ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା-୨୦୨୩ ର ସଫଳ ରୂପାୟନ
ପାଞ୍ଚଟି ଜିଲ୍ଲାର ଏକ ହଜାର ଯାତ୍ରୀଙ୍କୁ ନେଇ ସ୍ୱତନ୍ତ୍ର ଟ୍ରେନ୍ ଛାଡ଼ିଲା ବାଲେଶ୍ବର ଷ୍ଟେସନ୍
————————————
ବାଲେଶ୍ୱର, ତା ୨୦/୦୨: ଓଡିଶା ରାଜ୍ୟ ସରକାର ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକ ମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥଳୀ ଭ୍ରମଣର ସୁଯୋଗ ପ୍ରଦାନ କରିଆସୁଛନ୍ତି। ଏହି ଯୋଜନାରେ ୬୦ରୁ ୭୫ବର୍ଷ ବୟସ୍କ ନାଗରିକ ମାନଙ୍କୁ ଜାତି, ଧର୍ମ ନିର୍ବିଶେଷରେ ଚୟନ କରାଯାଉଅଛି। ହିତାଧିକାରୀ ଚୟନ ନିମନ୍ତେ ଅନ୍ତ୍ୟୋଦୟ/ଅନ୍ନପୂର୍ଣ୍ଣା କାର୍ଡ/ବିଧବା ଭତ୍ତା କାର୍ଡ/ଖାଦ୍ୟସୁରକ୍ଷା ରେସନ୍ କାର୍ଡ/ମନରେଗା କାର୍ଡ ଇତ୍ୟାଦି ମଧ୍ୟରୁ ଯେ କୌଣସି ଗୋଟିଏ ଆର୍ଥିକ ଅନଗ୍ରସରତାର ପ୍ରମାଣ ପତ୍ର ଭାବରେ ଦରଖାସ୍ତ ସହ ଦାଖଲ କରିବାକୁ ପଡ଼ିଥାଏ। ବରିଷ୍ଠ ନାଗରିକ ଦମ୍ପତିଙ୍କ କ୍ଷେତ୍ରରେ ଯେ କୌଣସି ଜଣେ ୬୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ହେବା ଆବଶ୍ୟକ। ଅଧିକ ଆବେଦନ କ୍ଷେତ୍ରରେ ଲଟେରୀ ମାଧ୍ୟମରେ ଚୟନ କରାଯାଇଥାଏ।
ଏହି ଯୋଜନା ଅନ୍ତର୍ଗତ ଆଜି ବାଲେଶ୍ବର ରେଳ ଷ୍ଟେସନରୁ ଦିବା ଘ.୧୨.୪୫ମି.ସମୟରେ ବାଲେଶ୍ୱର,ମୟୂରଭଞ୍ଜ,କେନ୍ଦୁଝର, ଭଦ୍ରକ ଓ ଯାଜପୁର ଆଦି ପାଞ୍ଚଟି ଜିଲ୍ଲାର ୯୭୦ଜଣ ତୀର୍ଥଯାତ୍ରୀ ଓ ୩୦ଜଣ ଏସ୍କର୍ଟ ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ୍ ଋଷିକେଶ ଓ ହରିଦ୍ଵାର ତୀର୍ଥସ୍ଥଳୀକୁ ଯାତ୍ରା କରିଛି। ପ୍ରକାଶ ଥାଉକୀ ଏହି ଯାତ୍ରା ନିମନ୍ତେ ଚୟନ ହୋଇଥିବା ଯାତ୍ରୀମାନେ ଜିଲ୍ଲା ପ୍ରଶାସନ ମାନଙ୍କର ସହାୟତାରେ ନିଜ ଗ୍ରାମରୁ ସଦର ମହକୁମା ଏବଂ ସେଠାରୁ ବାଲେଶ୍ବର ଠାରେ ଥିବା ନୋସିକୁ ଗତକାଲି ଆସି ପହଞ୍ଚିବାପରେ ସେଠାରେ ସେମାନଙ୍କର ପଞ୍ଜିକରଣ କରାଯାଇ ଭବ୍ୟ ସ୍ଵାଗତ କରାଯାଇଥିଲା। ସରକାରୀ ଭାବେ ସେମାନଙ୍କର ରହଣି, ଖାଦ୍ୟପାନିୟ ଆଦିର ବ୍ୟବସ୍ଥା ସହ ଆମୋଦ ନିମନ୍ତେ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ଆଜି ସକାଳୁ ବାଲେଶ୍ବର ଜିଲ୍ଲା ପ୍ରଶାସନ ବ୍ୟବସ୍ଥାରେ ସେମାନଙ୍କୁ ଷ୍ଟେସନ୍ ଅଣାଯାଇ ପାରମ୍ପରିକ ନୃତ୍ୟ ଗୀତ ଆଦି ମାଧ୍ୟମରେ ଷ୍ଟେସନ୍ ପ୍ରବେଶ କରାଯାଇଥିବାବେଳେ ଆଇ.ଆର.ସି.ଟି.ସି.