ସଚିବସ୍ତରୀୟ ବୈଠକରେ ୧୦ଟି ଦିଗ ଉପରେ ଫୋକସ୍ 

IMG-20250819-WA0011
Share

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

ବ୍ୟବସ୍ଥାଗତ ବିଫଳତାକୁ ସ୍ୱୀକାର କଲେ ସରକାର: ବିଜେଡି

 

ପଦାକୁ ଆସିଲା ୧୪ ମାସର ପ୍ରଶାସନିକ ସ୍ଥାଣୁତା

 

ବିଭାଗୀୟ ଦାୟିତ୍ୱ ସମ୍ପାଦନରେ ମନ୍ତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ

ନବୀନଙ୍କ ସମୟରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ଡ୍ୟାସବୋର୍ଡ ପୁଣି ଆରମ୍ଭ କରିବେ ସରକାର

ନବୀନ ବାବୁଙ୍କ ବହିରେ ବିଜେପିର ମଲାଟ

 

ଗତକାଲି ଲୋକସେବା ଭବନରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଯେଉଁ ୧୦ଟି ଦିଗ ଉପରେ ଫୋକସ କରିଛନ୍ତି ତାହା ରାଜ୍ୟ ସରକାରଙ୍କ ୧୪ ମାସର ବ୍ୟବସ୍ଥାଗତ ବିଫଳତାର ସ୍ୱୀକାରୋକ୍ତି ବୋଲି ବିଜେଡି

କହିଛି ।

ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ୟୁଆଇ ନୋଟର ତୁରନ୍ତ ଉତ୍ତର ଓ ନିଆଯାଇଥିବା ପଦକ୍ଷେପ ସଂପର୍କିତ ତଥ୍ୟ ରଖିବାକୁ ମୁଖ୍ୟ ଶାସନ ସଚିବଙ୍କ ନିଦେ୍ର୍ଦଶ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଏହି ସରକାରରେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ମଧ୍ୟ ସଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ । ଜିଲ୍ଲାସ୍ତରୀୟ ସମସ୍ତ କାର୍ଯ୍ୟାଳୟରେ ଏଆଇ କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତିକୁ ନେଇ ଡ. ମହାନ୍ତି କହିିଛନ୍ତି ଯେ, ପୁରୀ ରଥଯାତ୍ରାରେ ମଧ୍ୟ ସରକାର ୨୪୩ଟି ଏଆଇ କ୍ୟାମେରା ଲଗାଇଥିଲେ । କିନ୍ତୁ ଫଳ କ’ଣ ହେଲା ରାଜ୍ୟବାସୀ ଦେଖିଛନ୍ତି ।

ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବର ଅନୁଧ୍ୟାନ କରାଯିବ ବୋଲି ସରକାର କହିବାର ଅର୍ଥ, ସେବା ବିଳମ୍ବିତ ହୋଇଛି ବୋଲି ସରକରା ସ୍ୱୀକାର କରୁଛନ୍ତି । ୨୦୨୩ ମେ’ ମାସରୁ ମୁଖ୍ୟମନ୍ତ୍ରୀ ଡ୍ୟାସବୋର୍ଡ କାର୍ଯ୍ୟକ୍ଷମ ହୋଇସାରିଥିଲେ ମଧ୍ୟ ବର୍ତ୍ତମାନ ସରକାର କହୁଛନ୍ତି ଆଗାମୀ ଅକ୍ଟୋବର ମାସରୁ ଏହା ଆରମ୍ଭ କରାଯିବ । ବିଜେପି ସରକାରକୁ ଆସିବାର ୧୪ ମାସ ପରେ ମନେପଡିଲା କେନ୍ଦ୍ରୀୟ ସ୍କିମ୍ ସଠିକ ଭାବେ କାର୍ଯ୍ୟ କରୁନାହିଁ । ସେଥିପାଇଁ ପ୍ରତିମାସର ୭ ତାରିଖରେ ଜିଲ୍ଲାପାଳ ଏହାର ସମୀକ୍ଷା କରିବେ ବୋଲି ସରକାର ନିଦେ୍ର୍ଦଶ ଦେଇଛନ୍ତି ।

ପୂର୍ବରୁ ବିଜେଡି କରିଥିବା ଅଭିଯୋଗକୁ ଆଜି ସରକାର ସ୍ୱୀକାର କରିଛନ୍ତି ଯେ, ସବୁ ବିଭାଗରେ ଆବଣ୍ଟିତ ଅର୍ଥ ଖର୍ଚ୍ଚ ହୋଇପାରୁ ନାହିଁ । ସେଥିପାଇଁ ବିଭାଗୀୟ ଖର୍ଚ୍ଚ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ସେହିଭଳି କ୍ଷେତ୍ର ପରିଦର୍ଶନ ସଂପର୍କରେ ମୁଖ୍ୟ ଶାସନ ସଚିବ ଯେଉଁ ଗୁରୁତ୍ୱ ଦେଇଛନ୍ତି, ଏଥିରୁ ଜଣାପଡୁଛି ବନ୍ଦ କରିଦେଥିବା ବିଜେଡି ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ରିଅଲ ଟାଇମ ମନିଟରିଂକୁ ବର୍ତ୍ତମାନ ପୁଣି ସରକାର ଆରମ୍ଭ କରିବାକୁ ଯାଉଛନ୍ତି । ଅନ୍ୟପକ୍ଷରେ ଏନ୍ଫୋର୍ସମେଣ୍ଟକୁ ଗୁରୁତ୍ୱ ଦେଇ ସରକାର ମାନିଛନ୍ତି, ରାଜ୍ୟରେ କୌଣସି କାମ ହେଉନାହିଁ । ନିର୍ଦ୍ଧାରିତ ସମୟରେ ସରକାରୀ କର୍ମଚାରୀମାନେ ଅଫିସ ଆସିବାକୁ ଗୁରୁତ୍ୱ ଦେଇ ସରକାର ସ୍ୱୀକାର କରିଛନ୍ତି ଯେ, ବିଜେଡି ସରକାର ସମୟରୁ କାର୍ଯ୍ୟକ୍ଷମ ଥିବା ବାୟୋ-ମେଟି୍ରକ ବ୍ୟବସ୍ଥାକୁ ଆଜି ଯାଏଁ ସରକାର ଗୁରୁତ୍ୱ ଦେଉନଥିଲେ । ଭଲ ପ୍ରଦର୍ଶନ କରୁନଥିବା ଅଧିକାରୀଙ୍କ ଉପରେ ସରକାରଙ୍କ ନଜର ଅଛି ବୋଲି କହି ପରୋକ୍ଷରେ ସରକାର ସ୍ୱୀକାର କରୁଛନ୍ତି ଯେ, ପ୍ରଶାସନିକ କଳର ପାରଦର୍ଶିତା ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ନବୀନ ବାବୁଙ୍କ ନେତୃତ୍ୱରେ ବିଜେଡି ସରକାର ଦେଖାଇଥିବା ରାସ୍ତାରେ ଅଗ୍ରସର ହେବା ପାଇଁ ବାଧ୍ୟ ହେଉଛନ୍ତି ବିଜେପି ସରକାର । ଏହା ନବୀନଙ୍କ ବହିରେ ବିଜେପିର ମଲାଟ ନୁହେଁ କି ବୋଲି ଡ. ମହାନ୍ତି ପ୍ରଶ୍ନ କରିଛନ୍ତି ।