୭୮ ବର୍ଷରେ ପଦାର୍ପଣ କଲା ମୁଗୁପୁରର ଶାରଦୀୟ ଦୁର୍ଗାପୂଜା ..
ଦଶହରା ବଳଦ, ରାବଣପୋଡ଼ି ଓ ଲାଖବିନ୍ଧା ପ୍ରତିଯୋଗିତା ମୁଖ୍ୟ ଆକର୍ଷଣ
ହାଟଡିହି, ୨୧/10(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ମହାଆଡ଼ମ୍ବରରେ ପାଳିତ ହେଉଥିବାବେଳେ ମୁଗୁପୁରର ପ୍ରସିଦ୍ଧ ଦୁର୍ଗାପୂଜା ଚଳିତ ବର୍ଷ ୭୮ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ମୁଗୁପୁର ବାରପାଟଣା ଗ୍ରାମ ଉତ୍ସବମୁଖର ହୋଇଉଠିଛି। ପଞ୍ଚୁଗୋଛିଆ ପଞ୍ଚାୟତର ସର୍ବପୁରାତନ ଦୁର୍ଗାପୂଜା ଭାବେ ପରିଚିତ ଏହି ପୂଜାରେ ପଞ୍ଚାୟତର ପ୍ରାୟ ସମସ୍ତ ଗ୍ରାମର ଶ୍ରଦ୍ଧାଳୁ ସାମିଲ ହୋଇ ମା’ଙ୍କ ଆଶୀର୍ବାଦ ଲାଭ କରିଛନ୍ତି । ପୂଜାର ପ୍ରାରମ୍ଭରେ ଗୁରୁବାର ବିଲ୍ୱାଧିବାସ ଅନୁଷ୍ଠିତ ହୋଇଥିବାବେଳେ ଶୁକ୍ରବାର ସକାଳେ ବୈତରଣୀ ନଦୀରୁ ଘଟୋତ୍ତଳନ କରାଯାଇ ଘଟପୂଜା ଆରମ୍ଭ ହୋଇଥିଲା। ପାରମ୍ପରିକ ରୀତିନୀତି ଅନୁଯାୟୀ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ପୂଜା ସମ୍ପନ୍ନ ହୋଇଥିଲା। ପଣ୍ଡିତ ବାଇଧର ପଣ୍ଡା, ଯୁଧିଷ୍ଠିର ମିଶ୍ର, ଓ ରବୀନ୍ଦ୍ର ଶତପଥୀ ପୂଜାର୍ଚ୍ଚନା କରୁଥିବାବେଳେ ଆନନ୍ଦ ଚରଣ ସାହୁ, ବାଟ କୃଷ୍ଣ ସାହୁ, ନିରଞ୍ଜନ ପାତ୍ର, ପ୍ରମୁଖ କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ମହାଷ୍ଟମୀ ପୂଜାରେ ଶହ ଶହ ମହିଳା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମହାନବମୀ ଅବସରରେ ସ୍ୱତନ୍ତ୍ର ପୂଜାବିଧି ଓ ବଳିଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଦଶହରା ପର୍ବ ପାଳନ ପାଇଁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ମୁଗୁପୁର ଦୁର୍ଗାପୂଜାର ଅନ୍ୟତମ ବିଶେଷତ୍ୱ ହେଉଛି ଦଶହରା ବଳଦ ଯାତ୍ରା, ରାବଣପୋଡ଼ି ଉତ୍ସବ ଓ ଲାଖବିନ୍ଧା ପ୍ରତିଯୋଗିତା। ଏହି ସବୁ କାର୍ଯ୍ୟକ୍ରମ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଦଶହରା ବଳଦକୁ ଗ୍ରାମ ପରିକ୍ରମା କରାଯାଇଥିବାବେଳେ ଲାଖବିନ୍ଧା ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ଆଚାର୍ଯ୍ୟ ଦୈତାରୀ ଗୁରୁକୁଳମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜସେବୀ ଶରତ କୁମାର ସେଠୀ, ମଧୁ ସୁଦନ ରାଉତ ଅତିଥି ଭାବେ ଯୋଗଦେଇ ରାବଣ ପ୍ରତିମୂର୍ତ୍ତି ରେ ଅଗ୍ନି ସଂଯୋଗ କରିଥିଲେ। ଏଥିସହ ପ୍ରତିଦିନ ସନ୍ଧ୍ୟାରେ ଭଜନ-କୀର୍ତ୍ତନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପୂଜାର ଆଧ୍ୟାତ୍ମିକ ପରିବେଶକୁ ଆହୁରି ଆକର୍ଷଣୀୟ କରିଥିଲା। ଦୀର୍ଘ ୭୮ ବର୍ଷର ଏହି ପରମ୍ପରା ମୁଗୁପୁର ଅଞ୍ଚଳର ଧାର୍ମିକ ଆସ୍ଥା, ସାଂସ୍କୃତିକ ଐତିହ୍ୟ ଓ ସାମାଜିକ ଏକତାର ପ୍ରତୀକ ହୋଇରହିଛି। ଏହି ପୂଜାକୁ ସଫଳ କରିବାରେ ରାକେଶ ଗିରି, ନିରଞ୍ଜନ ବେହେରା, ଚନ୍ଦନ ମହଲା, ଲିପୁନ ପୃଷ୍ଟି, ବବୁଲ ବେହେରା, ବାପୁ ସାହୁ, ଆଲୋକ କୁମାର ସାହୁ, ଦିପୁନ ସାହୁ, ରଞ୍ଜିତ ସାହୁ, ମାନସ ଚିନ୍ଦ୍ରା, ମୁନା ସାହୁ, ବାପି ସାହୁ ପ୍ରମୁଖ ସହଯୋଗ କରିଥିଲେ।
