ବାତ୍ୟା “ଅକଭାନ୍”ର ପ୍ରଭାବ, ରାସ୍ତାରେ ବର୍ଷାଜଳ ସ୍ରୋତ , ଯାତାୟତ ଠପ୍ , ଚାଷଜମି ଜଳମଗ୍ନ , ଚିନ୍ତାରେ ଚାଷୀ
ବୁଗୁଡା : ତା ୨୦/୧୧/୨୬ : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା “ଅକଭାନ୍” ପ୍ରଭାବରେ ବୁଗୁଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ସୁଅ ଛୁଟି ଯାତାୟତରେ ସମସ୍ଯା ସୃଷ୍ଟି ହୋଇଥିବା ବେଳେ କେତେକ ଚାଷଜମି ଜଳମଗ୍ନ ହୋଇ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ଗତ ଗୁରୁବାର ରାତିରୁ ଅନବରତ ବର୍ଷା ଯୋଗୁଁ ପାହାଡିଆ ଅଞ୍ଚଳରୁ ପ୍ରବଳ ପାଣି ବହିଆସି ଗୋଲିଆ ଗାଁ ଶେଷମୁଣ୍ଡ କୋଇଲୁଣ୍ଡିଛକସ୍ଥିତ ଘର ଓ ଗୁହାଳରେ ପଶିଥିବାରୁ ଲୋକଙ୍କ ସହିତ ଗୃହପାଳିତ ପଶୁ ଦୁର୍ଦ୍ଦଶା ଭୋଗୁଥିବା ବେଳେ ଆଖପାଖର ଚାଷଜମି ଜଳମଗ୍ନ ହୋଇ ବ୍ଯାପକ କ୍ଷୟକ୍ଷତି ଘଟିଛି। ଅନ୍ୟପକ୍ଷରେ ଗୋଲିଆ ଗ୍ରାମର ଅନତିଦୂରରେ ମୋଇଦଣ୍ଡା ଛକ ନିକଟସ୍ଥ ମୁଖ୍ୟ ସଡକର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ବକୁ ପ୍ରବଳ ବେଗରେ ବର୍ଷାପାଣି ବହୁଥିବାରୁ ଦୀର୍ଘ ସମୟ ଧରି ଯାତାୟତରେ ବାଧକ ସାଜିଥିଲା। ସେହିପରି ବୁଗୁଡ଼ା-ନୟାଗଡ ରାଜରାସ୍ତାର ତାକରଡା ଗାଁ ନିକଟରେ ବର୍ଷାପାଣିର ଖରସ୍ରୋତରେ ସଡକର ଗୋଟିଏ ପାର୍ଶ୍ୱ ଧୋଇ ହୋଇଯାଇଛି। ଅନ୍ଯପକ୍ଷରେ ଭଗବାନପୁର, ଶାଳବଣି, ବିରଞ୍ଚିପୁର ଓ ଶତ୍ରୁସୋଲ ଆଦି ଗ୍ରାମର କେତେକ ସ୍ଥାନରେ ଜମିଥିବା ବର୍ଷାଜଳକୁ ପ୍ରଶାସନର ଉଦ୍ଯମରେ ଦମକଳବାହିନୀ ଦ୍ବାରା ନିଷ୍କାସନ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ବାତ୍ୟା ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ଆକଳନ ପ୍ରଶାସନ ପକ୍ଷରୁ କରାଯିବ ବୋଲି ଜଣାଯାଇଛି।

