କୁପୋଷଣ ଦୂର ପାଇଁ ବାୟୋ ଫର୍ଟିଫାଏଡ଼ ଧାନ ଚାଷୀ ଓ ଏକ୍ରିକ୍ ପ୍ରକଳ୍ପ କର୍ମୀଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା !
ଅସ୍ତରଙ୍ଗ, ଅସ୍ତରଙ୍ଗ, କାକଟପୁରର ବ୍ଲକ ଅଞ୍ଚଳ ରେ ଏକ୍ରିକ ପ୍ରକଳ୍ପ ତତ୍ୱାବଧାନରେ କାର୍ଯ୍ୟରତ , ହାର୍ଭେଷ୍ଟ ପ୍ଲସ ସଂସ୍ଥା ସହଯୋଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର ପୁରୀର ବୈଷୟିକ ସହାୟତାରେ ସ୍ବେଚ୍ଛାସେବୀ ସଂଗଠନ, “ସ୍ଵାଦ” କନ୍ଫରେନ୍ସ ହଲରେ ଏକ୍ରିକ୍ ପ୍ରକଳ୍ପ କର୍ମୀ ଏବଂ କୃଷକ ମାନଙ୍କ ପାଇଁ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ହାର୍ଭେଷ୍ଟ ପ୍ଲସ ସଂସ୍ଥାର ବରିଷ୍ଠ ପକଳ୍ପ ପରିଚାଳକ ଶ୍ରୀ ବିରେନ୍ଦ୍ର ମେଣ୍ଡାଲି ଯୋଗଦେଇ ଉପସ୍ଥିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ସଂସ୍ଥା ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଵିସ୍ତୃତ ସୂଚନା ପ୍ରଦାନ କରିଥିଲେ ଓ ତତପରେ ଅସ୍ତରଙ୍ଗ କୃଷି ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ପାଣିଗ୍ରାହୀ ପ୍ରଶିକ୍ଷାର୍ଥୀ ମାନଙ୍କୁ କିଭଳି ଭାବରେ ପ୍ରୋଟିନ ଓ ଜୀଙ୍କ ଥିବା ଧାନ ଚାଷ କରି କୁ ପୋଷଣ ଦୂର ହୋଇ ପାରିବ ସେ ବିଷୟରେ ବୁଝାଇଥିଲେ । ଏହି ଅବସରରେ ଅସ୍ତରଙ୍ଗ ବ୍ଲକ ଆତ୍ମା କମିଟିର ବି.ଟି.ଏମ ଶ୍ରୀ ଯତେନ୍ଦ୍ର ପ୍ରଧାନ ଯୋଗଦେଇ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର ଜଳବାୟୁ ଏବଂ ଜମିର କିସମ ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ହାର୍ଭେଷ୍ଟ ପ୍ଲସର ଅନ୍ୟତମ ବରିଷ୍ଠ ପ୍ରକଳ୍ପ ପରିଚାଳକ ଶ୍ରୀ ରବୀନ୍ଦ୍ର ଗିରି ଯୋଗଦେଇ ସଂସ୍ଥାର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ବିଶେଷ ଭାବରେ କୁପୋଷଣ ଦୂର କରିବା ପାଇଁ ୧୨୦ ଦିନିଆ ଏକ ଧାନ ଚାଷ ଉପରେ ପ୍ରଶିକ୍ଷାର୍ଥୀ୍ ମାନଙ୍କୁ ଅବଗତ କରାଇଥିଲେ । ସେ ତାଙ୍କ ଉପସ୍ଥାପନରେ ଭାରତ ବର୍ଷରେ କିପରି କୁ ପୋଷଣ ଦୂର କରିବା ପାଇଁ ହାର୍ଭେଷ୍ଟ ପ୍ଲସ୍ ସଂସ୍ଥା ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ସହ କାର୍ଯ୍ୟ କରୁଛି ତାହା ଅବଗତ କରାଇ ଥିଲେ । ଏହି କାର୍ଯ୍ୟକ୍ରମରେ ଏକ୍ରିକ୍ ପ୍ରକଳ୍ପ ପୁରୀ ଜିଲ୍ଲା ମୁଖ୍ୟ ଶ୍ରୀ ଦେବାଶିଷ ପତି ଯୋଗ ଦେଇ କହିଲେ କି ପରୀକ୍ଷା ମୂଳକ ଭାବରେ ଚଳିତ ରବି ୠତୁରେ ଅସ୍ତତଙ୍ଗ ଏବଂ କାକଟପୁର ବ୍ଲକର ପ୍ରାୟ ୧୦୦ ଜଣ ଅଗ୍ରଣୀ ଚାଷୀ ମାନଙ୍କ ସହଯୋଗରେ ଏବର୍ଷ ଏହି ପୋଷଣ ପ୍ରଦାନକାରୀ ଧାନ ଚାଷ କରାଯାଉଛି ଯେଉଁଥିରେ ଭରପୁର ମାତ୍ରାରେ ଜିଙ୍କ ଓ ପ୍ରୋଟିନ ରହିଛି ଏବଂ ସଫଳ ହେଲେ ଆଗାମୀ ଖରିଫରେ ବ୍ୟାପକ ଭାବରେ ବିଭିନ୍ନ ଅଞ୍ଚଳରେ ଚାଷ କରାଯିବ । ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର ପୁରୀର ବରିଷ୍ଠ ବୈଜ୍ଞାନିକ ଶ୍ରୀ ପଟ୍ଟନାୟକ ଯୋଗ ଦେଇ ଚାଷୀ ମାନଙ୍କ ସମସ୍ତ ପ୍ରଶ୍ନ ଏବଂ ପୋଷଣ ଧାନ ଚାଷରେ କିପରି ସୁସ୍ଥ ସମାଜ ଗଠନ ହୋଇ ପାରିବ ବୁଝାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏକ୍ରିକ୍ ପ୍ରକଳ୍ପ ପୁରୀ ଜିଲ୍ଲାର କୃଷି ବିଶେଷଜ୍ଞ ଶ୍ରୀ ହିମାଦ୍ରୀନାଥ ସାହୁ, ଏକ୍ରିକ୍ ପ୍ରକଳ୍ପ ଦେବୀ ଅବବାହିକାର ଦଳପତି ଶ୍ରୀ ବିମଳ ଚନ୍ଦ୍ର ମଲ୍ଲିକ ଓ ଜୀବନ ଜୀବିକା ଅଧିକରିଣୀ ଶ୍ରୀମତୀ ଜ୍ୟୋତିମଞ୍ଜରୀ ସାହୁ, ସମସ୍ତ କ୍ଲଷ୍ଟର ସଂଯୋଜକ, ଜଳବାୟୁ ସାଥି ଏବଂ କୃଷକ ଭାଇ ଓ ଭଉଣୀ ମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ୱାଦ ସଂଗଠନର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।
( ଦୁଃଶାସନ ନାୟକ,ଅସ୍ତରଙ୍ଗ)