ପୃଥିବୀ ବଞ୍ଚିଲେ ହିଁ ଜୀବ ଜଗତ ବଞ୍ଚିବ।

ବୋଲଗଡ଼,୨୨/୦୪(ସୁଶାନ୍ତ କୁମାର ପ୍ରଧାନ):ବିଶ୍ୱବ୍ରହ୍ମାଣ୍ଡରେ ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁଠାରେ ଜୀବନ ବଞ୍ଚିବା ସମ୍ଭବ ହୋଇପାରିଛି । ପୃଥିବୀରେ ବାୟୁ, ପାଣି, ମାଟି, ସୂର୍ଯ୍ୟକିରଣ ଏବଂ ଅନୁକୂଳ ତାପମାତ୍ରା ସମେତ ଜୀବନ ବଞ୍ଚିବା ପାଇଁ ଆବଶ୍ୟକ ସମସ୍ତ ପ୍ରାକୃତିକ ସମ୍ପଦ ପୃଥିବୀରେ ଉପଲବ୍ଧ । ପୃଥିବୀ କେବଳ ମଣିଷ ପାଇଁ ନୁହେଁ ବରଂ ସମସ୍ତ ଜୀବଜନ୍ତୁଙ୍କ ପାଇଁ ଜୀବନଦାୟିନୀ। ତଥାପି ସମୟ ସହିତ ସମସ୍ତ ଅତ୍ୟାବଶ୍ୟକୀୟ ପ୍ରାକୃତିକ ସମ୍ପଦର ଏତେ ମାତ୍ରାରେ ଅପବ୍ୟବହାର କରାଯାଉଛି ଯେ ଏକ ସମୟ ଆସିପାରେ ଯେତେବେଳେ ସମସ୍ତ ସମ୍ପଦ ଶେଷ ହୋଇଯାଇପାରେ। ଏହି ପ୍ରାକୃତିକ ସମ୍ପଦ ବିନା ପୃଥିବୀରେ ବଞ୍ଚିବା କଷ୍ଟକର ହୋଇଯିବ । ଏହି ଗମ୍ଭୀର ସମସ୍ୟାର ସମାଧାନ ପାଇଁ ପ୍ରକୃତି ପ୍ରଦତ୍ତ ସମ୍ପତ୍ତିକୁ ସଂରକ୍ଷଣ କରିବା ନିହାତି ଆବଶ୍ୟକ । ଏହି ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ୨୨ ଏପ୍ରିଲରେ ‘ବିଶ୍ୱ ପୃଥିବୀ ଦିବସ’ ପାଳନ କରାଯାଏ। ଏହି ଦିନକୁ ଭାରତ ସମେତ ପାଖାପାଖି ୧୯୫ରୁ ଅଧିକ ଦେଶ ପାଳନ କରେ । ଚଳିତ ବର୍ଷ ସାରା ବିଶ୍ୱରେ ପୃଥିବୀ ଦିବସ ପାଳନ କରାଯାଉଛି । ପୃଥିବୀ ସଂରକ୍ଷଣ ସହିତ ଜଡିତ ଏହି ଦିବସ ପାଳନ ୧୯୭୦ ମସିହାରେ ଆରମ୍ଭ ହୋଇଥିଲା । ଏହି ଦିବସକୁ ପ୍ରଥମେ ଆମେରିକାର ସିନେଟର ଗେଲର୍ଡ ନେଲ୍ସନ ପରିବେଶ ଗତ ଶିକ୍ଷାର ଏକ ଉପାୟ ଭାବରେ ଆରମ୍ଭ କରିଥିଲେ । ନେଲ୍ସନଙ୍କ ଆହ୍ୱାନରେ ପ୍ରାୟ ଦୁଇ କୋଟି ଆମେରିକୀୟ ୨୨ ଏପ୍ରିଲରେ ପ୍ରଥମ ଥର ପାଇଁ ପୃଥିବୀ ଦିବସ ପାଳନ କରିଥିଲେ । ଆଜି ଯେତେବେଳେ ସାରା ବିଶ୍ୱରେ ପ୍ରଦୂଷଣ, ଗ୍ଲୋବାଲ୍ ୱାର୍ମିଙ୍ଗ୍ ଏବଂ ଜଙ୍ଗଲ କଟା ଭଳି ସମସ୍ୟା ବଢିବାରେ ଲାଗିଛି ସେତେବେଳେ ପୃଥିବୀ ଦିବସର ପାଳନ ସହ ସଚେତନତା ନିହାତି ଆବଶ୍ୟକ।ପୃଥିବୀ ବଞ୍ଚିଲେ ହିଁ ଜୀବ ଜଗତ ବଞ୍ଚିବ। ଏହି ସୁନ୍ଦର ପୃଥିବୀକୁ ବଞ୍ଚାଇ ରଖିବାକୁ ହେଲେ ଆମେ ସମସ୍ତେ ମିଳିମିଶି ପ୍ରକୃତି ଓ ପରିବେଶର ଧ୍ୟାନ ରଖିବାକୁ ହେବ।ବିଶ୍ବ ପୃଥିବୀ ଦିବସ ଅବସରରେ ପୃଥିବୀ ମା’ର ଯତ୍ନ ନେବା ଏକ ସୁରକ୍ଷିତ ଭବିଷ୍ୟତ ଗଠନ ପାଇଁ ସମସ୍ତେ ସଂକଳ୍ପ ନେବା ଗଛ ଲଗାଇବା, ପ୍ରକୃତିକୁ ଭଲପାଇବା ଓ ଭବିଷ୍ୟତକୁ ସୁନ୍ଦର କରିବା
