October 21, 2026

ବିଜୟାଦଶମୀରେ ଜଘନ୍ଯ ହତ୍ଯାକାଣ୍ଡ , ହତ୍ଯାକାରୀ ଫେରାର , ତୁରନ୍ତ ଗିରଫ ଦାବିରେ ଥାନା ସମ୍ମୁଖରେ ସାହିବାସିନ୍ଦାଙ୍କ ପ୍ରତିବାଦ, ମରିପଡି ଖୋଜୁଛି ପୋଲିସ 

IMG-20261021-WA0055
Share

 

ବୁଗୁଡା : ତା ୨୧/୧୦/୨୬ : ବୁଗୁଡ଼ା ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପରେ ମୋଟାବାଡି ରାସ୍ତାରେ ବିଜୟାଦଶମୀ ଦିନ ଏକ ଜଘନ୍ଯ ହତ୍ଯାକାଣ୍ଡ ଘଟିଥିବା ବେଳେ ହତ୍ଯାକାରୀ ଅଧ୍ଯାବଧି ପୋଲିସ ପଞ୍ଝାରେ ପଡିନଥିବା ଯୋଗୁଁ ଶତାଧିକ ସାହିବାସିନ୍ଦା ତୁରନ୍ତ ଗିରଫ ପ୍ରତିବାଦରେ ଥାନା ସମ୍ମୁଖରେ ହୋହାଲ୍ଲା କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ହତ୍ଯାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ ବୁଗୁଡା ଏନ୍ଏସି ଅନ୍ତର୍ଗତ ଓଡିଆସାହିର ସନ୍ତୋଷ ରାଉତ (୩୦) ହୋଇଥିବା ବେଳେ ହତ୍ଯାକାରୀ ମଧ୍ୟ ସେହି ସାହିର ବସନ୍ତ କୁମାର ନାୟକ ବୋଲି ଜଣାଯାଇଛି। ଏ ନେଇ ମୃତ ସନ୍ତୋଷର ମାଆଙ୍କ ଅଭିଯୋଗ କ୍ରମେ ଥାନା କେସ୍ ନଂ ୫୨୨/୨୬ରେ ଏକ ମାମଲା ରୁଜୁ ହୋଇଥିବା ପୋଲିସଠାରୁ ପ୍ରକାଶ ପାଇଛି।

