କେଉଁ ବଡ଼ ବଡ଼ ନେତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ
*କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ କଲ ରେକର୍ଡ ଯାଞ୍ଚ କରାଯାଉ : କଂଗ୍ରେସ*
ଭୁବନେଶ୍ୱର ( ଦେବାଶିଷ ଦାଶ )
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମ ପ୍ରତିନଧି ପ୍ରକାଶ ପାଶୱାନଙ୍କ ଅପରାଧିକ ଗତିବିଧିକୁ ନେଇ କଂଗ୍ରେସ ଭବନଠାରେ ଗଣମାଧ୍ୟମ ବିଭାଗ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l
ଏହି ସାମ୍ବାଦିକ ସମ୍ମିଳନୀରେ ଓପିସିସିର ବରିଷ୍ଠ ମୁଖପାତ୍ର ସୋନାଲି ସାହୁ କହିଥିଲେ ଯେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସୁଧୁରିବାର ନାଁ ନେଉ ନଥିବା ବେଳେ ପୁଣି ଏକ ଜଘନ୍ୟକାଣ୍ଡ ଘଟି ଯାଇଛି ରାଉରକେଲାରେ ।
ରାଜ୍ୟର କୌଣସି ବଡ଼ ନେତାଙ୍କୁ ହତ୍ୟା କରିବା ପାଇଁ ଓ ରାଜ୍ୟରେ ଏକ ବଡ଼ ଧରଣର ହତ୍ୟାକାଣ୍ଡ ରଚିବା ପାଇଁ ରାଉରକେଲା ସର୍କିଟ ହାଉସରୁ ହୋଇଥିଲା ବ୍ଲୁ ପ୍ରିଣ୍ଟ । ଏହି ବ୍ଲୁ ପ୍ରିଣ୍ଟ ଅନ୍ୟ କେହି କରିନଥିଲେ, କି ଅନ୍ୟ କୌଣସି ସଂଗଠନ ବା ରାଜନୈତିକ ଦଳ ଦ୍ବାରା ହୋଇନଥିଲା । ଏହି ଷଡଯନ୍ତ୍ର ସରକାରୀ ଦଳ ଦ୍ବାରା ହୋଇଥିଲା, ଅର୍ଥାତ୍ ଏହି ଯୋଜନାଟି ସରକାର ହିଁ କରିଥିଲେ ।
ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ଉନ୍ନୟନ ମନ୍ତ୍ରୀଙ୍କର ଖାସ୍ ବ୍ୟକ୍ତି, ତାଙ୍କ ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ରାଉରକେଲା ମହାନଗର ନିଗମର ସାଂସଦ ପ୍ରତିନିଧି ପ୍ରକାଶ ପାଶ୍ବାନଙ୍କ ଦ୍ବାରା ଏହି ଷଡଯନ୍ତ୍ର ରଚାଯାଇଥିଲା ।
ଗତ 14 ତାରିଖରେ ରଘୁନାଥପାଲି ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ରାଉରକେଲା (ପାନପୋଷ) ସର୍କିଟ ହାଉସର ରୁମ୍ ନମ୍ବର ୧୦୩ ରୁ ୩ ଜଣଙ୍କୁ (ବିକାଶ, ରାଜେଶ ଓ ସାଗର) ଙ୍କୁ ଗିରଫ କରିବା ସହିତ ୪ ଟି ବନ୍ଧୁକ ଏବଂ 11 ଟି ଜୀବନ୍ତ ଗୁଳି ଜବତ କରିଥିବା ବେଳେ ଉକ୍ତ ଗ୍ୟାଙ୍ଗର ୫ ଜଣ ଅପରାଧୀ ଫେରାର ଅଛନ୍ତି ।
ଗିରଫ ୩ ଜଣଙ୍କ ମଧ୍ୟରୁ ରାଜେଶ ପୂର୍ବରୁ ବନ୍ଧୁକ କାରବାର ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲା । ଅନ୍ୟ ଦୁଇଜଣ ବିକାଶ ଓ ସାଗରଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ରହିଛି ।
ରାଉରକେଲାର ୧୦୧ ନମ୍ବର ରୁମ୍ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ରାଉରକେଲା ମହାନଗର ନିଗମର ସାଂସଦ ପ୍ରତିନିଧି ପ୍ରକାଶ ପାଶ୍ବାନ ନାଁରେ ବୁକିଂ ହୋଇ ଥିବା ସତ୍ବେ ସେ ୧୦୩ ଓ ୧୦୮ ରେ ରହୁଥିଲେ ।
