ଲୀଠାରେ ଏନସିସି ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ଥଲ୍ ସୈନିକ କ୍ଯାମ୍ପରେ ଯୋଗଦାନ ସହ ଜଡ୍ଜିଙ୍ଗ୍ ଡିସଷ୍ଟାଂଶ ଇଭେଣ୍ଟରେ କୃତିତ୍ବ ହାସଲ କରି କଲେଜ ପାଇଁ ଗୌରବ ଆଣିଛନ୍ତି। ଉଷଶ୍ରୀ କଲେଜ ଏନସିସିର ଜଣେ ଶୃଙ୍ଖଳିତ କ୍ଯାଡେଟ୍ ହୋଇଥିବା ବେଳେ ତାଙ୍କର କୃତିତ୍ବ ପାଇଁ ତାଙ୍କୁ କଲେଜ ତରଫରୁ ଶୁଭେଚ୍ଛା ଜ୍ଞାପନ ସହ ଅଧ୍ଯକ୍ଷ ଭଗବାନ ଶତପଥୀଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। ବୁଗୁଡା ବ୍ଲକ ବାଲିପଦର ପଞ୍ଚାୟତ ଅନ୍ତର୍ଗତ ସଦାଶିବପୁର ଶାସନ ନିବାସୀ କାଳି ପ୍ରସାଦ ଖାଡ଼ଙ୍ଗା ଓ ସଙ୍ଗୀତା କୁମାରୀ ଖାଡ଼ଙ୍ଗାଙ୍କ ସୁକନ୍ୟା ଉଷଶ୍ରୀ ତାଙ୍କର ଏହି ସଫଳତା ପଛରେ ନିଜର ଦୃଢ ଅନୁରାଗ ଏବଂ ଏନସିସି ଅଫିସର ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ଯଥୋଚିତ ମାର୍ଗ ଦର୍ଶନ ରହିଥିବା ଦର୍ଶାଇ ଭବିଷ୍ୟତରେ ଭାରତୀୟ ସେନା ବାହିନୀରେ ଯୋଗ ଦେଇ ଦେଶ ମାତୃକାର ସେବା କରିବାକୁ ମନସ୍ଥ କରିଥିବା ନେଇ ମତବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ଜଣାଯାଇଛି।
