March 11, 2026

ଅବହେଳିତ ପ୍ରାଚୀନ ହରିସହଦେବ ପୀଠର ଐତିହ୍ଯ ସଂପର୍କରେ ଆଲୋଚନାଚକ୍ର

IMG-20260222-WA0020
Share

 

ମହାକାବ୍ୟ ମହାଭାରତରେ ବର୍ଣ୍ଣିତ ପଞ୍ଚୁ ପାଣ୍ଡଵ ମଧ୍ୟରେ ସହଦେବ ହେଉଛନ୍ତି କନିଷ୍ଠ ପାଣ୍ଡବ । ଅଶ୍ୱିନୀକୁମାରଙ୍କ ଆଶୀର୍ବାଦରୁ ଜାତ, ମାତା ମାଦ୍ରିଙ୍କ ଦୁଇ ଯାଆଁଳା ସନ୍ତାନ ହେଉଛନ୍ତି ନକୁଳ ଏବଂ ସହଦେବ । ସେମାନଙ୍କର ପିତାମାତା – ପାଣ୍ଡୁ ଏବଂ ମାଦ୍ରି ଶୀଘ୍ର ମୃତ୍ୟୁବରଣ କରିବା ଫଳରେ, ଦୁଇ ଯାଆଁଳା ଶିଶୁ ସେମାନଙ୍କ ସାବତ ମା’ କୁନ୍ତୀଙ୍କଦ୍ୱାରା ପାଳିତ ହୋଇଥିଲେ । ସମୟକ୍ରମେ ସେମାନେ ହସ୍ତିନାପୁରରେ ଗୁରୁ ଦ୍ରୋଣଙ୍କଦ୍ୱାରା ଶିକ୍ଷା ପ୍ରାପ୍ତ ହୋଇଥିଲେ । ସେ ଖଣ୍ଡା ଏବଂ ଛୁରା ଯୁଦ୍ଧରେ ନିଜର ଦକ୍ଷତା ହାସଲ କରିଥିଲେ । ସେ ଦେବଗୁରୁ ବୃହସ୍ପତ୍ତିଙ୍କଠାରୁ ନୀତିଶାସ୍ତ୍ର ମଧ୍ୟ ଶିକ୍ଷାଲାଭ କରିଥିଲେ । ଆଗତ ଭବିଷ୍ଯତ କଥା କଳନା କରିବାରେ ସିଦ୍ଧହସ୍ତ ଥିଲେ। ଜ୍ଞାନ ବୁଦ୍ଧିର ଠାକୁର ଭାବରେ ହରିସହଦେବ ପୂଜିତ ଅଟନ୍ତି।ଦ୍ବତୀୟ ଶ୍ରୀକ୍ଷେତ୍ର ବ୍ରହ୍ମଗିରି ଯେଉଁ ଐତିହ୍ଯ ଦେବପୀଠ ମାନଙ୍କୁନେଇ ରୁଦ୍ଧିମନ୍ତ ତାହାମଧ୍ଯରେ ପଞ୍ଚୁପାଣ୍ଡବଙ୍କ ପୀଠ ଅନ୍ଯତମ। ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପାସନା ସହିତ ପଞ୍ଚଶିବ ଉପସନା ରହିଛି। ଶ୍ରୀକ୍ଷେତ୍ରର ପଞ୍ଚଶିବ ହେଉଛନ୍ତି ଶ୍ରୀ ଲୋକନାଥ, ଶ୍ରୀମାର୍କଣ୍ଡେଶ୍ବର, ଶ୍ରୀଯମେଶ୍ବର, ଶ୍ରୀନୀଳକଣ୍ଠେଶ୍ବର, ଓ ଶ୍ରୀ କପାଳ ମୋଚନ। ସେହିପରି ଦ୍ବତୀୟ ଶ୍ରୀକ୍ଷେତ୍ର ବ୍ରହ୍ମଗିରିରେ ଶ୍ରୀଅଲାରନାଥଙ୍କ ସହିତ ପାଞ୍ଚଶିବ ଉପାସନା ରହିଛି। ପୀଠ ମଧ୍ଯରେ ହରିସହଦେବଙ୍କ ପୀଠ ଅନେକ ଗରୁତ୍ବ ବହନ କରେ। ସ୍ବର୍ଗୀୟ ସବୁଜିମାଭରା ପରିବେଶ, ଚତୁପାର୍ଶରେ ବାଲୁକାବନ୍ତ , ମହୋଦଧିର ଶୀତଳ ପ୍ରାଣସିକ୍ତ ସମୀର ଆକୃଷ୍ଟ କରିଥାଏ ଶ୍ରଦ୍ଧାଳୁ ଭକ୍ତ, ତଥା ପର୍ଯଟକ ମାନଙ୍କୁ। ବ୍ରହ୍ମଗିରିର ସୁନାମୁହିଠାରୁ ଦକ୍ଷିଣ ଦିଗକୁ ରହିଛି ଏକ ପ୍ରସିଦ୍ଧ ଶୈବପୀଠ । ଏକ ପାଖରେ ମହୋଦଧି ଅନ୍ଯ ପାର୍ଶ୍ବରେ ନୀଳାମ୍ବୁ ଚିଲିକା । ମାଳ ମାଳ ନଭଶ୍ଚୁମ୍ବୀ ବାଲୁକା ବନ୍ତ। ପ୍ରକୃତିକ ଶୋଭା ସୁଷମା ଭରା ଏଇ ପୀଠରେ ଶ୍ରୀହରିସହଦେବ ଉପାସିତ ହେଉଛନ୍ତି । ବହୁ ପ୍ରାଚୀନ ସମୟରୁ ପାଣ୍ଡବ ପାଞ୍ଚଭାଇ ଶିବ ରୂପେ ବ୍ରହ୍ମଗିରି ଅଞ୍ଚଳରେ ପୂଜା ପାଉଛନ୍ତି । ବ୍ରହ୍ମଗିରି, ପୁରୀସଦର,ବ୍ଲକ ସମେତ ପୁରୀଜିଲ୍ଲାର ପ୍ରୟ ସମସ୍ତ ଗ୍ରାମ ଏହି ପୀଠକୁ ବର୍ଷରେ ଥରେ ଆସି ମହୋତ୍ସବ କରି ଠାକୁରଙ୍କ ଶରଣ ଯାଇଥାନ୍ତି। ପୁରୀ ସଦର ଅଞ୍ଚଳରୁ ଶଗଡରେ ଶୋଭାଯାତ୍ରାରେ ଆସି ଠାକୁରଙ୍କ ପାଖରେ ମହୋତ୍ସବ କରିବା ନିଆରା ପରମ୍ପରା ଏବେ ବି ଚାଲୁରହିଛି। ଗୋରୁଗାଈଙ୍କ ପାଇଁ ହରିସହଦେବ ଠାକୁର ଅତି ପ୍ରତ୍ଯକ୍ଷ ବୋଲି ବିଶ୍ବାସ ରହିଛି।ପୁରୁଣା ଜଗନ୍ନାଥ ସଡକର ପାର୍ଶରେ ଥିବା ଏହି ପୀଠରେ ଦକ୍ଷିଣ ଭାରତରୁ ନିଳାଚଳ କୁ ଆସୁଥିବା ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁ ଭକ୍ତମାନେ ଏହିଠାରେ ବିଶ୍ରାମ କରିବା ଜଣାଯାଏ। ଇତିହାସ ପ୍ରସିଦ୍ଧ ଅନ୍ଧାରିଗଡର ମୁଖ୍ଯ ଗଡ ଲୁପ୍ତ ପ୍ରାୟ ଡୁଙ୍ଗୁରି ପଦା ଏହି ଅଞ୍ଚଳରେ ଅବସ୍ଥିତ।

