July 21, 2026

ଜଳ ନିଷ୍କାସନ ପଥ ବନ୍ଦକୁ ନେଇ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ପୁବୁସାହି କପିଳେଶ୍ୱରପୁର ଗ୍ରାମବାସୀ ;  ଶତାଧିକ ମହିଳା ଓ ପୁରୁଷଙ୍କ ଦାବିପତ୍ର; ସରକାରୀ ଜମି ଚିହ୍ନଟ କରି ସ୍ଥାୟୀ ଡ୍ରେନ ନିର୍ମାଣ ପାଇଁ ଦାବି

IMG-20260720-WA0062
Share

 

ଖୋର୍ଦ୍ଧା, (ପ୍ରିୟଙ୍କା ମହାପାତ୍ର): ଖୋର୍ଦ୍ଧା ପଞ୍ଚାୟତ ସମିତି ଅଧିନସ୍ଥ ପୁବୁସାହି ଗ୍ରାମ ପଞ୍ଚାୟତ କପିଳେଶ୍ୱରପୁର ଗ୍ରାମରେ ଦୀର୍ଘଦିନ ଧରି ଲାଗି ରହିଥିବା ଜଳ ନିଷ୍କାସନ ସମସ୍ୟା ଏବେ ଉଗ୍ର ରୂପ ଧାରଣ କରିଛି। ଏହାର ସ୍ଥାୟୀ ସମାଧାନ ଦାବିରେ ସୋମବାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଖୋର୍ଦ୍ଧା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜବରଦଖଲ ହଟାଇ ସରକାରୀ ଜମି ଚିହ୍ନଟ କରି ଡ୍ରେନ ନିର୍ମାଣ ସହ ପାଣି ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବାକୁ ସେମାନେ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପୁବୁସାହି ମହାବୀର ଓ ଶନି ମନ୍ଦିର ପର୍ଯ୍ୟନ୍ତ ପୂର୍ବରୁ ନିର୍ମାଣ ହୋଇଥିବା ଜଳ ନିଷ୍କାସନ ନାଳ ସମ୍ପୂର୍ଣ୍ଣ ହୋଇନଥିବାରୁ ଗ୍ରାମର ଅପରିଷ୍କାର ପାଣି ସିଧାସଳଖ ମନ୍ଦିର ସମ୍ମୁଖ ରାସ୍ତାରେ ପ୍ରବାହିତ ହେଉଛି। ଏହାଫଳରେ କପିଳେଶ୍ୱର ମହାଦେବ ମନ୍ଦିରକୁ ଯାତାୟାତ କରୁଥିବା ଭକ୍ତମାନଙ୍କ ସହିତ ତିନୋଟି ପୋଖରୀ, ଚାଷଜମି ଓ ବିଲକୁ ଯାଉଥିବା ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଋତୁରେ ପରିସ୍ଥିତି ଆହୁରି ସଙ୍କଟଜନକ ହୋଇପଡ଼ୁଥିବାରୁ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି। ଗ୍ରାମବାସୀ ମାନେ ଦାବି କରିଛନ୍ତି ଯେ, ପୂର୍ବରୁ ଏହି ନାଳର ପାଣି ଶନି ମନ୍ଦିର ପାଖ ଦେଇ ପଶ୍ଚିମ ଦିଗକୁ ପ୍ରବାହିତ ହୋଇ କପିଳେଶ୍ୱରପୁର ମୌଜାର ସରକାରୀ ପ୍ଲଟ ନଂ–୪୩୦ (ଏରିଆ ୦.୨୦୦ ଡିସିମିଲ) ଓ ପ୍ଲଟ ନଂ–୪୩୧ (ଏରିଆ ୦.୫୧୫ ଡିସିମିଲ) ମାଧ୍ୟମରେ ଚାଷଜମିକୁ ନିଷ୍କାସିତ ହେଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜଣେ ବ୍ୟକ୍ତି ଘର ନିର୍ମାଣ କରି ପାଣି ଯିବା ରାସ୍ତାରେ ଜୋରଜବରଦସ୍ତ ମୋରମ ପକାଇ ଜଳ ନିଷ୍କାସନ ପଥକୁ ବନ୍ଦ କରିଦେଇଥିବାରୁ ଗ୍ରାମର ଆବର୍ଜନା ପାଣି ଏବେ ରାସ୍ତା ଉପରେ ଜମି ରହୁଛି। ଏଥିସହ ଶନି ମନ୍ଦିର ସମ୍ମୁଖରେ ଅର୍ଦ୍ଧନିର୍ମିତ ଏକ କୋଠା ଦୀର୍ଘଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ରହିଥିବାରୁ ସମସ୍ୟା ଆହୁରି ବଢ଼ିଛି। ଏହି ସମସ୍ୟାର ସମାଧାନ ପାଇଁ ୨୬ ଏପ୍ରିଲ ୨୦୨୬ ତାରିଖରେ ପୁବୁସାହି ଶ୍ରୀଜଗନ୍ନାଥ ଆଶ୍ରମ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଏକ ସମାଧାନ ବୈଠକ ଆୟୋଜିତ ହୋଇଥିଲା। ଅର୍ଜୁନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଖୋର୍ଦ୍ଧା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ପ୍ରକାଶ କୁମାର ସାମନ୍ତରାୟ, ବରସାହି ସରପଞ୍ଚ ଶରତ ଚନ୍ଦ୍ର ବେହେରା, ନାଲିପଡ଼ା-ଅର୍ଜୁନପୁର ସରପଞ୍ଚ ସୂର୍ଯ୍ୟ ପ୍ରସାଦ ମହାନ୍ତି, ପୁବୁସାହି ସମିତି ସଭ୍ୟ ପ୍ରମୋଦ କୁମାର ସ୍ୱାଇଁ ଓ ସରପଞ୍ଚଙ୍କ ପ୍ରତିନିଧି ମନମୋହନ ମହାପାତ୍ରଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ସେହି ବୈଠକରେ ଶନି ମନ୍ଦିର ଠାରୁ ପଶ୍ଚିମ ପାର୍ଶ୍ୱରେ ହନୁମାନ ମନ୍ଦିର ପାଚେରୀ କଡ଼ ଦେଇ ଏକ ନୂତନ ଡ୍ରେନ ନିର୍ମାଣ କରି ନିକଟସ୍ଥ ସରକାରୀ ଜମିରେ ସମ୍ପ ନିର୍ମାଣ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ଡ୍ରେନ ଉପରେ ସ୍ଲାବ ପକାଯିବ, କାମ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ପାଣି ଛଡ଼ାଯିବ ନାହିଁ ଏବଂ ଗ୍ରାମ୍ୟ କମିଟିକୁ ପଞ୍ଚାୟତ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଥିଲା। ଏହାସହ ଗ୍ରାମବାସୀଙ୍କ ଦାବି ଅନୁଯାୟୀ ଏକ ନୂତନ ଗ୍ରାମ୍ୟ କମିଟି ଗଠନ କରିବା ଏବଂ ପୂର୍ବରୁ ଡ୍ରେନ ନିର୍ମାଣକୁ ନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ରୁଜୁ ହୋଇଥିବା ମାମଲାର ଆଇନଗତ ସମାଧାନ ପାଇଁ ଗ୍ରାମ୍ୟ କମିଟି ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ସ୍ଥିର କରାଯାଇଥିଲା। କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ବୈଠକରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତିକୁ ଅବମାନନା କରି ସମ୍ପୃକ୍ତ ବ୍ୟକ୍ତି ପୁଣିଥରେ ଜଳ ନିଷ୍କାସନ ପଥକୁ ବନ୍ଦ କରିଦେଇଛନ୍ତି। ଫଳରେ ଗ୍ରାମରେ ପୁଣି ପୂର୍ବଭଳି ଜଳ ଜମି ରହି ଲୋକଙ୍କ ଦୈନନ୍ଦିନ ଜୀବନ ବ୍ୟାହତ ହେଉଛି। ଏହି ପରିସ୍ଥିତିରେ ଖୋର୍ଦ୍ଧା ତହସିଲଦାରଙ୍କୁ ଦିଆଯାଇଥିବା ଦାବିପତ୍ରରେ ଗ୍ରାମବାସୀମାନେ ସରକାରୀ ପ୍ଲଟ ନଂ–୪୩୦ ଓ ୪୩୧କୁ ତୁରନ୍ତ ମାପଚିହ୍ନଟ କରି ଜବରଦଖଲ ହଟାଇବା, ସ୍ଥାୟୀ ଡ୍ରେନ ନିର୍ମାଣ ପାଇଁ ନକ୍ସା ପ୍ରସ୍ତୁତ କରିବା ଏବଂ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ପ୍ରଶାସନ ଶୀଘ୍ର ହସ୍ତକ୍ଷେପ କରି ସମସ୍ୟାର ସ୍ଥାୟୀ ସମାଧାନ ନକଲେ ଆଗାମୀ ଦିନରେ ବୃହତ୍ତର ଗଣଆନ୍ଦୋଳନ କରିବାକୁ ମଧ୍ୟ ଗ୍ରାମବାସୀ ସଚେତନ କରିଛନ୍ତି।

You may have missed