March 11, 2026

 ସରିଲା ବାର୍ଷିକ ପରୀକ୍ଷା ; ଛାତ୍ରଛାତ୍ରୀଙ୍କୁ ମିଳିଲାନି ମାଗଣା ପୋଷାକ…

pila
Share

 

ବେଲଗୁଣ୍ଠା,21/03, ରାଜ୍ୟର ପ୍ରତ୍ୟେକ ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସରକାର ମାଗଣା ପୋଷାକ ଏବଂ ଜୋତା ପ୍ରଦାନ କରିଥାନ୍ତି I ଚଳିତ ବର୍ଷ ଏହି ପୋଷାକ ସହିତ ହାଉସ୍ ଡ୍ରେସ୍, ପରିଚୟ ପତ୍ର ଏବଂ ଟୋପି ଦେବାର ବ୍ୟବସ୍ଥା ହୋଇଥିଲା I ଏନେଇ ଅଗଷ୍ଟ ମାସ ପନ୍ଦର ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରିବା ପାଇଁ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ସରକାରୀ ନିର୍ଦ୍ଦେଶ ରହିଥିଲା I କିନ୍ତୁ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ ଗୋପନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖାଯାଇଛି I ବର୍ତ୍ତମାନ ସମସ୍ତ ବିଦ୍ୟାଳୟରେ ବାର୍ଷିକ ପରୀକ୍ଷା ଶେଷ ହୋଇଛି I ଆଉ ମାତ୍ର କିଛି ଦିନ ପରେ ପରୀକ୍ଷା ଫଳ ବାହାରିବା ପରେ ଛାତ୍ରଛାତ୍ରୀ ଉପର ଶ୍ରେଣୀକୁ ଚାଲିଯିବେ I ଏହି ବିଦ୍ୟାଳୟରେ ପଢୁଥିବା ପଞ୍ଚମ ଶ୍ରେଣୀର ଛାତ୍ର ଛାତ୍ରୀ ଅନ୍ୟ ବିଦ୍ୟାଳୟକୁ ଚାଲିଯିବେ I କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଏହି ଗୋପନଗର ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା 33 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କାହାକୁ ମଧ୍ୟ ଆଜି ପର୍ଯ୍ୟନ୍ତ ମାଗଣା ପୋଷାକ ମିଳିପାରି ନାହିଁ I ଏନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି I ଗୋପନଗର ବେଲଗୁଣ୍ଠା ବ୍ଳକ୍ ର ଏକ ଉପାନ୍ତ ମଫସଲ ଅଞ୍ଚଳ ହୋଇଥିବା ବେଳେ ଗ୍ରାମର ବିଦ୍ୟାଳୟରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ନିହାତି ଗରୀବ ଶ୍ରେଣୀର I ତେଣୁ ଏହି ଛାତ୍ରଛାତ୍ରୀଙ୍କ ବାପା ମାଆ ପିଲାଙ୍କ ପାଇଁ ନିଜେ ୟୁନିଫର୍ମ୍ ପୋଷାକ ତିଆରି କରିବାକୁ ମଧ୍ୟ ସକ୍ଷମ ନାହାଁନ୍ତି I ତେଣୁ ଚଳିତ ବର୍ଷ ସରକାରଙ୍କ ତରଫରୁ ମାଗଣା ପୋଷାକ ମିଳିନଥିବାରୁ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ପୁରୁଣା ଚିରା ଫଟା ପୋଷାକ ପିନ୍ଧିକି ବିଦ୍ୟାଳୟକୁ ଆସିବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି I ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀ ଗତବର୍ଷ ଅଙ୍ଗନୱାଡ଼ିରେ ମିଳିଥିବା ୟୁନିଫର୍ମ୍ ପିନ୍ଧି ଆସୁଛନ୍ତି I ତେବେ ଏ ସମ୍ପର୍କରେ ଖବର ନେବାରେ ଜଣା ପଡ଼ିଛି ଯେ ତିନି ବର୍ଷ ପୂର୍ବେ ବିଦ୍ୟାଳୟଟିକୁ ନିକଟସ୍ଥ ଏକ ବିଦ୍ୟାଳୟ ସହିତ ମିଶ୍ରଣ ପାଇଁ ସରକାର ଚିଠି କରିଥିଲେ I କିନ୍ତୁ ଗ୍ରାମବାସୀଙ୍କ ବିରୋଧ ପରେ ସରକାରଙ୍କ ଏହି ଆଦେଶ ସ୍ଥଗିତ ରହିଛି I କିନ୍ତୁ ସେହିଦିନ ଠାରୁ ବିଦ୍ୟାଳୟରେ ନିୟମିତ ଶିକ୍ଷକ ନଥିବା ବେଳେ ବିଦ୍ୟାଳୟକୁ ଟଙ୍କାଟିଏ ମଧ୍ୟ ଅନୁଦାନ ଆସୁନାହିଁ I ବିଦ୍ୟାଳୟରେ ବର୍ତ୍ତମାନ ଜଣେ ମାତ୍ର ଶିକ୍ଷକ ଡେପୁଟେସନ୍ ରେ କାର୍ଯ୍ୟ ତୁଲାଉଛନ୍ତି I ତେବେ ପିଲାଙ୍କୁ ପୋଷାକ ମିଳିନଥିବା ନେଇ ସମ୍ପୃକ୍ତ ଶିକ୍ଷକଙ୍କୁ ପଚାରିବାରେ ଗତବର୍ଷ ମାର୍ଚ୍ଚ ମାସ ଶେଷ ସପ୍ତାହରେ ଛାତ୍ରଛାତ୍ରୀଙ୍କ ପୋଷାକ ଅନୁଦାନ ଆସିବା ଯୋଗୁଁ ଶିକ୍ଷା ବର୍ଷ ଶେଷରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଥିବା ବେଳେ ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ ପୋଷାକ ଅନୁଦାନ ଆସିନଥିବାରୁ ଛାତ୍ରଛାତ୍ରୀଙ୍କୁ ପୋଷାକ ଦିଆଯାଇ ପାରି ନାହିଁ ବୋଲି ପ୍ରକାଶ କରିଥିଲେ I ତେବେ ବିଦ୍ୟାଳୟରେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ କେବଳ ପୋଷାକ ଯୋଗାଣ କ୍ଷେତ୍ରରେ ନୁହେଁ ପ୍ରତି କ୍ଷେତ୍ରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଅବହେଳାର ଶିକାର ହେଉଛନ୍ତି ବୋଲି ଜଣାପଡ଼ିଛି I ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏକ ଭଙ୍ଗା କୋଠରୀରେ ବସୁଥିବା ବେଳେ ଏହି କୋଠରୀ ଭିତରେ ହିଁ ବିଦ୍ୟାଳୟର ସମସ୍ତ ଆସବାବପତ୍ର ରହୁଛି I ବିଦ୍ୟାଳୟରେ ନିୟମିତ ଶିକ୍ଷକ ନାହାଁନ୍ତି I ବିଦ୍ୟାଳୟକୁ କୌଣସି ଅନୁଦାନ ଆସୁନଥିବାରୁ ବିଦ୍ୟାଳୟରେ କୌଣସି ଉନ୍ନୟନ କାର୍ଯ୍ୟ ହୋଇପାରୁନଥିବା ବେଳେ ତିନି ବର୍ଷ ଧରି ବିଦ୍ୟାଳୟର ବିଦ୍ୟୁତ୍ ବିଲ୍ ମଧ୍ୟ ବକେୟା ରହିଥିବା ଜଣାପଡିଛି I ତେବେ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଶିକ୍ଷା ଭଳି ମୌଳିକ ଅଧିକାରରୁ ବଞ୍ଚିତ ନକରି ଉଚ୍ଚ କର୍ତ୍ତୁପକ୍ଷ ବିଦ୍ୟାଳୟର ସମସ୍ତ ସମସ୍ୟା ପ୍ରତି ଧ୍ୟାନ ଦେଇ ଏହାର ସମାଧାନ କରିବା ନିମନ୍ତେ ଅଭିଭାବକ ଏବଂ ଗ୍ରାମବାସୀ ଦାବି କରିଛନ୍ତି I

( ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)

You may have missed