ତରଫରୁ ଫୁଲ,ଚନ୍ଦନ ଓ ମାଳା ଦେଇ ସେମାନଙ୍କୁ ସ୍ଵାଗତ କରାଯାଇଥିଲା। ଏହି ଯାତ୍ରା ନିମନ୍ତେ ସେମାନଙ୍କୁ ଏକ ପରିଚୟ ପତ୍ର, ରେଳ ଟିକେଟ ଓ ବ୍ୟବହାର୍ଯ୍ୟ ସାମଗ୍ରୀ ଥିବା ଏକ କିଟ୍ ପ୍ରଦାନ କରାଯାଇଥିଲା। ଆଇ.ଆର.ସି.ଟି.ସି.ଦ୍ୱାରା ଯାତ୍ରା ସମୟରେ ସମସ୍ତ ତୀର୍ଥଯାତ୍ରୀ ମାନଙ୍କର ରହିବା, ଯିବା ଆସିବା, ଖାଦ୍ୟ ପାନୀୟର ବ୍ୟବସ୍ଥା ସହ ଗସ୍ତ ଜଗୁଆଳି, ପଥ ପ୍ରଦର୍ଶକ, ଯାତ୍ରୀବୀମା ଏବଂ ଚିକିତ୍ସା ସୁବିଧା ମଧ୍ଯ ଯୋଗାଇ ଦିଆଯାଇଅଛି। ଏହି ଯାତ୍ରା ନିମନ୍ତେ ବାଲେଶ୍ବର ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଲାଗିଥିବା ସ୍ୱତନ୍ତ୍ର ତୀର୍ଥଯାତ୍ରା ଟ୍ରେନ୍ ନିକଟରେ ଏକ ସଭାର ଆୟୋଜନ କରାଯାଇଥିଲା। ଅତିଥି ଭାବେ ଯୋଗଦେଇ ବାଲେଶ୍ବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ରେମୁଣା ର ମାନ୍ୟବର ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା, ବାଲେଶ୍ବର ସଦର ମାନ୍ୟବର ବିଧାୟକ ଶ୍ରୀ ସ୍ୱରୂପ ଦାସ, ଭୋଗରାଇର ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ଦାସ, ଓ.ଟି.ଡି.ସି.ର ଅଧ୍ୟକ୍ଷ ଶ୍ରୀ ଲେନିନ ମହାନ୍ତି, ବାଲେଶ୍ବର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ପବିତ୍ର ତୀର୍ଥଯାତ୍ରାର ସଫଳତା କାମନା କରିବା ସହିତ ଆନୁଷ୍ଠାନିକ ଭାବେ ରିବନ କାଟି ଯାତ୍ରାର ଶୁଭାରମ୍ଭ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ବାର୍ତ୍ତା ମାଧ୍ୟମରେ ଏହି ତୀର୍ଥଯାତ୍ରାର ସଫଳତା କାମନା କରିବା ସହ ତୀର୍ଥଯାତ୍ରୀ ମାନଙ୍କର ଶୁଭ ମନାସି ଥିଲେ। ପରିଶେଷରେ ନିମନ୍ତ୍ରିତ ଅତିଥି ମାନେ ପତାକା ହଲାଇ ଟ୍ରେନ୍ କୁ ଯାତ୍ରା ଅଭିମୁଖେ ପ୍ରେରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେମୁଣା ବ୍ଲକ୍ ଅଧ୍ୟକ୍ଷ ଏଵଂ ବାଲେଶ୍ବର ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଏହି ଉତ୍ସବରେ ଉପସ୍ଥିତ ଥିଲେ। ରାଜ୍ଯ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଯାତ୍ରା ନିମନ୍ତେ ଜିଲ୍ଲା ପ୍ରଶାସନର ପର୍ଯ୍ୟଟନ ଉପବିଭାଗ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବାବେଳେ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ସହଯୋଗ କରିଥିଲେ। ପ୍ରକାଶ ଯୋଗ୍ୟ ଯେ ଏହି ତୀର୍ଥଯାତ୍ରା ସାରି ସେମାନେ ଆସନ୍ତା ୨୫ତାରିଖରେ ଫେରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।
ଦେବାଶିଷ ଦାଶ୍ କ୍କ ରିପୋର୍ଟ,,,