କୋଟିଆରେ ସ୍ୱାସ୍ଥ୍ୟସେବାକୁ ନିୟମିତ ବିଶେଷଜ୍ଞ ଚିକିତ୍ସା ପାଇଁ ଗୁରୁତ୍ୱ
କୋରାପୁଟ, ଅଗଷ୍ଟ ୨୨: କୋଟିଆ ଅଞ୍ଚଳର ଲୋକଙ୍କୁ ଗୁଣାତ୍ମକ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିରନ୍ତର ପଦକ୍ଷେପ ନିଆଯାଉଛି। ଦୁର୍ଗମ ଅଞ୍ଚଳର ଲୋକଙ୍କୁ ପାଖରେ ବିଶେଷଜ୍ଞ ଚିକିତ୍ସା ସୁବିଧା ଯୋଗାଇ ଦିଆ ଯାଉଛି।
ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ, କୋରାପୁଟ (SLNMCH) ପକ୍ଷରୁ କୋଟିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତି ଶୁକ୍ରବାରରେ ପ୍ରସୂତି ଓ ସ୍ତ୍ରୀରୋଗ, ଶିଶୁରୋଗ ଏବଂ କମ୍ୟୁନିଟି ମେଡିସିନ୍ ବିଭାଗର ଜଣେ ଲେଖାଏଁ ବିଶେଷଜ୍ଞ ଡାକ୍ତରଙ୍କୁ ପଠାଯାଉଛି। ଏହା ଫଳରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସହିତ ଅନ୍ୟାନ୍ୟ ଆବଶ୍ୟକ ବିଶେଷଜ୍ଞ ସେବା କୋଟିଆ ଅଞ୍ଚଳରେ ହିଁ ଉପଲବ୍ଧ ହେଉଛି।
ଚଳିତ ବର୍ଷ ୧୨ ଜୁନ୍ରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ୯ଟି ନିର୍ଦ୍ଧାରିତ ତାରିଖରେ ବିଶେଷଜ୍ଞ ଡାକ୍ତରଙ୍କ ଟିମ୍ କୋଟିଆ ଗସ୍ତ କରି ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛନ୍ତି।
ଏହା ସହିତ କମ୍ୟୁନିଟି ମେଡିସିନ୍ ବିଭାଗ ପକ୍ଷରୁ ରୋଗ ନିରୀକ୍ଷଣ ଓ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ବୟସ୍କ ଓ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟକ୍ରମ କରାଯାଉଛି।
ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ଦିଗରେ ମଧ୍ୟ ଲୋକଙ୍କୁ ନିରାପଦ ପାନୀୟ ଜଳର ବ୍ୟବହାର, ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଏବଂ ମଶାରି ବ୍ୟବହାର ସମ୍ପର୍କରେ ସଚେତନ କରାଯାଉଛି। ଏହା ଦ୍ୱାରା ମଶାବାହିତ ରୋଗ, ସଂକ୍ରାମକ ରୋଗ ଓ ଜୀବନଶୈଳୀଜନିତ ରୋଗର ପ୍ରତିରୋଧ ଉପରେ ଗୁରୁତ୍ୱ ଦିଆଯାଉଛି।
କୋଟିଆରେ ବିଶେଷଜ୍ଞ ଚିକିତ୍ସା ସେବା ସହ ପ୍ରତିଷେଧକ ଓ ସଚେତନତାଭିତ୍ତିକ ସ୍ୱାସ୍ଥ୍ୟସେବାର ସମନ୍ୱୟ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରୁଛି।
ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ଦୁର୍ଗମତା ଯେପରି ସ୍ୱାସ୍ଥ୍ୟସେବା ପାଇବାରେ ବାଧକ ନହୁଏ, ସେଥିପାଇଁ ତୃଣମୂଳ ସ୍ତରରେ ନିୟମିତ ସ୍ୱାସ୍ଥ୍ୟସେବା, ବିଶେଷଜ୍ଞ ଚିକିତ୍ସା, ରୋଗର ପ୍ରାରମ୍ଭିକ ଚିହ୍ନଟ ଓ ପ୍ରତିଷେଧକ ବ୍ୟବସ୍ଥାକୁ ଆହୁରି ମଜବୁତ କରାଯିବ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.
