April 29, 2026

ଗ୍ୟାସ ସିଲିଣ୍ଡର ଚୋରା ଚାଳାଣ ପଣ୍ଡ। ଡ୍ରାଇଭର ଅଟକ

IMG-20260421-WA0047
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଗୋଟେପଟେ ଘରୋଇ ରନ୍ଧନ ଗ୍ୟାସ ଓ ବ୍ୟବସାୟିକ ରନ୍ଧନ ଗ୍ୟାସ ସିଲିଣ୍ଡର ବିତରଣରେ ଘୋର ଅସୁବିଧା ଦେଖାଦେଉଥିବା ବେଳେ, ସାଧାରଣ ଲୋକେ ରନ୍ଧନ ଗ୍ୟାସ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାସହ, ଜିଲ୍ଲାର ପ୍ରାୟ ଅର୍ଦ୍ଧେକ ସଂଖ୍ୟାରେ ହୋଟେଲ ବ୍ୟବସାୟ ବନ୍ଦ ହୋଇସାରିଛି। କିନ୍ତୁ ଅନ୍ୟପଟେ ଘରୋଇ ଓ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଗୁଡିକର କଳାବଜାରି ହେବା ସହ ଅନ୍ୟ ସ୍ଥାନକୁ ଚୋରାଚାଳାଣ ହେଉଅଛି। ଗତକାଲି ସନ୍ଧ୍ୟାରେ ଏପରି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ ଏବଂ ଜୁନାଗଡ଼ ପୋଲିସକୁ ଏକ ବଡ ଧାରଣର ସଫଳତା ମିଳିଛି।

ସୂଚନା ଅନୁଯାୟୀ, ଭବାନୀପାଟଣା ଠାରୁ ଜୁନାଗଡ଼ ଦେଇ ଚୋରା ରାସ୍ତା ଦେଇ ଛତିଶଗଡ଼ର ରାୟପୁରକୁ, ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଭର୍ତ୍ତି ଏକ ପିକପ ଭେନ ଯାଉଥିବା ନେଇ କୌଣସି ସୂତ୍ରରୁ ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ପୋଲିସ ଓ ଯୋଗାଣ ବିଭାଗ ମିଳିତ ଭାବରେ ସତର୍କତାର ସହିତ ଜୁନାଗଡ଼ ସହରର କଳମପୁର ଛକ ନିକଟରେ ଯାନବାହାନ ଗୁଡିକର ଯାଞ୍ଚ କରୁଥିବାବେଳେ, ସନ୍ଦେହ ଜନକ ଭାବରେ ଯାଉଥିବା ଛତିଶଗଡ଼ ରାଜ୍ୟର ନଂ ଥିବା ପିକପ ଭେନ (CG 04 PW 7271)କୁ ଅଟକାଯାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଗାଡି ମଧ୍ୟରୁ ମୋଟ ଚଉଷଠିଟି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଜବତ କରାଯାଇଥିଲା। ସେଥିମଧ୍ୟରୁ ମୋଟ ୫୨ ଟି ଭର୍ତ୍ତି ସିଲିଣ୍ଡର ଥିବାବେଳେ ୧୨ ଟି ଖାଲି ସିଲିଣ୍ଡର ଥିଲା। ଏହାପରେ ସମସ୍ତ ସିଲିଣ୍ଡର ସହ ପିକପ ଭେନଟିକୁ ଜବତ କରି ଥାନାକୁ ଆଣିବା ସହ, ପିକପ ଡ୍ରାଇଭରକୁ ପଚରାଉଚୁରା କରିବାପରେ, ଜଣାଅପଡ଼ିଛି ଯେ’ ଡ୍ରାଇଭର ଜଣକ ଛତିଶଗଡ଼ ଅଞ୍ଚଳର ବାସିନ୍ଦା ଅଟେ।କୌଣସି ବୈଧ ଅନୁମତି ନଥାଇ ଓଡିଶାରୁ ଛତିଶଗଡ଼ ରାଜ୍ୟକୁ କିପରି ଚୋରାରେ ଗ୍ୟାସ ଚାଳାଣ ହେଉଛି, ତାହା ସନ୍ଦେହ ଜନକ ଘଟଣା ହୋଇଥିବାବେଳେ, ଏହି ଚୋରା ଚାଳାଣ ପଛରେ ଆହୁରି କେତେଜଣ ସାମିଲ ଅଛନ୍ତି, ଏନେଇ ବର୍ତ୍ତମାନ ଜୁନାଗଡ଼ ପୋଲିସ ତନାଘନା ତଦନ୍ତ ଆରମ୍ଭ କରିଦେଇଛି।

You may have missed