ସଂସ୍କୃତ ମହାଭାରତ ବନ ପର୍ବର ଅଜ୍ଞାତବାସ ବର୍ଣ୍ଣନା ପ୍ରସଙ୍ଗରେ ବର୍ଣ୍ଣିତ ଅଛି ପାଞ୍ଚ ପାଣ୍ଡବ, ମାତା କୁନ୍ତୀ , ଗୁରୁ ଲୋମଶ ଋଷି ବୈତରଣୀ ନଦୀ ପାରହୋଇ ପୁରୁଷୋତ୍ତମ ଧାମରେ ମହୋଦଧିରେ ତିଳତର୍ପଣ ଦେଇ ଭଗବାନ ପର୍ଶୁରାମପାଇଁ ମହେନ୍ଦ୍ର ଗିରି ଯାତ୍ରା କରିବା ସମୟରେ ବ୍ରହ୍ମଗିରିର ବ୍ରହ୍ମବନର ବିଭିନ୍ନ ସ୍ଥାନରେ ଅବସ୍ଥାନ କରିଥିଲେ। ବ୍ରହ୍ମବନର ଘଞ୍ଚ ଅରଣ୍ଯ ଶୋଭା ଜଳବାୟୁ ପାଣ୍ଡବମାନଙ୍କୁ ଆକୃଷ୍ଟ କରିଥିଲା। ସେମାନେ ଯେଉଁଠି ବାଲୁକାବନ୍ତ ଉପରେ ଅବସ୍ଥାନ କରିଥିଲେ ଏବଂ ସେଠାରେ ମହାଦେବଙ୍କ ଉପାସନା କରିଥିଲେ ସେଠାରେ ଗୋଟିଏ ଗୋଟିଏ ଶୈବ ପୀଠ ସ୍ଥାପନ ହେଲା। ଭିନ୍ନ ଭିନ୍ନ ଦୂରତାରେ ପାଞ୍ଚ ଭାଇଙ୍କ ନାମରେ ପାଞ୍ଚଟି ପୀଠ । ଶ୍ରୀକ୍ଷେତ୍ର ଆଡୁ ଆସିଲେ ପ୍ରଥମେ ପଡେ ନାଗେଶ୍ଵର ଗ୍ରାମରେ ନକୁଳେଶ୍ଵର ପୀଠ ପରେ ଚାପମାଣିକଠାରେ ଶ୍ରୀଭୀମେଶ୍ବର ପୀଠ, କାଳିକାବାଡି ଖଣ୍ଡବବନରେ ଶ୍ରୀଅର୍ଜୁନେଶ୍ବରଙ୍କ ପୀଠ , ଗୌଡକେରାଠାରେ ଶ୍ରୀ ଯୁଧିଷ୍ଠିର ଦେବଙ୍କ ପୀଠ , ଡୁଙ୍ଗୁରିପଦା ଜେନାପୁରଠାରେ ହରିସହଦେବଙ୍କ ପୀଠ।