ଏହି ପ୍ରଶ୍ନ ଉଠୁଛି,ସର୍କିଟ୍ ହାଉସର 103 ଓ ୧୦୮ ନମ୍ବର ରୁମ୍ କାହା ନାଁରେ ବୁକିଂ ହୋଇଥିଲା? ବିନା ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସୁପାରିଶରେ ବୁକିଂ ହେଲା କେମିତି? କୋଉ ମନ୍ତ୍ରୀ, ନେତା, ବିଧାୟକଙ୍କ ସୁପାରିଶ କ୍ରମେ ଉପଜିଲ୍ଲାପାଳ ବୁକିଂକୁ ଆପ୍ରୁଭ୍ କରିଥିଲେ! ଯାହା ସୁପାରିଶରେ ରୁମ ବୁକିଂ ହୋଇଥିଲା ତାଙ୍କ ସହିତ ଏହି ଅପରାଧୀଙ୍କ ସମ୍ପର୍କ କଣ? ଯଦି କୌଣସି ନେତା ମନ୍ତ୍ରୀଙ୍କ ସୁପାରିସ ନଥିଲା, ତେବେ କଣ ଉପଜିଲ୍ଲାପାଳ ନିଜେ ଅପରାଧୀଙ୍କୁ ରୁମ୍ ଦେଇଥିଲେ ରହିବାକୁ, ଯଦି ଦେଇଥିଲେ କେଉଁ ସ୍ୱାର୍ଥରେ ? ଏହି ଅପରାଧି ମାନଙ୍କ ସହିତ ଉପଜିଲ୍ଲାପାଳଙ୍କର କଣ ସମ୍ପର୍କ ରହିଛି ? ଏମାନେ ଅପରାଧିକ କାର୍ଯ୍ୟ କଳାପରେ ସଂପୃକ୍ତ ବୋଲି କେନ୍ଦ୍ରମନ୍ତ୍ରୀ ଓ ଉପଜିଲ୍ଲାପାଳ କେମିତି ଜାଣିପାରିଲେ ନାହିଁ l ନା ସବୁ ଜାଣି ଅପରାଧକୁ ପ୍ରଶ୍ରୟ ଦେଇଥିଲେ l ଏତେ ସବୁ ଘଟଣା ଘଟି ଯାଇଥିଲେ ମଧ୍ୟ ଉପଜିଲ୍ଲାପାଳଙ୍କୁ ନିଲମ୍ବନ କରାଗଲା ନାହିଁ କାହିଁକି?ସରକାର ଡରୁଛନ୍ତି କି ? ଉପଜିଲ୍ଲାପାଳଙ୍କୁ ନିଲମ୍ବନ କଲେ ବା ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସରକାରଙ୍କ ଅସଲ ମୁଖା ଖୋଲିଯିବ? ଜୁଲାଇ ୨୧ ରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ କେମିତି ରୁମ ବୁକିଂ ହେଲା? ପୋଲିସକୁ କିଏ ଖବର ଦେଲା? ସର୍କିଟ୍ ହାଉସରେ ଅପରାଧିକ ତତ୍ତ୍ୱମାନେ ଏତେଦିନ ଧରି ରହି ଆସୁଥିଲେ ସୁଦ୍ଧା ଗୁଇନ୍ଦା ବିଭାଗ ପାଖରେ କୌଣସି ତଥ୍ୟ ନଥିଲା କେମିତି ? ବନ୍ଧୁକ ଓ ଜୀବନ୍ତ ଗୁଳି କେଉଁଠୁ ଆସିଲା? ଏଥିରେ ରାଜ୍ୟ ବାହାର ମାଫିଆ ସଂପୃକ୍ତ ଅଛିନ୍ତି ନା ନାହିଁ? କୋଉ ବଡ଼ ନେତାଙ୍କୁ ହତ୍ୟା କରିବା ପାଇଁ ଏହି ପ୍ଲାନ କରାଯାଇଥିଲା, ଏହି ପ୍ଲାନ ରାଜନୈତିକ ନା ବ୍ୟବସାୟିକ ଥିଲା? ଏହି ଅପରାଧୀ ମାନଙ୍କ ସହିତ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିନିଧି ପ୍ରକାଶ ପାଶ୍ୱାନର ସମ୍ପର୍କ କଣ? ଏବଂ ଏମାନେ କେବେଠାରୁ ଏଭଳି ସମ୍ପର୍କରେ ଅଛନ୍ତି? ଉପଜିଲ୍ଲାପାଳ, ପ୍ରକାଶ ପାଶ୍ୱାନ, ମନ୍ତ୍ରୀ ଜୁଏଲ ଓରାମଙ୍କ 6 ମାସର ମୋବାଇଲ କଲ ଯାଞ୍ଚ କରାଯାଉ। ବିଜେପି ନେତା ଅଭିଷେକ ଧଳ, ପ୍ରକାଶ ପାଶ୍ୱାନ ଓ ମାଡାମ ଖୁଶବୁ ଯାଦବଙ୍କ ଭିତରେ ସମ୍ପର୍କ କଣ? ଆଉ ଏମାନଙ୍କର ଅପରାଧୀ ମାନଙ୍କ ସହିତ ସମ୍ପର୍କ କଣ? ପ୍ରକାଶ ପାଶ୍ୱାନକୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ କାହିଁକି? ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରକାଶ ପାଶ୍ୱାନକୁ ଦଳରୁ ବାହାର କରି ସ୍ପଷ୍ଟ କରିଛନ୍ତି ଯେ, ସେ ଏକ ଅପରାଧୀ ବୋଲି, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଓ ଗୃହ ବିଭାଗ ତାଙ୍କୁ ଏପର୍ଯ୍ୟନ୍ତ ଆରେଷ୍ଟ କରିନି କାହିଁକି?
କଣ କେନ୍ଦ୍ରମନ୍ତ୍ରୀ ବୋଲି ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ନାହିଁ କି ?
ଏ ସମସ୍ତ ପ୍ରଶ୍ନର ସମାହାର ଦର୍ଶାଉଛି ସରକାର ସବୁ ଜାଣିଛନ୍ତି, ତେବେ ସରକାର କୋଉ ବଡ଼ ବଡ଼ ନେତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ ପଚାରିଥିଲେ l
