September 21, 2026

ନବରଙ୍ଗପୁର ଜିଲ୍ଲା ମହିଳା ସ୍ନାତକ ମହାବିଦ୍ୟାଳୟରେ କ୍ୟାରିଅର କାଉନସେଲିଂ ଓ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ …….

IMG-20260921-WA0004
Share

 

ନବରଙ୍ଗପୁର:-(ଏମ.ଦୀନା°ଶୁ ଆଚାରୀ) ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ଆନୁକୂଲ୍ୟରେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କ୍ୟାରିଅର କାଉନସେଲିଂ ଓ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଜଣେ ନାରୀ କିପରି ନିଜର ପରିଶ୍ରମ, ଆତ୍ମବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଜୀବନରେ ସଫଳତା ହାସଲ କରିପାରିବେ, ସେ ସମ୍ପର୍କରେ ଛାତ୍ରୀମାନଙ୍କୁ ପ୍ରେରଣାଦାୟକ ମାର୍ଗଦର୍ଶନ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ନବରଙ୍ଗପୁରର ଶ୍ରୀ ଶୁଭମ ମହାପାତ୍ର ଯୋଗଦେଇ ଶିକ୍ଷାଗତ ଯୋଗ୍ୟତା ଆଧାରରେ ବିଭିନ୍ନ ନିଯୁକ୍ତି ସୁଯୋଗ, ସରକାରୀ ସୁବିଧା ଓ ନିଯୁକ୍ତି ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।

ସମ୍ମାନିତ ଅତିଥି ଭାବେ ୨୦୨୬ ର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ ୧୫ତମ ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଥିବା ଆମ ନବରଙ୍ଗପୁର ର ଗର୍ବ ସୁଶ୍ରୀ ସୁମନ ଗୁପ୍ତା ଯୋଗଦେଇ ନିଜ ଜୀବନର ସଂଘର୍ଷ, ପରିଶ୍ରମ ଓ ସଫଳତାର ଅନୁଭୂତି ଛାତ୍ରୀମାନଙ୍କ ସହ ବାଣ୍ଟିବା ସହିତ ଲକ୍ଷ୍ୟ ପ୍ରତି ନିଷ୍ଠା, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସର ଗୁରୁତ୍ୱ ବୁଝାଇଥିଲେ। ବରେଣ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ ସଂଯୁକ୍ତା ପଣ୍ଡା ଯୋଗଦେଇ ବ୍ୟକ୍ତିତ୍ୱ ବିକାଶର ବିଭିନ୍ନ ଦିଗ, ଆତ୍ମବିଶ୍ୱାସ, ଯୋଗାଯୋଗ କୌଶଳ, ସକାରାତ୍ମକ ଚିନ୍ତାଧାରା ଓ ସାମାଜିକ ଦାୟିତ୍ୱବୋଧ ମାଧ୍ୟମରେ ଜଣେ ଛାତ୍ରୀ କିପରି ନିଜକୁ ଏକ ସୁଦୃଢ଼ ଓ ଲୋକାଭିମୁଖୀ ବ୍ୟକ୍ତିତ୍ୱ ଭାବେ ଗଢ଼ିପାରିବେ, ସେ ସମ୍ପର୍କରେ ଆଲୋକପାତ କରିଥିଲେ।ମହାବିଦ୍ୟାଳୟର କ୍ୟାରିଅର କାଉନସେଲିଂ ସଂଯୋଜିକା ଶ୍ରୀମତୀ ରଞ୍ଜୁଷା କୁମାରୀ ପ୍ରହରାଜ ଛାତ୍ରୀମାନେ ନିଜ ଜୀବନରେ ସ୍ପଷ୍ଟ ଲକ୍ଷ୍ୟ ନିର୍ଦ୍ଧାରଣ କରି ତାହା ହାସଲ କରିବା ଦିଗରେ କିପରି ଯୋଜନାବଦ୍ଧ ଭାବେ ଆଗେଇପାରିବେ, ସେ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ।

କାର୍ଯ୍ୟକ୍ରମଟିକୁ ଶକ୍ତିଶ୍ରୀ ସଂଯୋଜିକା ଶ୍ରୀମତୀ ସୁନୀତା ପାତ୍ର ପରିଚାଳନା କରିଥିବା ବେଳେ ଶକ୍ତିଶ୍ରୀ ସାଥୀ ଓ ଶ୍ରେଣୀ ପ୍ରତିନିଧିମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରୀ ଅଂଶଗ୍ରହଣ କରି ଉପକୃତ ହୋଇଥିଲେ।