ହରିସହଦେବଙ୍କ ପୀଠର ବିଶେଷତା ହେଉଛି ଏଠାରେ ଉଭୟ ହରି ଏବଂ ହରଙ୍କ ଉପାସନା କରାଯାଏ। ମନ୍ଦିର ସମ୍ମୁଖରେ ବୃଷଭ ବାହାନ ସହିତ ଗୁରୁଡ ବାହାନ ଥିବାର ଜଣାଯାଏ। ଠାକୁର ବଂଶୀ ଧାରଣ କରିବା ଦେଖାଯାଏ। ଓଡ଼ିଶାର ଅଳ୍ପ କେତେକ ଶିବ ମନ୍ଦିରରେ ଉଭୟ ବାହନ ଥିବାର ଜଣାଯାଏ। ଐତିହ୍ଯ ଅନୁଶୀଳନୀରୁ ଜଣାଯାଇଛି ଭାରତରେ ହରିହର ଉପାସନାର ସମୀକରଣ ହୋଇ ଉପାସନା ମାଧ୍ୟମରେ ଯେଉଁ ଜାତୀୟ ସଂହତିର ମୂଳଦୁଆ ପଡ଼ିଥିଲା, ତାହା ବହୁ ବିବାଦର ସମାଧାନ ସହିତ ଜାତୀୟ ଏକତା ସ୍ଥାପନରେ ସହାୟକ ହୋଇ ଆସୁଅଛି।

ଗୋ ସୁରକ୍ଷା ଈଶ୍ବର ଭାବରେ ହରିସହଦେବ ପୂଜିତ ଅଟନ୍ତି। ପ୍ରଚୀନ କୃଷି ଓ କୃଷକର ମୁଖ୍ଯ ଆଧାର ଥିଲେ ଗୋ ସଂପଦ। କେବଳ ଖୀର ପାଇଁ ନୁହଁ ଚାଷ ପାଇଁ ବଳଦ ହଳ ଉପରେ ସକଳେ ଥିଲେ ନିର୍ଭରଶୀଳ। ସେଥିପାଇଁ ଗୋ ସୁରକ୍ଷା ପାଇଁ ଅତିକମରେ ବର୍ଷକୁ ଥରେ ହରିସହଦେବଙ୍କ ପୀଠକୁ ଆସନ୍ତି । ବାଲିବନ୍ତରେ ଖେଳା ବୁଲା କରି ଆନନ୍ଦ ଲାଭ କରନ୍ତି। ଚୁଡାଘସା ଖୀର କଦଳୀଚକଟା ଭୋଗ କରିଥାନ୍ତି।

