September 22, 2024

ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ…

Share

     *ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ

*ଇଣ୍ଡିଆନ ଫେଡରେସନ ଅଫ୍ ଟ୍ରେଡ଼ ୟୁନିଅନ(IFTU)*

* କେନ୍ଦ୍ର ସରକାର ଙ୍କ ଦ୍ୱାରା ଚାରି ଲେବର କୋଡ଼ ବାତିଲ ଦାବୀ

* ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଛଟେଇ ବନ୍ଦକରି, ସ୍ଥାୟୀ ନିଯୁକ୍ତି ଦାବୀ

 

ସର୍ବ ଭାରତୀୟ ଶ୍ରମିକ ସଂଗଠନ ଇଣ୍ଡିଆନ ଫେଡେରେସନ ଅଫ୍ ଟ୍ରେଡ଼ ୟୁନିଅନସ୍ (ଆଇଏଫଟିୟୁ) ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ ସଂଗଠନର ରାଜ୍ୟ ସଭାପତି ପ୍ରତାପ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଲୋଚାପଡ଼ା ସ୍ଥିତ ଡମ୍ବରୁ କଲ୍ୟାଣ ମଣ୍ଡପ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି I ଆଇଏଫଟିୟୁ ରାଜ୍ୟ କମିଟି ସହିତ ଅନୁବନ୍ଧିତ ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଙ୍ଘମାନଙ୍କର ନେତୃତ୍ୱକାରୀ ସାଥିମାନେ ପ୍ରତିନିଧି ମୂଳକ ଭାବେ ଅଂଶଗ୍ରହଣ ନିଜ ନିଜ କ୍ଷେତ୍ରର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିଥିଲେ । ବୈଠକରେ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଜନ ବିରୋଧି ତଥା ଶ୍ରମିକ କର୍ମଚାରୀ ମାରଣ ନୀତି ବିରୁଦ୍ଧରେ ଆଗାମୀ ଦିନରେ ଲଢେଇ କରିବାକୁ ନିଷ୍ପତ୍ତି ନିଆଯାଇଥିଲା I ରାଜ୍ୟର ନୂଆ ସରକାର ଖାଲି ପଡିଥିବା ୨.୨୫ ଲକ୍ଷ ସରକାରୀ ପଦପଦବୀକୁ ବର୍ଷ ବର୍ଷ ଧରି ସରକାରୀ ସେବାରେ ଠିକା ଓ ଆଉଟସୋର୍ସିଂ ଜରିଆରେ ନିଯୁକ୍ତ କର୍ମଚାରୀଙ୍କୁ ନିୟମିତ କରି ପୂରଣ କରିବାକୁ ଦାବି କରାଯାଇଥିଲା । ଏତଦବ୍ୟତୀତ ଗତ ସରକାର ସମୟରେ ବିଭିନ୍ନ ଶ୍ରେଣୀର କର୍ମଚାରୀଙ୍କ ନିଯୁକ୍ତି ଓ ଦରମା ବୃଦ୍ଧି ସମ୍ପର୍କିତ ନିଷ୍ପତିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ଦାବି କରାଯାଇଥିଲା ।

କେନ୍ଦ୍ର ସରକାରଙ୍କ ଦ୍ୱାରା କର୍ପୋରେଟମାନଙ୍କ ସ୍ଵାର୍ଥରେ ଶ୍ରମିକ ଓ କର୍ମଚାରୀମାନଙ୍କ ୪୪ଟି କଷ୍ଟଲବ୍ଧ ଶ୍ରମ ଆଇନର ଉଚ୍ଛେଦ କରି ଯେଉଁ ଚାରୋଟି ଶ୍ରମ ସଂହିତା ପ୍ରଣୟନ କରାଯାଇଥିଲା, ତା’ର ଚାରି ବର୍ଷ ପୂର୍ତ୍ତି ଅବସରରେ ଆଇଏଫଟିୟୁର ଜାତୀୟ କମିଟି ଦ୍ୱାରା ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ସର୍ବଭାରତୀୟ ପ୍ରତିବାଦ ଦିବସ ସଫଳ କରିବାକୁ ସ୍ଥିର ହୋଇଥିଲା ।

ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇଏଫଟିୟୁର ଜାତୀୟ ସମ୍ପାଦକ ଟି. ଶ୍ରୀନିବାସ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ନୀତିର ତୀବ୍ର ସମାଲୋଚନା କରିଥିଲେ । ସରକାରଙ୍କ ଘରୋଇକରଣ ଓ ଠିକାକରଣ ନୀତି ଲାଗି ଆଜି ଦେଶର ରେଳ, ବ୍ୟାଙ୍କ୍, ବୀମା, କୋଇଲା, ଏନଟିପିସି ପରି ସାର୍ବଜନୀନ କ୍ଷେତ୍ରରେ ନିୟମିତ କର୍ମଚାରୀଙ୍କ ସଂଖ୍ୟା କମି ଚାଲିଥିବା ବେଳେ ଅସ୍ଥାୟୀ, ଠିକା ଓ ଆଉଟସୋର୍ସିଂ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତିନି କଳା ଆଇନ ବିରୁଦ୍ଧରେ କୃଷକମାନଙ୍କ ଐତିହାସିକ ଲଢେଇ ପରି ଦେଶର ୫୦ କୋଟି ଶ୍ରମିକ କର୍ମଚାରୀ ଦରଦାମ୍ ବୃଦ୍ଧି, ଚାରି ଶ୍ରମକୋଡ୍ ଓ ସରକାରଙ୍କ ଶ୍ରମିକ ବିରୋଧି ନୀତି ବିରୁଦ୍ଧରେ ଏକତାବଦ୍ଧ ଭାବେ ଲଢୁଆ ଆନ୍ଦୋଳନ ଗଢି ତୋଳିବା ଦରକାର ବୋଲି କହିଥିଲେ । ଆସନ୍ତା ୩୦ ସେପ୍ଟେମ୍ବର ସର୍ବଭାରତୀୟ ପ୍ରତିବାଦ ଦିବସରେ ଚାରି ଶ୍ରମକୋଡର ପ୍ରତ୍ୟାହାର ସହ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କାକୁ ବୃଦ୍ଧି କରିବା, ଠିକା, ଆଉଟସୋରସିଂ ଓ ସ୍କିମ ୱାର୍କରମାନଙ୍କ ଚାକିରିର ସୁରକ୍ଷା ପାଇଁ ସ୍ଥାୟୀ କରିବା ସମେତ ୨୨ ଦଫା ଦାବୀକୁ କାର୍ଯ୍ୟକାରୀ କରିବା ପାଇଁ ଦେଶ ସାରା ପ୍ରତିବାଦ ଆନ୍ଦୋଳନ ସଫଳ କରିବାକୁ ଡାକରା ଦେଇଥିଲେ ।

ଆଇଏଫଟିୟୁ ରାଜ୍ୟ ସଭାପତି ପ୍ରତାପ ପ୍ରଧାନ ନିଜର ବକ୍ତବ୍ୟରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବିରୋଧୀ ଦଳରେ ଥିବା ବେଳେ ଆଉଟସୋର୍ସିଂ କର୍ମଚାରୀଙ୍କ ସ୍ଵାର୍ଥରେ ଅନେକ କଥା କହୁଥିଲା ବେଳେ ଏବେ ଶାସନକୁ ଆସି ସେମାନଙ୍କ ସମସ୍ୟାକୁ ଭୂଲିଯାଇଛନ୍ତି ବୋଲି କହିଥିଲେ । ବର୍ଷ ବର୍ଷ ଧରି ସ୍ଵାସ୍ଥ୍ୟସେବାରେ ଆଉଟସୋର୍ସିଂରେ ନିୟୋଜିତ ଶହ ଶହ ନର୍ସ ଓ ଫାର୍ମାସିଷ୍ଟମାନଙ୍କୁ ଅର୍ଥାଭାବର ଆଳ ଦେଖାଇ ଯେପରି ଚଳିତ ମାସରୁ ଛଟେଇ କରାଯାଇଛି, ତାହା ସରକାରଙ୍କ ଜନବିରୋଧୀ ନୀତିକୁ ପ୍ରମାଣିତ କରୁଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲା ତଥା ରାଜ୍ୟସ୍ତରୀୟ ଶ୍ରମିକ ଓ କର୍ମଚାରୀ ସଂଗଠନ ମାନଙ୍କର କର୍ମକର୍ତା ମାନେ ଉପସ୍ଥିତ ଥିଲେ I ଅନ୍ୟମାନଙ୍କ ମଧ୍ୟରେ ଇଫଟୁ ର ସମ୍ପାଦକ ଅଗେନ୍ଦ୍ର ନାୟକ, ଆଦର୍ଶ ବିଦ୍ୟାଳୟ ଅଣଶିକ୍ଷକ କର୍ମଚାରୀ ନେତା ପ୍ରଶାନ୍ତ ପରିଛା, ସ୍ୱାସ୍ଥ୍ୟସେବା କର୍ମଚାରୀ ନେତା ପି.ରମେଶ ରାଓ, ସରକାରୀ ଆଉଟସୋର୍ସିଂ କର୍ମଚାରୀ ନେତା ବିଜୟ ମଲ୍ଲିକ, ପ୍ରଶାନ୍ତ ମହାରଣା, ସ୍ଵଚ୍ଛସାଥି ଓ ସ୍ଵଚ୍ଛ ସୁପରଭାଇଜର ସଂଘର ରାଜ୍ୟ ସଭାପତି ଶୈଳ ମଲ୍ଲିକ, ସୁଦଷ୍ଣା ନାୟକ, ସଫେଇ କର୍ମଚାରୀ ନେତା ଉତ୍ତମ ନାୟକ, ହିମାଂଶୁ ପଟ୍ଟନାୟକ, ଧନେଶ୍ୱର ନାୟକ, ତୋଷାଳୀ ସିମେଣ୍ଟ କାରଖାନା କର୍ମଚାରୀ ନେତା ପି. କ୍ରିଷ୍ଣା, ପୌର କର୍ମଚାରୀ ନେତ୍ରୀ ଆରତୀ ପ୍ରଧାନ, ଶିଳ୍ପରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I