ଚାଷୀଙ୍କୁ ଦୁଃଖ ଆଣିଦେଲା ବାତ୍ୟା ଅକଭାନ୍
ହାଟଡିହି ତା ୨୦/୧୧(ମନମୋହନ ନାୟକ) : ଗତ ଅକ୍ଟୋବର ମାସରେ ହୋଇଥିବା ବାତ୍ୟା ଅର୍ଣ୍ଣବ ହାଟଡିହି ବ୍ଲକର ଚାଷୀଙ୍କ ମନରେ ଖୁସି ଆଣିଦେଇଥିବା ବେଳେ ଚଳିତ ମାସ ଆସିଥିବା ବାତ୍ୟା ଅକଭାନ୍ ଚାଷୀଙ୍କ ପାଇଁ ଦୁଃଖ ଭରି ଦେଇଛି। ଚଳିତ ଧାନ ତଳି ପକା, ରୁଆ ପୋତା ସମୟରେ ବାରମ୍ବାର ବର୍ଷା ଯୋଗୁଁ ଚାଷୀ ମାନେ ଅନେକ କ୍ଷୟ କ୍ଷତି ସହି ବିଳମ୍ବରେ ଚାଷ କାମ ସମ୍ପୂର୍ଣ୍ଣ କରିଥିଲେ। କିନ୍ତୁ ଅକ୍ଟୋବର ମାସ ବେଳକୁ ବର୍ଷା ଅଭାବ ଯୋଗୁଁ ଚାଷ ଜମି ଶୁଖି ଫାଟି ଯାଇଥିଲା। ଅଣ ଜଳସେଚିତ ଚାଷ ଜମି ଗୁଡିକ ଫାଟି ଆଁ କରିଥିଲା। କିନ୍ତୁ ବାତ୍ୟା ଅର୍ଣ୍ଣବ ଯୋଗୁଁ ୨ /୩ ଦିନ ବର୍ଷା ହେବା ଫଳରେ ଚାଷ ଜମିରେ ପାଣି ମୁନ୍ଦେ ରହିବାରୁ ଚାଷୀମାନେ ଆଶ୍ୱସ୍ଥି ପ୍ରକାଶ କରିଥିଲେ। କିନ୍ତୁ ବାତ୍ୟା ଅକଭାନ୍ ଯୋଗୁଁ ଧାନ ଚାଷ ବେଶ ପ୍ରଭାବିତ ହୋଇଛି। ହାଟଡିହି ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇ ଥିବାବେଳେ ଏବେ ସବୁ ଚାଷ ଜମିରେ କିଆରୀ କିଆରୀ ପାଣି। ଏବେ ଅଧିକାଂଶ ଚାଷ ଜମିରେ ଧାନ ଫୁଲ ଖେଳାଉ ଥିବା ବେଳେ ବାତ୍ୟା ପ୍ରଭାବରେ ଧାନ ଗଛ ଶୋଇ ପଡ଼ିଥିବା ବେଳେ ଫୁଲ ସବୁ ଝଡି ପଡିଛି। ଏପରିକି ଯେଉଁ ସବୁ ଜମିରେ ଧାନ ପାଚିଥିଲା ଗଛ ଗୁଡିକ ପଡିଯିବାରୁ ତାହା ଏବେ ପାଣିରେ ଭାସୁଛି। ଯାହାକୁ ନେଇ ଚାଷୀକୁଳ ଚିନ୍ତାରେ ପଡିଯାଇଛନ୍ତି।