ପ୍ରାଚୀନ ଜଗନ୍ନାଥ ସଡକ ଧାରରେ ଥିବା ଏହି ମନ୍ଦିର ପାଖରେ ଥିଲା ଚଟିଘର। ଦକ୍ଷୀଣଭାରତରୁ ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଥିବା ଯାତ୍ରୀମାନେ ଅରଖକୁଦା ଘାଟରେ ପାରିହୋଇ ଏଇ ଚଟି ଘରେ ବିଶ୍ରାମ ନେଉଥିଲେ। ସମସ୍ତ ଶ୍ରଦ୍ଧାଳୁଙ୍କ ଦୁଃଖ ହରଣ କରୁଥିବାରୁ ଠାକୁରଙ୍କ ହରିସହଦେବ ନାମ ବିଖ୍ୟାତ ଅଟେ। ଏଠାରେ ଥିବା ପ୍ରାଚୀନ ଚଟିଘର ସଂପୂର୍ଣ୍ଣ ବିଲୁପ୍ତ। ଅନ୍ଧାରି ଗଡର ମୁଖ୍ଯସ୍ଥାନ ଡୁଙ୍ଗୁରିପଦା ଏହି ପୀଠର ସଂଲଗ୍ନିତ । ଚଟିଘର ସଂପର୍କରେ ଐତିହ୍ଯ ରହିଛି। ଗଡନାୟକଙ୍କ ଖଣ୍ଡାଧୂଆ ପୋଖରୀ ପୋତି ହୋଇ ଝାଉଁ ଜଙ୍ଗଲରେ ପରିଣତ ହୋଇଛି। ବ୍ରହଗିରି ଐତିହ୍ଯ ପରିଷଦ ତରଫରୁ ସେବାୟତ ନିଯୋଗ ସହାୟତାରେ ଏକ ଐତିହ୍ଯ ଅବଲୋକନାତ୍ମକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବ୍ରହ୍ମଗିରି ଐତିହ୍ଯ ପରିଷଦର ସଭାପତି ଶ୍ରୀ କାଶୀନାଥ ନାୟକଙ୍କ ପୌରହିତ୍ଯ କରିଥିଲେ । ଶ୍ରୀମନ୍ଦିର ମୁଖ୍ଯ ପୁରୋହିତ – ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ ଶ୍ରୀ ସିଦ୍ଧେଶ୍ଵର ମହାପାତ୍ର , ଐତିହ୍ଯ ବିଶାରଦ ଶ୍ରୀ ସୁରେନ୍ଦ୍ର କୁମାର ମିଶ୍ର, ଐତିହ୍ଯ ଗବେଷକ ଶ୍ରୀ ଅଲାରନାଥଙ୍କ ସେବକ ଶ୍ରୀ ନୀଳମଣି ସୁଆର , ଓଡିଶା ଐତିହ୍ଯ ପରିଷଦର ସଂପାଦକ ଶ୍ରୀ ଦେବୀ ନନ୍ଦ, ତତ୍ତ୍ବକବି ଶ୍ରୀ ଭିକାରି ଚରଣ ଜେନା , କୋଣାର୍କ ଐତିହ୍ଯ ପରିଷଦର ସଂପାଦକ ଶ୍ରୀ ସଞ୍ଜୟ କୁମାର ବରାଳ , ସମ୍ବାଦିକ ଶ୍ରୀ ଅମୁଲ୍ଯ କୁମାର ସୁନ୍ଦରା ପ୍ରମ୍ମୁଖ ବକ୍ତବ୍ଯ ରଖି ପୀଠର ପ୍ରଚୀନ ଐତିହ୍ଯ ସହିତ ପରମ୍ପରା, କିମ୍ବଦନ୍ତୀ , ପର୍ବପର୍ବାଣୀ , ଠାକୁରଙ୍କ ମହିମା ସଂପର୍କରେ ଆଲୋଚନା କରାଥିଲେ। ବ୍ରହ୍ମଗିରି ଐତିହ୍ଯ ପରିଷଦର ସଂପାଦକ ଶ୍ରୀ ପ୍ରିୟ ପ୍ରସାଦ ମିଶ୍ର ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ସେବକ ଶ୍ରୀ ଦିଲିପ କୁମାର ପୂଜାରି ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀ ପ୍ରକାଶ ପୁଜାରି, ଶ୍ରୀ ଅଜିତ ପୁଜାରି, ଶ୍ରୀ ବିଜୟ ପୁଜାରି, ଶ୍ରୀ ବସନ୍ତ ପୁଜାରି ସମେତ ସମସ୍ତ ସେବକ , ଗ୍ରାମବାସୀମାନେ ସଭାରେ ଉପସ୍ଥିତ ରହିଥିଲେ।

ଏହି ପୀଠର ପ୍ରାଚୀନ କିର୍ତ୍ତୀମାନ ଐତିହ୍ଯର ପୁନରୁଦ୍ଧାର ଏବଂ ଉନ୍ନୟନ କାମ ସରକାର ହାତକୁ ନେବା ଦରକାର ବୋଲି ମତ ପ୍ରକାଶ ପାଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l