September 8, 2026

ସରକାର କା ମାଲ ଦରିଆ ମେଁ ଢାଲ….. ଗଜପତିର ୩୨୬ ନଂ ଜାତୀୟ ରାଜପଥ କଡ଼ରେ ଲକ୍ଷାଧିକ ଟଙ୍କାର ଔଷଧକୁ ଫୋପାଡ଼ି ଦିଆଯାଇଛି       

IMG-20251220-WA0086
Share

 

 

ପାରଳାଖେମୁଣ୍ଡି;୨୦/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) କଥାରେ ଅଛି ସରକାର କା ମାଲ ଦରିଆ ମେଁ ଢାଲ ଅନୁଯାୟୀ ୩୨୬ ନଂ ଜାତୀୟ ରାଜପଥ ରାସ୍ତା କଡ଼ରେ ବହୁ ମୂଲ୍ୟର ବିପୁଳ ପରିମାଣର ସରକାରୀ ଔଷଧ ଗୁଡିକୁ ଫୋପାଡ଼ି ଦିଆଯାଇଛି। ଲୋକଙ୍କୁ ନ ଦେଇ ଔଷଧ ଫିଙ୍ଗିବାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଗଜପତି ଜିଲ୍ଲା ମୋହନା ବଧୂର ବିଦ୍ୟାଳୟ ନିକଟ ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଶୁକ୍ରବାର ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଔଷଧ ପେଟି ସବୁ ବଧୂର ବିଦ୍ୟାଳୟରୁ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ପଡ଼ିଛି। ଔଷଧଗୁଡ଼ିକ ଛୋଟ ପିଲାଙ୍କ ସିରପ୍ ଓ ମ୍ୟାଲେରିଆ କିଟ୍ ଉଦ୍ଦିଷ୍ଟ ରହିଛି। ଆଉ କେତେକ କ୍ରିମ୍ ମଧ୍ୟ ରହିଛି। କେତେକ ଔଷଧର ଏକ୍ସପାଇରି ତାରିଖ ଚଳିତ ମାସ ଶେଷରେ ରହିଛି। ଆଉ କିଛି ଔଷଧର ୨୦୨୬ ଏପ୍ରିଲ ଥିବାବେଳେ କିଛି ଔଷଧର ୨୦୨୬ ଜୁନ୍ ପର୍ଯ୍ୟନ୍ତ ରହିଛି। ଲୋକଙ୍କୁ ନ ଦେଇ କିଏ ଏହି ଔଷଧଗୁଡ଼ିକୁ ଏଠାରେ ଫିଙ୍ଗିଦେଲା ସେନେଇ ପ୍ରଶ୍ନ ଉଠିଛି। ଏହି ଔଷଧ ସବୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବୋଲି କୁହାଯାଉଛି। ଅନ୍ୟପଟେ ଏହି ମେଡିକାଲରେ ଲୋକଙ୍କୁ ସରକାରୀ ମାଗଣା ଔଷଧ ନ ଦେଇ ବାହାରୁ କିଣିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ଏବେ ଔଷଧ ଫିଙ୍ଗିବା ପରେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

You may have missed