ଘଟଣାରୁ ପ୍ରକାଶ ଯେ, ବିଜୟାଦଶମୀରେ ବୁଗୁଡା ଅଞ୍ଚଳ ଉତ୍ସବମୁଖର ହୋଇଥିବା ବେଳେ ପୂର୍ବାହ୍ନରେ ବୁଗୁଡା ନିକଟସ୍ଥ ଲକ୍ଷ୍ମୀପୁର ଓ ବାରିକପଲ୍ଲୀ ଗାଁ ଦ୍ବୟ ମଧ୍ୟରେ ଥିବା ରାସ୍ତାକଡସ୍ଥ ଜଙ୍ଗଲରେ ସନ୍ତୋଷଙ୍କ ମୃତ ଶରୀର ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଥିଲା। ଏ ନେଇ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲା। ପୋଲିସ ଘଟଣା ସ୍ଥଳରୁ ପାଇଥିବା ଏକ ମୋବାଇଲକୁ ଆଧାରକରି ହତ୍ୟାକାଣ୍ଡର ସୁରାକ ଖୋଜୁଥିବା ବେଳେ ମୋବାଇଲଟି ବସନ୍ତର ବୋଲି ଜଣାପଡିଥିଲା। ଅନ୍ୟପକ୍ଷରେ ବସନ୍ତ ଫେରାର ଥିବାରୁ ପୋଲିସ ତା’ର ଘରଲୋକଙ୍କୁ ଥାନାରେ ଅଟକ ରଖି ଶଶୁରଘର ଗାଁ ଗୋଲିଆରେ ରାତିସାରା ଡେରା ପକାଇ ଆଖପାଖ ଅଞ୍ଚଳରେ ଛାନଭିନ୍ କରୁଥିବା ବେଳେ ହତ୍ଯାକାଣ୍ଡ ପରେ ଲୁଟିନେଇଥିବା ମୃତ ସନ୍ତୋଷର ମୋବାଇଲରୁ ବସନ୍ତ ତା’ର କିଛି ସମ୍ପର୍କୀୟଙ୍କୁ ଆଜି ସକାଳେ ଫୋନ୍ କରିଥିବା ନେଇ ପୋଲିସ ପାଖରେ ଖବର ରହିଛି। ଘଟଣା ଦିନ ପୂର୍ବାହ୍ନରେ ସନ୍ତୋଷକୁ ଫୁସୁଲାଇ ତା’ର ବାଇକରେ ବସି ବସନ୍ତ ମୋଟାବାଡି ରାସ୍ତାରେ ଯାଉଥିବା ବେଳେ ହଠାତ୍ ବାଇକଟିକୁ ରାସ୍ତାରେ ଅଟକାଇବାକୁ କହିଥିଲା। ବାଇକଟି ଅଟକିବା କ୍ଷଣି ବସନ୍ତ ଓହ୍ଲାଇପଡି ସାଥିରେ ନେଇଥିବା ଏକ ଧାରୁଆ ଅସ୍ତ୍ରରେ ସନ୍ତୋଷକୁ ଆକ୍ରମଣ କରିଥିଲା। ସନ୍ତୋଷ ତଳେ ପଡିଯିବା ପରେ ସେଥିରେ ତା’ର ତଣ୍ଟିକୁ କାଟିଦେଇଥିଲା। ସେହି ରାସ୍ତା ଦେଇ ଲୋକେ ଯାଉଥିବା ଲୋକେ ସାମାନ୍ୟ ପ୍ରତିବାଦ କରିଥିଲେ ହେଁ ଭୟଭୀତ ହୋଇ ଚାଲିଯାଇଥିଲେ। ଏହା ପରେ ସନ୍ତୋଷର ମୃତ ଦେହକୁ ଘୋଷାରି ନେଇ ଜଙ୍ଗଲ ମଧ୍ୟରେ ପକାଇ ଦେଇ ତା’ର ମୋବାଇଲ ଓ ବାଇକକୁ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ଘଟଣା ସ୍ଥଳରେ ବସନ୍ତର ମୋବାଇଲଟି ଅଜଣାତରେ ଖସି ପଡିଥିଲା ଯାହାକି ପରେ ପୋଲିସ ହାତରେ ଲାଗିଥିଲା। ସୂଚନା ଯୋଗ୍ୟ ଯେ, ବୁଲା ପରିବା ବିକାଳି ବସନ୍ତ ଓ ସନ୍ତୋଷ ଦୁହେଁ ବନ୍ଧୁ ଥିଲେ ହେଁ ଅର୍ଥ ଦେଣନେଣ ସହ ଖରାପ ସମ୍ପର୍କ ହିଁ ଏହି ହତ୍ୟାକାଣ୍ଡର ମୂଳ କାରଣ ହୋଇଥାଇପାରେ ବୋଲି ସାଧାରଣରେ ଆଲୋଚନା ହୋଉଥିବା ବେଳେ ଘଟଣାର ସତ୍ଯତା ଉପରୁ ପରଦା ହଟିନଥିବା ଜଣାଯାଇଛି। ତେବେ ହତ୍ଯାକାରୀ ବସନ୍ତର ଗିରଫ ପରେ ହିଁ ହତ୍ଯାକାଣ୍ଡର ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ଏହି ଚର୍ଚ୍ଚିତ ହତ୍ଯାକାଣ୍ଡ ସ୍ଥାନୀୟ ପୋଲିସର ପାରିବା ପଣିଆ ପ୍ରତି ଚ୍ଯାଲେଞ୍ଜ ସୃଷ୍ଟି କରିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଥିବା ଜଣାଯାଇଛି।