March 7, 2026

ରଥଯାତ୍ରାରେ ସେବା କାର୍ଯ୍ୟ କରିବେ ୩୦୦ରୁ ଅଧିକ ସ୍ବେଚ୍ଛାସେବୀ

IMG-20250622-WA0046
Share

ଛତ୍ରପୁର. ୨୨/୦୬/୨୦୨୫(ଅରୁଣ କୁମାର ପଣ୍ଡା)ଗତବର୍ଷ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ଉଲ୍ଲେଖନୀୟ ସେବା କାର୍ଯ୍ୟ କରି ମୁଖ୍ୟ ଶାସନ ସଚିବଙ୍କଠୁ ଉଚ୍ଚ ପ୍ରଶଂସିତ ହେଇଥିବା ତଥା ଚଳିତବର୍ଷ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ସମୟରେ ଉଲ୍ଲେଖନୀୟ ସେବା କାର୍ଯ୍ୟ କରି ଭକ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ସଦସ୍ୟମାନେ ଏ ବର୍ଷ ପୁଣି ରଥଯାତ୍ରା ସମୟରେ ସଙ୍ଗଠନର ମୁଖ୍ୟ ସମାଜସେବୀ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ସେବା କାର୍ଯ୍ୟ କରିବା ପାଇଁ ପୋଲିସ କମିଶନର, ଭୁବନେଶ୍ୱରଙ୍କର ଅନୁମତି ପ୍ରାପ୍ତ କରିଛନ୍ତି।

 

ସୂଚନାଯୋଗ୍ୟ, ପୂର୍ବବର୍ଷ ଭଳି ଏଥର ମଧ୍ୟ ପୁରୀ ଲୋକନାଥ ରୋଡ଼ରେ ଅବସ୍ଥିତ ନିଗମାନନ୍ଦ ଆଶ୍ରମର ମିଳିତ ସହଯୋଗରେ ଏହି ସଦସ୍ୟମାନେ ରଥଯାତ୍ରାରେ ଶୃଙ୍ଖଳିତ ଭାବେ ବିଭିନ୍ନ ସେବା କାର୍ଯ୍ୟ ଯଥା ରଥଯାତ୍ରା ପୂର୍ବରୁ ଓ ପରେ ବଡ଼ଦାଣ୍ଡ ଓଳାଇବା, ଖାଦ୍ୟ ଓ ପାନୀୟ ଜଳ ବାଣ୍ଟିବା, ଷ୍ଟ୍ରେଚରରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ ପହଞ୍ଚାଇବା, ପୋଲିସ, ପ୍ରଶାସନକୁ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ସ୍ଥିର କରାଯାଇଛି। ୫ଜଣ ଡାକ୍ତର, ୭ଜଣ ଇଂଜିନିୟର, ୧୦ଜଣ ଓକିଲ, କଳାକାର, ମହିଳା ମଣ୍ଡଳ ତଥା ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ୩୦୦ରୁ ଉର୍ଦ୍ଧ୍ବ ସଦସ୍ୟ ଏଥର ରଥଯାତ୍ରାରେ ଯଥା ସମ୍ଭବ ସେବା ଯୋଗାଇବେ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ସେ ନେଇ ପର୍ଯ୍ୟାୟ କ୍ରମେ ଅନୁଗୁଳ, ଭୁବନେଶ୍ୱର ତଥା ଛତ୍ରପୁରରେ ଆଲୋଚନା କରାଯାଇଛି। ଏହି କ୍ରମରେ ଛତ୍ରପୁରରେ ପଦସ୍ଥ କ୍ୟାଡ଼ର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଏହି ସ୍ବେଚ୍ଛାସେବୀ ଦଳର ନେତୃତ୍ୱ ନେବେ ତଥା ଓଲିଉଡ କଳାକାର ବିକାଶ ମହାରଣା, ଦୀପା ମହାରଣା, ହାଇକୋର୍ଟ ଓକିଲ ବିଜୟ ଜେନା, ଲସିତ ବରଣ ବେହେରା, ମାଧବ ସାସମଲ, ଅନୁଗୁଳ ସେବା ଦଳର ସମୀର ପ୍ରଧାନ, ସଂଗ୍ରାମ ପ୍ରଧାନ, ଛତ୍ରପୁର ଆଇ.ଆର.ଇରେ କାର୍ଯ୍ୟରତ ଟୁଟୁ ନାୟକ, ମନୋରଞ୍ଜନ ବେହେରା, ସମାଜସେବୀ ମନୋଜ ମିଶ୍ର, ସ୍ପର୍ଶ ହସ୍ପିଟାଲରେ କାର୍ଯ୍ୟରତ ଡ଼ଃ ପ୍ରିୟବ୍ରତ ଶତପଥୀ ତଥା ଛତ୍ରପୁର ଅଧିଷ୍ଠାତ୍ରୀ ମା’ ରାମଚଣ୍ଡୀ ମନ୍ଦିରର ପୂଜା କମିଟି ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ(ମହାରାଜ), ଦୁର୍ଗା ପ୍ରସାଦ ପରିଡ଼ା ଓ ଶ୍ରୀତମ ପଟ୍ଟନାୟକ ପ୍ରମୁଖ ଶ୍ରୀ ମିଶ୍ରଙ୍କୁ ଏଥିରେ ସହଯୋଗ କରିବେ ବୋଲି ସୂଚନା ମିଳିଛି।