June 21, 2026

ଉପକୂଳରେ ବଢ଼ିବ ପାଟ୍ରୋଲିଂ କ୍ଷମତା : ଆସିବ ବୋଟ୍‌‌, ୩ହଜାର ଅବସରପ୍ରାପ୍ତ ଯବାନଙ୍କୁ ମିଳିବ ନିଯୁକ୍ତି..

IMG-20241120-WA0037
Share

 

 

 

*ଏଣିକି ଉପକୂଳ ଜଗିବ ଡ୍ରୋନ୍‌। ଉଚ୍ଚକ୍ଷମତା ସଂପନ୍ନ କ୍ୟାମେରା ଖଚିତ ଏହି ଡ୍ରୋନ୍‌ଗୁଡ଼ିକ ଉପକୂଳଠାରୁ ୧୦ରୁ ୧୫ କିଲୋମିଟର ପରିସର ଉପରେ ନଜର ରଖିପାରିବ। ଚିତ୍ର ଉତ୍ତୋଳନ କରିବା ସହ ସମସ୍ତ ଗତିବିଧି ଉପରେ କଡ଼ା ନଜର ରଖିପାରିବ। ସମୁଦ୍ର ପଥ ଦେଇ ହେଉଥିବା ଅନୁପ୍ରବେଶ ବନ୍ଦ ସହ ଉପକୂଳରେ ସୁରକ୍ଷା ବଢ଼ାଇବା ଲାଗି ଏମିତି ଯୋଜନା ପ୍ରସ୍ତୁତ କରିଛି ଓଡ଼ିଶା ପୁଲିସ୍‌। ଖାଲି ସେତିକି ନୁହେଁ, ଉପକୂଳରେ ପାଟ୍ରୋଲିଂ ଲାଗି ୩ ହଜାର ଅବସରପ୍ରାପ୍ତ ଯବାନଙ୍କୁ ନିଯୁକ୍ତି ଦିଆଯିବ। ସିଏପିଏଫ୍‌‌ ସମେତ ତଟରକ୍ଷୀ ବାହିନୀ ଓ ନୌସେନା ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ମିଳିବ। ଏନେଇ ବିସ୍ତୃତ ରୂପରେଖ ପ୍ରସ୍ତୁତ କରାଯାଇ ନିଯୁକ୍ତ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।*

 

*ସୂଚନାଯୋଗ୍ୟ, ଓଡ଼ିଶାରେ ୪୮୦ କିଲୋମିଟର ବ୍ୟାପ୍ତ ସମୁଦ୍ର ଉପକୂଳ ରହିଛି। ଏହାର ସୁରକ୍ଷା ପାଇଁ ୧୮ଟି ମେରାଇନ୍‌ ଥାନା ରହିଛି। କିନ୍ତୁ ପାଟ୍ରୋଲିଂ ଲାଗି ମାତ୍ର ୧୫ଟି ବୋଟ୍‌‌ ରହିଥିବାରୁ ଏହାର ଉପଯୁକ୍ତ ତନଖି କରାଯାଇପାରୁନାହିଁ। ଗଭୀର ସମୁଦ୍ରକୁ ଯାଇ ପାଟ୍ରୋଲିଂ ଏହା ପର୍ଯ୍ୟାପ୍ତ ନୁହେଁ। ତେଣୁ ଆହୁରି ବୋଟ୍‌‌ ଆଣି ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ଉଚ୍ଚକ୍ଷମତା ସମ୍ପନ୍ନ ଉନ୍ନତମାନର ପାଟ୍ରୋଲିଂ ବୋଟ୍‌‌ ଆଣିବାକୁ ଯୋଜନା କରାଯାଉଛି। ଖୁବ୍‌‌ କମ୍‌‌ ଦିନରେ ପର୍ଯ୍ୟାପ୍ତ ପରିମାଣର ବୋଟ୍‌‌ ଯୋଗାଇ ଦିଆଯିବ। ଅନୁରୂପ ଭାବେ ଏବେ ମାତ୍ର ୭ଟି ଜେଟି ରହିଥିବାରୁ ବୋଟ୍‌‌ ରଖିବାରେ ସମସ୍ୟା ହେଉଛି। ତେଣୁ ଜେଟି ସଂଖ୍ୟା ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।*