ଦରଦାମ ହୁ ହୁ ହୋଇ ବଢ଼ୁଛି; ସରକାର ଶ୍ବେତପତ୍ର ଜାରି କରନ୍ତୁ : ପଞ୍ଚାନନ
> *କଂଗ୍ରେସ ଅମଳରେ ସବୁଜ ଓ ଶ୍ବେତ ବିପ୍ଳବ ହୋଇଥିଲା; ବିଜେପି ସରକାର କେଉଁଥିରେ ଦେଶକୁ ସ୍ବାବଲମ୍ବୀ କରିଛି?*
> *ଯଦି ଇଥାନଲ ଉତ୍ପାଦନ ପାଇଁ ଚିନିର ଅଭାବ ହେଉନାହିଁ, ଏତେ ଚିନି ଆମଦାନି କାହିଁକି କରୁଛ?*
ଭୁବନେଶ୍ୱର( ଦେବାଶିଷ ଦାଶ )
ସାରା ଦେଶରେ ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି। ଦରଦାମ ଉପରେ ସରକାରଙ୍କର ଆଦୌ ନିୟନ୍ତ୍ରଣ ନାହିଁ। ଆଗକୁ ସରକାର ଦରଦାମ କିପରି ନିୟନ୍ତ୍ରଣ କରିବେ ସେ ନେଇ କୌଣସି ଯୋଜନା ମଧ୍ୟ ନାହିଁ। ଗରିବ ଓ ମଧ୍ୟବିତ୍ତଙ୍କ ଭାତଥାଲିରେ ଲାତ ମାରି ସରକାର ନିଘୋଡ଼ ନିଦରେ ଶୋଇଛନ୍ତି। ଆଗକୁ ସରକାର କିପରି ଦରଦାମ ନିୟନ୍ତ୍ରଣ କରିବେ ସେ ନେଇ ସରକାର ତୁରନ୍ତ ଶ୍ବେତପତ୍ର ଜାରି କରନ୍ତୁ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ, କଂଗ୍ରେସ ସରକାର ଦେଶରେ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଦୁଇଟି ବିପ୍ଳବ ଆଣି ସଫଳ ହୋଇଥିଲେ। ସବୁଜ ବିପ୍ଳବ ଜରିଆରେ ଦେଶକୁ ଖାଦ୍ୟଶସ୍ୟ ଉତ୍ପାଦନରେ ସ୍ବାବଲମ୍ବୀ କରିଥିଲେ। ସେହିପରି ଶ୍ବେତ ବିପ୍ଳବ ଜରିଆରେ ପ୍ରଚୁର ଦୁଗ୍ଧଜାତୀୟ ଉତ୍ପାଦ ଦେଶବାସୀଙ୍କ ପାଇଁ ବ୍ୟବସ୍ଥା କରାଇଥିଲେ। କିନ୍ତୁ ଗତ ୧୨ ବର୍ଷରେ ବିଜେପି ସରକାର କୌଣସି ଗୋଟିଏ କ୍ଷେତ୍ରରେ ବି ଦେଶକୁ ସ୍ବାବଲମ୍ବୀ କରିପାରିନାହାନ୍ତି। ଏଣେ ସରକାର କହୁଛନ୍ତି ଇଥାନଲ-୨୦ ପାଇଁ ଦେଶରେ ଚିନିର ଅଭାବ ହେଉନାହିଁ। ତେବେ ଏତେବର୍ଷ ପରେ କାହିଁକି ଦେଶକୁ ଏତେ ପରିମାଣରେ ଚିନି ଆମଦାନି କରିବାକୁ ପଡ଼ୁଛି ବୋଲି ସେ ପ୍ରଶ୍ନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସାେନାଲି ସାହୁ ଉପସ୍ଥିତ ଥିଲେ।
